ପୁଣି ବଦଳିଲା ନିଷ୍ପତ୍ତି ଖୋଲିବନି ପ୍ରାଥମିକ ସ୍କୁଲ୍‌

ପୁଣି ବଦଳିଲା ନିଷ୍ପତ୍ତି ଖୋଲିବନି ପ୍ରାଥମିକ ସ୍କୁଲ୍‌

ପୁଣି ବଦଳିଲା ନିଷ୍ପତ୍ତି ଖୋଲିବନି ପ୍ରାଥମିକ ସ୍କୁଲ୍‌


ଭୁବନେଶ୍ୱର (ଏନ୍‌.ଏମ୍‌): ସମ୍ପ୍ରତି ରାଜ୍ୟରେ କରୋନା ଓ ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ତେବେ ପୂର୍ବ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଠାରୁ ପ୍ରାଥମିକ ସ୍କୁଲ ଖୋଲିବା ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ସ୍କୁଲକୁ ଯାଇଥାନ୍ତେ । କିନ୍ତୁ ଆଜି ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ପୂର୍ବ ନିର୍ଦ୍ଦେଶ ମୁତାବକ ପାଖାପାଖି ୨୩ ହଜାର ବିଦ୍ୟାଳୟକୁ ଆସନ୍ତାକାଲି ଠାରୁ ଖୋଲିବାକୁ ପ୍ରସ୍ତୁତି କରାଯାଇଥିଲା । ବାକି ୩୦୯୩ ବିଦ୍ୟାଳୟ ଜାନୁଆରୀ ୧୦ ତାରିଖରୁ ଖୋଲିଥାନ୍ତା । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସାମୟିକ ଭାବେ ଏହି ନିଷ୍ପତ୍ତିକୁ ସ୍ଥଗିତ କରାଯାଇଛି । ବିଶେଷ କରି ଗତ ୨ଦିନରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ହୋଇଛି । ଏଭଳି ସମୟରେ ପିଲାମାନଙ୍କ ବୃହତ୍ତର ସ୍ୱାସ୍ଥ୍ୟଗତ ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳିଥିବା ବିଭାଗ ପକ୍ଷରୁ କୁହାଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଗତ ତିନି ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ସଂକ୍ରମଣ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଓ ନୋଡାଲ ଅଫିସର ମାନଙ୍କ ରିପୋର୍ଟକୁ ଭିତ୍ତି କରି ସାମୟିକ ଭାବେ ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ସେ କହିଛନ୍ତି ଯେ, ଇତିମଧ୍ୟରେ ନୋଡାଲ ଅଫିସରମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖି ଥିଲେ । ପିଲାମାନଙ୍କ ଅଭିଭାବକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ମତାମତ ଆଣିଥିଲେ । ସ୍କୁଲ ଖୋଲିବା ନେଇ କେହି କେହି ଅଭିଭାବକ ଅସନ୍ତୁଷ୍ଟ ଥିଲେ । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ପ୍ରାଥମିକ ସ୍କୁଲ୍ ଆସନ୍ତାକାଲି ଠାରୁ ନଖୋଲିଲେ ବି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେମିତି ପାଠପଢ଼ା ଚାଲିଥିଲା ସେମିତି ଚାଲିବ । ଜାନୁଆରୀ ୫ରୁ ୮ପର୍ଯ୍ୟନ୍ତ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ମଧ୍ୟ ହେବ । ସୂଚନାଯୋଗ୍ୟ, ଆଜି ଆସିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତକାଲି ଆସିଥିବା ରିପୋର୍ଟରେ ୨୯୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି