ନିମପୁର ଶ୍ମଶାନରେ ଆଲୋକୀକରଣ ବ୍ୟବସ୍ଥା ଅଚଳ: ଅନ୍ଧାରରେ ଚାଲିଛି ଶବ ସତ୍କାର

ଜଗତପୁର(ଏନ୍.ଏମ୍.): କଟକ ସହରରେ ସମସ୍ତ ଶ୍ମଶାନର ଉନ୍ନତିକରଣ ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ସିଏମସିର ଅପାରଗତା ଯୋଗୁଁ ସରକାରଙ୍କ ଯୋଜନା ଫଳପ୍ରଦ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଏପରିକି କଟକ ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଶ୍ମଶାନରେ ଶବଦାହ ଗୃହ, ଶବ ସତ୍କାର ନିମନ୍ତେ ଆସିଥିବା ବ୍ୟକ୍ତି ବିଶ୍ରାମ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ପାନୀୟ ଜଳ ଯୋଗାଣ, ଆଲୋକୀକରଣ ନିମନ୍ତେ ସରକାର ଅର୍ଥରାଶି ଯୋଗାଇ ଦେଇଛନ୍ତି । ଉକ୍ତ ଅର୍ଥରେ କଟକର ବହୁ ଶ୍ମଶାନର ନବକଳେବର ମଧ୍ୟ ହୋଇଛି । ପାଚେରୀ ନିର୍ମାଣ ସମେତ ଶ୍ମଶାନର ଉନ୍ନତିକରଣ କରାଯାଇଛି । ହେଲେ ସିଏମସି ପକ୍ଷରୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ସରକାରୀ ଯୋଜନା ବାଟବଣା ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ, ସିଏମସି ଅନ୍ତର୍ଗତ ୪୮ ନମ୍ବର ୱାର୍ଡ ଜଗତପୁର ଅଞ୍ଚଳର ଥିବା ବହୁ ପୁରାତନ ଶ୍ମଶାନରେ ଆଲୋକୀକରଣ ବ୍ୟବସ୍ଥା ଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ତାହା ଅଚଳ ହୋଇ ପଡ଼ିଛି । ଦୀର୍ଘ ଦିନ ଧରି ଶ୍ମଶାନ ଅନ୍ଧାର ରହିବା ଫଳରେ ରାତିରେ ଶବଦାହ ପାଇଁ ଆସୁଥିବା ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଗତକାଲି ରାତିରେ ଫକିରପୁର ପଣ୍ଡା ସାହି ଅଞ୍ଚଳର ଦେବେନ୍ଦ୍ର ପଣ୍ଡାଙ୍କ ବିୟୋଗ ହୋଇଥିବାବେଳେ ଏହି କିଟିକିଟିଆ ଅନ୍ଧାରରେ ଶବ ସତ୍କାର ହୋଇଥିଲା । ଫଳରେ ଶବ ଦାହ ସମୟରେ ଲୋକେ ନାହିଁନଥିବା ହଇରାଣ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ସରକାର ନିମପୁର ଶ୍ମଶାନକୁ ଏକ ସ୍ମାର୍ଟ ଶ୍ମଶାନ କରିବା ପାଇଁ ଗତ ନିର୍ବାଚନ ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ । କିନ୍ତୁ ନିର୍ବାଚନ ସରିବାର ମାତ୍ର କେଇଟା ଦିନ ପରେ ଏଭଳି ଚିତ୍ର ଦେଖିବା ବହୁ ଲଜ୍ୟାଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ଏହି ନିମପୁର ଶ୍ମଶାନକୁ ଏକ ଅତ୍ୟାଧୁନିକ ଶ୍ମଶାନ କରିବା ନିମନ୍ତେ ୪୪ ଲକ୍ଷ ୨୩ ହଜାର ୯ଶହ ୯୫ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହି ଅର୍ଥ କିଭଳି ଖର୍ଚ୍ଚ କରାଯାଇଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏହି ଶ୍ମଶାନରେ ଶବଦାହ ଗୃହ ନିର୍ମାଣ ପାଇଁ ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅଞ୍ଚଳର କିଛି ସମାଜସେବୀ ବ୍ୟକ୍ତିବିଶେଷ ନିଜ ପକ୍ଷରୁ କିଛି କିଛି ସହାୟତା ଦେଇଥିଲେ । ଉକ୍ତ ଅର୍ଥରେ ସୁନ୍ଦର ଶବଦାହ ଗୃହ ନିର୍ମାଣ ହୋଇଥିଲା । ପରବର୍ତ୍ତୀ ସମୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିଥିଲେ । ତେବେ ଶ୍ମଶାନକୁ ସୁରକ୍ଷିତ ରଖିବା ନିମନ୍ତେ ଅଞ୍ଚଳବାସୀ ଦାବି କରିବା ସହ ଆନ୍ଦୋଳନ ଆଦି କରିଥିଲେ । ପରବର୍ତ୍ତୀ ସମୟରେ ଏହି ଶ୍ମଶାନର ଉନ୍ନତିକରଣ ନିମନ୍ତେ ସରକାର ଓ ପ୍ରଶାସନ ପକ୍ଷରୁ ଅର୍ଥରାଶି ସହାୟତା ପ୍ରଦାନ କରାଯାଇଥିଲା । କିନ୍ତୁ ଏହି ଶ୍ମଶାନ ପାଇଁ ଏତେସବୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଶୂନ । ଫଳରେ ଶ୍ମଶାନରେ ଅନ୍ଧାର ରାତିରେ ବହୁ କଷ୍ଟରେ ଶବ ଦାହ କରିବାକୁ ପଡ଼ୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଏ ବିଷୟରେ ସ୍ଥାନୀୟ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ମୁଁ ଏ ବିଷୟରେ ଜାଣିନାହିଁ । ଏ ବିଷୟରେ କେହି ଅଭିଯୋଗ ମଧ୍ୟ କରିନାହାନ୍ତି । କେହି ଅଭିଯୋଗ କଲେ ଆମେ ତୁରନ୍ତ ସମାଧାନ କରିଦବୁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଶ୍ମଶାନ ଦୀର୍ଘ ଦିନ ଧରି ଅନ୍ଧାର ରହିବା ପରେ ମଧ୍ୟ ବିଭାଗ ପାଖରେ ଖବର ପହଞ୍ଚୁନାହିଁ । କେହି ସାଧାରଣ ଲୋକଙ୍କ ଅଭିଯୋଗକୁ ଅପେକ୍ଷା କରିବାକୁ ପଡ଼ୁଛି । ତେବେ ଏ ସଂକ୍ରାନ୍ତରେ ସିଏମସିର କ’ଣ କିଛି ଦାୟିତ୍ୱ ନାହିଁ ବୋଲି ଅଞ୍ଚଳବାସୀ ପାଲଟା ପ୍ରଶ୍ନକରିବା ସହ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।