ନିଜକୁ ବ୍ଳକ୍ କର୍ମଚାରୀ କହି ଆଦିବାସୀ ଲୋକଙ୍କ ଠାରୁ ଠକି ନେଲା ଲକ୍ଷାଧିକ ଟଙ୍କା
#ଆଠଗଡ(ଏନ୍.ଏମ୍.): ନିଜକୁ ବ୍ଳକ୍ କର୍ମଚାରୀ ବୋଲି ପରିଚୟ ଦେଇ ଗରିବ ଖଟିଖିଆ ଆଦିବାସୀ ଲୋକମାନଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ଉଠିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ବ୍ଳକ୍ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତରେ । ଗୋବରା ପଞ୍ଚାୟତ ଅନ୍ତର୍ଗତ ଖାକ୍ସା, ଓରିଙ୍ଗାବାଡ଼ି, ଡବାଗାଡିଆ ଆଦି ଆଦିବାସୀ ସାହିରେ ନିଜକୁ ଆଠଗଡ଼ ବ୍ଲକ୍ କର୍ମଚାରୀ କହି ଜଣେ ବ୍ୟକ୍ତି ଟଙ୍କା ହଡ଼ପ କରିଥିବା ଜଣା ପଡ଼ିଛି । ବିଭିନ୍ନ ପ୍ରଲୋଭନ ଦେଖାଇବା ସହିତ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଗରିବ ନିରକ୍ଷର ଲୋକଙ୍କୁ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଗୁରୁଡ଼ିଝାଟିଆ ଗ୍ରାମ୍ୟ ବ୍ୟାଙ୍କରୁ ଏଭଳି ଚଞ୍ଚକତା କରାଯାଇ ସେମାନଙ୍କ କଷ୍ଟ ଅର୍ଜିତ ଧନକୁ ଆତ୍ମସାତ କରାଯାଇଥିବା କୁହାଯାଉଛି । ଆଦିବାସୀମାନଙ୍କୁ ମିଠା ମିଠା କଥା କହି ସେମାନଙ୍କ ଠାରୁ ବ୍ୟାଙ୍କ୍ ପାସ୍ ବୁକ୍, ଆଧାର କାର୍ଡ଼, ପାସ୍ପୋର୍ଟ ଫଟୋ ଓ ଫିଙ୍ଗର୍ ପ୍ରିଣ୍ଟ ନେଇ ଏଭଳି ଚଞ୍ଚକତା କରାଯାଇଛି । କାହାର ୧୦ ହଜାର, କାହାର ୨୦ ହଜାର ତ ଆଉ କାହାର ୪୦ ହଜାର ଟଙ୍କା ଉଭାନ ହୋଇ ଯାଇଛି । ଏଭଳି ପାଖାପାଖି ୨୦ରୁ ଉର୍ଦ୍ଧ୍ୱ ଲୋକ ଠକାମୀର ଶିକାର ହୋଇଥିବା ଜଣାପଡ଼ିଛି । ସେମାନଙ୍କ ଖାତାରୁ ଟଙ୍କା ଉଠାଣ ନେଇ ଖବର ପାଇବା ପରେ ପ୍ରଥମେ ସେମାନେ ଗୁରୁଡ଼ିଝାଟିଆ ଗ୍ରାମ୍ୟ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିଲେ । ଏନେଇ କିଛି ଜାଣି ନଥିବା କହିଥିଲେ ବ୍ୟାଙ୍କ୍ କର୍ମଚାରୀ । ତୁରନ୍ତ ଏନେଇ ଗୁରୁଡ଼ିଝାଟିଆ ଥାନାରେ ଲିଖିତ ଅଭିଯୋଗ କରିବାକୁ ବ୍ୟାଙ୍କ୍ କର୍ମଚାରୀ ଏହି ଆଦିବାସୀ ଲୋକଙ୍କୁ କହିଥିଲେ । ଅଭିଯୋଗ ପରେ ଏବେ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତେବେ ଏ ନେଇ ଗ୍ରାମ୍ୟବ୍ୟାଙ୍କ ବ୍ରାଞ୍ଚ ମାନେଜରଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଥିଲେ ।