ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା: କଟକରେ ସୁବାସ, ବ୍ରହ୍ମପୁରରେ ସଂଘମିତ୍ରା, ଭୁବନେଶ୍ୱରରେ ସୁଲୋଚନା

ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା: କଟକରେ ସୁବାସ, ବ୍ରହ୍ମପୁରରେ ସଂଘମିତ୍ରା, ଭୁବନେଶ୍ୱରରେ ସୁଲୋଚନା

ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା: କଟକରେ ସୁବାସ, ବ୍ରହ୍ମପୁରରେ ସଂଘମିତ୍ରା, ଭୁବନେଶ୍ୱରରେ ସୁଲୋଚନା
ବିରୋଧୀ ଶିବିରରେ ସ୍ୱତନ୍ତ୍ର ରଣନୀତି: ବିଜେପିରେ ତେଜୁଛି ଅସନ୍ତୋଷ


ଭୁବନେଶ୍ୱର/କଟକ(ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଚତୁର୍ଥ ଦିନରେ ବିଜେଡି ରାଜ୍ୟର ୩ଟି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଶାସକ ବିଜେଡି ପକ୍ଷରୁ ଆଜି ନିଜର ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ଏହାକୁ ନେଇ ବିରୋଧୀ ଶିବିରରେ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି । ଦଳ ପକ୍ଷରୁ ଜାରି ସୂଚନା ଅନୁସାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ମନୋନୀତ କରିଥିବାବେଳେ ଭୁବନେଶ୍ୱର ପାଇଁ ଓଡ଼ିଶା ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ଓ ବ୍ରହ୍ମପୁର ମହାନଗର ନିଗମ ନିମନ୍ତେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କୁ ବିଜେଡି ନିଜର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ବିଜେଡି କାହାକୁ କେଉଁଠି ମେୟର ପ୍ରାର୍ଥୀ କରିବ ତାହା ଚୂଡ଼ାନ୍ତ କରିପାରୁନଥିଲା । ଏଥର ନିର୍ବାଚନରେ ଭୁବନେଶ୍ୱର ମେୟର ପଦବୀ ନିମନ୍ତେ ଏକାଧିକ ମହିଳା ଦୌଡ଼ରେ ଥିଲେ । ହେଲେ ଅଧିକାଂଶ ନେତ୍ରୀଙ୍କର ବିଏମସି ଅଞ୍ଚଳର ଭୋଟର ଲିଷ୍ଟରେ ନାଁ ନଥିବାରୁ ସେମାନେ ବାଦ୍ ପଡ଼ିଥିଲେ । ତେବେ ୨୦୧୭ମସିହା ଜୁନ ମାସରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସୁଲୋଚନା ୨୦୧୯ ମସିହା ଅଗଷ୍ଟ ମାସରେ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିଲେ । କଟକର ମେୟର ପ୍ରାର୍ଥୀ ସୁବାସ ସିଂ ୨୦୨୦ମସିହା ଏପ୍ରିଲ ମାସରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଆଉ ୪ ବର୍ଷ କାର୍ଯ୍ୟକାଳ ବାକି ଥିବାବେଳେ ତାଙ୍କୁ ଦଳ କଟକରେ ମେୟର ପ୍ରାର୍ଥୀ କରାଇଛି । ସଂଘମିତ୍ରା ମହିଳା ବିଜେଡିର ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରୁଛନ୍ତି । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ନିଲମ୍ବନ କରିବା ପରଠୁ ସେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଦାୟିତ୍ୱରେ ରହିଛନ୍ତି । ପୂର୍ବରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେପି ଆଜି ସନ୍ଧ୍ୟା ସୁଦ୍ଧା ନିଜର ମେୟର ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡ଼ିଛି । ସେହିଭଳି ଖୁବ ଶୀଘ୍ର ଏସବୁ ମହାନଗର ନିଗମରେ କର୍ପୋରେଟର ପ୍ରାର୍ଥୀଙ୍କ ତାଲିକ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ତେବେ କଟକରେ ନିର୍ବାଚନୀ ଅଙ୍କ ଏତେ ଅଡ଼ୁଆ ହୋଇପଡ଼ିଛି ଯେ, ଏସବୁ ସମୀକରଣକୁ ଦେଖି ଭୋଟରଙ୍କ ମୁଣ୍ଡ ଘୁରାଇ ଦେଉଥିବା ଚର୍ଚ୍ଚା ହେଉଛି । ତେବେ ଶ୍ରୀ ସିଂହ ରାଜ୍ୟସଭା ଛାଡ଼ି କଟକ ମେୟର ହେଲେ ରାଜ୍ୟସଭାକୁ ବିଜେଡ଼ି କାହାକୁ ପଠାଇବ ସେ ନେଇ ମଧ୍ୟ ନୂଆନୂଆ କଥା ଶୁଣିବାକୁ ମିଳିଛି । ତେବେ ଦଳୀୟ କର୍ମୀଙ୍କ ମଧ୍ୟରେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ଦଳୀୟ ସୁପ୍ରିମୋ ଚିନ୍ତା କରୁଥିବାବେଳେ ଆଗାମୀ ସାଧାରଣ ନିର୍ବାଚନରେ ବାରବାଟୀ-କଟକ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀନିମନ୍ତେ ଅରିନ୍ଦମ ରଏଙ୍କ ନାମକୁ ଦୃଷ୍ଟିରେ ରଖିଛି । ଅନ୍ୟପକ୍ଷରେ ସୁବାସ ସିଂହଙ୍କୁ ମେୟର ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟ ରାଜନୈତିକ ଦଳରେ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି । ଏକଦା କଟକ ସହରରେ ବାମପନ୍ଥୀ ନେତା ଭାବେ ପରିଚିତ ଥିବା ଶ୍ରୀ ସିଂହଙ୍କୁ ଭୋଟର ମେୟର ଭାବେ କେତେଦୂର ଗ୍ରହଣ କରିବେ ତାହା ସମୟ କହିବ ବୋଲି ବିଜେପି ଓ କଂଗ୍ରେସ ଶିବିରରୁ ଶୁଣିବାକୁ ମିଳିଛି । ପୁନଶ୍ଚ ଏଯାଏ କଟକରେ ବିଜେପି ପୌରନିର୍ବାଚନ ପାଇଁ ଏଯାଏ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ପ୍ରକାଶ କରୁନଥିବା ଯୋଗୁଁ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଘନେଇବାରେ ଲାଗିଛି । ଦାୟିତ୍ୱରେ ଥିବା ନେତାଙ୍କ ଅପାରଗତା ଯୋଗୁଁ କଟକରେ ବିଜେପି ଭଳି ଗୋଟିଏ ରାଷ୍ଟ୍ରୀୟ ଦଳ ହୋଇ ମଧ୍ୟ ନିଜର ସ୍ଥିତି ଜାହିର କରିପାରୁନାହିଁ । ଏଠାରେ ଦଳର ମଙ୍ଗ ଧରିଥିବା ନେତା ସଂଗଠନ ମଜଭୁତ କରିବା ପରିବର୍ତ୍ତେ ବ୍ୟକ୍ତିଗତ ଫାଇଦା ପଛରେ ଲାଗିଥିବାରୁ କଟକରେ ବିଜେପି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦଳରେ ବହୁ ଟାଣୁଆ କର୍ମୀ ଥିଲେ ମଧ୍ୟ ମଙ୍ଗ ଧରିଥିବା ନେତା ସେମାନଙ୍କୁ ଆଗକୁ ଯିବାକୁ ବାଟ ନଛାଡ଼ିବା ଯୋଗୁଁ ବହୁ ନେତା ଦଳ ଛାଡ଼ି ସାରିଛନ୍ତି ତଥାପି ମଙ୍ଗୁଆଳମାନଙ୍କ ଚେତା ପଶୁନି । ବିଜେପି ଦଳକୁ ବ୍ୟବହାର କରି ମଙ୍ଗୁଆଳମାନେ ବ୍ୟକ୍ତିଗତ ଲାଭ ପଛରେ ରହିବା କାରଣରୁ ବିଜେପିରେ ସାଂଗଠନିକ ଦୁର୍ବଳତା ଦେଖିବାକୁ ମଳିଛି । ଏହି ପରିପ୍ରେକ୍ଷୀରେ ଦଳର ରାଷ୍ଟ୍ର କିମ୍ବା ରାଜ୍ୟ ନେତାମଧ୍ୟ କଟକ ପ୍ରତି ଅବହେଳା ପ୍ରଦର୍ଶନ କରିବା ଯୋଗୁଁ ବିଜେପି କର୍ମୀମାନେ ନିଜକୁ ଅସହାୟ ମନେ କରୁଛନ୍ତି । ତେବେ ବିଜେପିର ବହୁ କର୍ମୀ ଦଳ ଛାଡ଼ିବେ ବୋଲି ଚେତାବନୀ ଦେଇ ସାରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ