ନରାଜ ବ୍ରିଜ୍ରେ ବନ୍ଧୁକ ଦେଖାଇ ଲୁଟ ଘଟଣା:୨ଗିରଫ, ମାରଣାସ୍ତ୍ର ଜବତ
ଫଟୋ– ପଦ୍ମଲୋଚନ ମିଶ୍ର
କଟକ(ଏନ୍.ଏମ୍.): ସିଡିଏ ଫେଜ -୨ ଥାନା ଅନ୍ତର୍ଗତ ନରାଜ ବ୍ରିଜ୍ରେ ବନ୍ଧୁକ ଦେଖାଇ ଗାଡିରୁ ଲୁଟ୍ କରିବା ଘଟଣାରେ ପୁଲିସ ୨ ଜଣ ଦୁର୍ଦ୍ଧାନ୍ତ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପୁଲିସ ଏୟାର ପିସ୍ତଲ,ଲୁହାରଡ,ନଗଦ ୨୦ ହଜାର ଟଙ୍କା ସହ ସେମାନେ ବ୍ୟବହାର କରୁଥିବା ଫୋନ ଓ ବାଇକ୍କୁ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମାହାଙ୍ଗା ଥାନା ଅନ୍ତର୍ଗତ ରାମକାପୁରର ରାଜା ଓରଫ ସେକ୍ ନସିରୁଲ୍ଲା(୨୭), ସାଲେପୁର ଥାନା ଅନ୍ତର୍ଗତ ବାଲିଆଶଙ୍କରପୁରର ସୁରଜ ଓରଫ ସେକ ନବିଜାନ (୨୭) । ଦୁହେଁ ମଧୁପାଟଣା ଥାନା ଅନ୍ତର୍ଗତ ଅନ୍ଦରପୁର ଅଞ୍ଚଳରେ ଭଡାଘରେ ରହୁଥିଲେ । ଗିରଫ ଅଭିଯୁକ୍ତମାନଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲଣ କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମର ମାଛ ବ୍ୟବସାୟୀ ମିଥୁନ ମଲ୍ଲିକ ଗତ ୨ ତାରିଖରେ ମାଛ କିଣିବାକୁ ଏକ ପିକଅପ୍ ଭ୍ୟାନରେ ଦୁଇଜଣ ସାଙ୍ଗଙ୍କ ସହ ପାରାଦ୍ୱୀପ ଅଭିମୁଖେ ଯାଉଥିଲେ । ରାତି ପ୍ରାୟ ସାଢେ ୧୧ ଘଟିକା ସମୟରେ ଏକ ପିକଅପ୍ ଭ୍ୟାନ(ନଂ-ଓଡି -୦୫-ବିଡି- ୧୧୭୬ ) ମିଥୁନକଙ୍କ ଗାଡିକୁ ଅତିକ୍ରମ କରି ତାଙ୍କ ବାଟ ଓଗାଳିଥିଲା । ସେହି ଗାଡିରେ ନସିରୁଲ୍ଲା ଓ ନବିଜାନଙ୍କ ସମେତ ୬ ଜଣ ଆତଙ୍କୀ ଲୁଟେରାଥିଲେ । ସେମାନେ ନରାଜ ବ୍ରିଜ୍ ନିକଟରେ ମିଥୁନ୍କୁ ଆଗକୁ ଯିବାକୁ ଦେଇ ନଥିଲେ । ଫଳରେ ମିଥୁନଙ୍କ ଗାଡି ସେଠାରେ ଅଟକିଥିଲା । ଗାଡି ଅଟକିବା କ୍ଷଣି ଲୁଟେରାମାନେ ଅତର୍କୀତଭାବେ ମିଥୁନ ଓ ତାଙ୍କସାଂଙ୍ଗମାନଙ୍କୁ ଆକ୍ରମଣ କରିଥିଲେ । ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ୩୩ ହଜାର ଟଙ୍କା ଲୁଟି ନେଇଥିଲେ । ଏତିକିରେ ଲୁଟେରାମାନଙ୍କ କାର୍ଯ୍ୟ ସରିନଥିଲା ଗାଡିର ସମ୍ମୁଖ ଗ୍ଲାସ ଓ ହେଡ୍ ଲାଇଟ୍ ଭାଙ୍ଗି ଦେଇଥିଲେ ଏବଂ ମିଥୁନ ଓ ତାର ସହଯୋଗୀଙ୍କୁ ଲୁହାରଡରେ ମାଡ ମାଡମାରିବା ସହ ତାଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲେ । ପରେ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଲୁଟେରାମାନେ ଗାଡିର କାଚ ଓ ଲାଇଟ୍ ଭାଙ୍ଗି ଦେଇଥିବାରୁ ମିଥୁନ୍ ସହଜରେ ଲୁଟେରାମାନଙ୍କୁ ପିଛା କରିପାରିନଥିଲେ । ତେବେ ଏ ବାବଦରେ ମିଥୁନ୍ ସିଡିଏ ଫେଜ-୨ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ସଂପର୍କରେ ୧/୨୦୨୨ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ବିଭିନ୍ନସ୍ଥାନରେ ଚଢଉ କରି ଆଜି ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରଛି । ସେମାନଙ୍କଠାରୁ ବନ୍ଧୁକ, ଓ ଅନ୍ୟାନ୍ୟ ମାରଣାସ୍ତ୍ର ସହ ୨୦ ହଜାର ଟଙ୍କା ଜବତ କରିଛି । ଏଥିରେ ସଂପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି ।