ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା
#କଟକ ସଦର(ଏନ୍.ଏମ୍.): କଟକ ସଦର ଅନ୍ତର୍ଗତ ଦୟାନିଧି ପ୍ରଥିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବୋଧପୁର ପଞ୍ଚାୟତ ଅନ୍ତର୍ଗତ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ପ୍ରତିଭାଧାରୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟଅତିଥି ଭାବେ ବିଶିଷ୍ଟ ବ୍ୟକ୍ତି ତଥା ଓଡିଶାର ସୁନାମଧନ୍ୟ ଗୀତିକାର ନିମାଇଁ ଚରଣ ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ଓ ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାନ୍ତି ଯୋଗ ଦେଇଥିଲେ । ଅଭୟ ଦାସ ଏଥିରେ ସଭାପତିତ୍ୱ କରିଥିଲେ । କଣ୍ଠଶିଳ୍ପୀ ସୂର୍ଯ୍ୟନାରାୟଣ ଦାଶ ରବିନସନଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରାଯାଇଥିବାବେଳେ ସାମ୍ବାଦିକ ସରାଫତ୍ ଅଲ୍ଲୀ, ସାମ୍ବାଦିକ ଦେବେନ୍ଦ୍ର ସେଠୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବୋଧପୁର ଗ୍ରାମର ଶତାୟୁ ବୟୋଜ୍ୟେଷ୍ଠ ବୃଦ୍ଧା କେସି ଦାସଙ୍କୁ ବିଶେଷ ଭାବେ ସମ୍ମାନିତ କରଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପବିତ୍ର ଦାସ, ଅମୂଲ୍ୟ ରଥ ଏବଂ ଅନୁଷ୍ଠାନର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ୪୨ ମୌଜା ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ସ୍ୱର୍ଗତଃ ଦୟାନିଧି ମହାନ୍ତିଙ୍କ ପରିବାର ପକ୍ଷରୁ ୧୯୯୦-୯୧ରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରଯାଇଥିଲା । ପରିବାର ସଦସ୍ୟ ସେମାନଙ୍କ ବର୍ଷକର ଦରମାରୁ ଏକ ମାସର ଦରମା ଓ ପରିବାର ସଦସ୍ୟ ପାଉଥିବା ପ୍ରତ୍ୟକ ମାସ ପେନସନରୁ ଅଧା ପେନସନ ବିଭିନ୍ନ ସାମାଜିକ ସେବା କାର୍ଯ୍ୟ ଏହି ଅନୁଷ୍ଠାନ ମାଧ୍ୟମରେ ଖର୍ଚ୍ଚ କରିଥାନ୍ତି ବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି ।