ଦେଶୀ ମଦ ରନ୍ଧା ରେଡ କରିବାକୁ ଯାଇ ହଟ୍ଟହଟା ବିଭାଗୀୟ ଅଧିକାରୀ ଓ କର୍ମଚାରୀ

ଦେଶୀ ମଦ ରନ୍ଧା ରେଡ କରିବାକୁ ଯାଇ ହଟ୍ଟହଟା ବିଭାଗୀୟ ଅଧିକାରୀ ଓ କର୍ମଚାରୀ

ଦେଶୀ ମଦ ରନ୍ଧା ରେଡ କରିବାକୁ ଯାଇ ହଟ୍ଟହଟା ବିଭାଗୀୟ ଅଧିକାରୀ ଓ କର୍ମଚାରୀ
ମଦ ମାଫିଆଙ୍କ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ଚଢ଼ାଉକାରୀ

News By Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଏବେ ବେଆଇନ ମଦ ପ୍ରସ୍ତୁତକାରୀଙ୍କ ଭୂସ୍ୱର୍ଗ ପାଲଟିଛି । ଗଳିକନ୍ଦିରେ ଚାଲିଛି ବେଆଇନ ଦେଶୀ ମଦରନ୍ଧା । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଇ ଶହ ଶହ ଲିଟର ମଦ ସହ ବିପୁଳ ପରିମାଣର କଞ୍ଚାମାଲ(ପୋଚ) ଆଦି ନଷ୍ଟ କରାଯାଉଥିଲେ ମଧ୍ୟ ମଦମାଫିଆମାନଙ୍କୁ ଦମନ କରିବାରେ ବିଫଳ ହୋଇଛି । ତେବେ ଆଜି ପୂର୍ବାହ୍ନରେ ଦେଶୀମଦରନ୍ଧା ଉପରେ ରେଡ ଚାଲିଥିବାବେଳେ ମଦମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ । ଚଢ଼ାଉରେ ବ୍ୟବହୃତ ଗାଡ଼ି ମଧ୍ୟ ଭାଙ୍ଗି ଚୁରମାର । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଧିନସ୍ଥ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମ ନିକଟସ୍ଥ ବଣିଆବନ୍ଧ ରିଜର୍ଭ ଜଙ୍ଗଲରେ । ବେଆଇନ ଚୋରା ଦେଶୀ ମଦ କରିଡର ଉପରେ ଚଢ଼ାଉ ପାଇଁ ଯାଇଥିବା ଅବକାରୀ ବିଭାଗର ମିଳିତ ସ୍କ୍ୱାର୍ଡ ଉପରକୁ ଆଜି ସ୍ଥାନୀୟ ମଦ ମାଫିଆ ମାନେ ଆକ୍ରମଣ କରିଛନ୍ତି । ମାଫିଆଙ୍କ କାତି ଓ ଖଣ୍ଡା ଆକ୍ରମଣରେ ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡର ଜଣେ ଏଏସଆଇ ଓ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମର ଜଣେ ଡ୍ରାଇଭର ଆହତ ହୋଇଥିବା ବେଳେ ମାଫିଆମାନେ ଅବକାରୀ ବିଭାଗର ୪ଟି ଗାଡିକୁ ଠେଙ୍ଗାରେ ବାଡେଇ ଭାଙ୍ଗି ଚୁରମାର କରିବା ସହ ଗାଡି ଚକକୁ ହାଣି ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମାଫିଆଙ୍କ ଆକ୍ରମଣ ଚାଲିଥିବାବେଳେ ଜୀବନ ବଞ୍ଚାଇବା ପାଇଁ କିଛି କର୍ମଚାରୀ ଘଟଣାସ୍ଥଳରୁ ମଧ୍ୟ ଦୌଡ଼ି ପଳାଇ ଯିବାକୁ ସକ୍ଷମ ହୋଇଥିଲେ । ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ଖୁଣ୍ଟୁଣୀ ଥାନା ଅଧିନ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମ ସନ୍ନିକଟ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଦୀର୍ଘ ବର୍ଷଧରି ବେଆଇନ ଭାବେ ଚାଲିଥିବା ଚୋରା ଦେଶୀମଦ କରିଡ଼ର ଉପରେ ଆଜି ସକାଳେ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ୱାଡ, ମୋବାଇଲ ସ୍କ୍ୱାଡ କଟକ ୟୁନିଟ-୧ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଅବକାରୀ ବିଭାଗ ଖଣ୍ଡୁଆଳି ଗ୍ରାମ ଜାଭିୟର ସ୍କୁଲ ପଛପଟ ଜଙ୍ଗଲ ଠାରେ ବିଭାଗର ପାଞ୍ଚଟି ଗାଡ଼ି ରଖି ଜଙ୍ଗଲ ଭିତରେ ଦେଶୀମଦ ଭାଟି ଉପରେ ରେଡ୍ କରୁଥିବାବେଳେ ଜଙ୍ଗଲ ଭିତରୁ ହଠାତ କିଛି ସ୍ଥାନୀୟ ଅଞ୍ଚଳର ମଦ ମାଫିଆ ମୁହଁରେ ମୁଖା ପିନ୍ଧି ହାତରେ କାତି ଏବଂ ଠେଙ୍ଗା ଖଣ୍ଡାଧରି ଅବକାରୀ ବିଭାଗର ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଏହି ସମୟରେ ଗାଡ଼ି ନିକଟରେ ଛିଡା ହୋଇଥିବା ମୋବାଇଲ ସ୍କ୍ୱାର୍ଡ଼ ଏସ୍‌ଆଇ ହେମନ୍ତ କୁମାର ମଲ୍ଲିକ ଓ ଫ୍ଲାଇଙ୍ଗ ସ୍କ୍ୱାଡ଼ ଟିମ୍ ଡ୍ରାଇଭର କୃଷ୍ଣମୋହନ ଦାସଙ୍କୁ ମାଫିଆମାନେ ଖଣ୍ଡାରେ ହାଣି ରକ୍ତାକ୍ତ କରିବା ସହ ଅବକାରୀ ବିଭାଗର ୪ ଟି ଗାଡ଼ିକୁ ବାଡ଼େଇ ଭାଙ୍ଗି ଚୁରୁମାର କରି ଗାଡ଼ିର ସମସ୍ତ ଚକାକୁ ହାଣି ପକାଇବା ସହ ଫେରାର ହୋଇଯାଇଥିଲେ । ତେବେ ଏଭଳି ଘଟଣା ଘଟିବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଭୟଭୀତ ମଧ୍ୟ ହୋଇ ପଡ଼ିଛନ୍ତି । ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଜଣେ ବିଭାଗୀୟ କର୍ମଚାରୀ ପ୍ରକାଶ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ