ଥମୁନି ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ: ଆରୋପ ପ୍ରତ୍ୟାରୋପରେ ସମସ୍ୟା ହେଉଛି ଜଟିଳ
ସାମ୍ବାଦିକ ସମ୍ମିଳନୀରେ ନିର୍ଯ୍ୟାତନାର କାହାଣୀ କହିଲେ ଶ୍ରେୟା
ପୁରୀ/କଟକ(ଏନ୍.ଏମ୍.): ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ସମସ୍ୟା ବଢ଼ିବାରେ ଲାଗିଛି । ପତି-ପତ୍ନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାରେ ନାଁ ଧରୁନି । ପ୍ରତ୍ୟେକ ପ୍ରତ୍ୟେକଙ୍କ ଉପରେ ଆରୋପ ପ୍ରତ୍ୟାରୋପ ଦେବାରେ ଲାଗିଛନ୍ତି । ଏ ନେଇ ପ୍ରଥମେ କଟକ ମହିଳାଥାନାରେ ଅଭିଯୋଗ ହେବା ପରେ ଘଟଣା ଲୋକ ଲୋଚନକୁ ଆସିଥିଲା । ତେବେ ପରସ୍ପର ଦୋଷ ଫିଙ୍ଗାଫିଙ୍ଗି ମଧ୍ୟରେ ଅନେକ ଗୁମର ପଦାକୁ ଆସୁଥିବା ଦେଖିବାକୁ ମିଳିଛି । ଏ ନେଇ ହ୍ୟୁମାନ ସାଗର ଏବଂ ତାଙ୍କ ପରିବାର ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ବିଭିନ୍ନ ସଫେଇ ଦେଇଥିଲେ ମଧ୍ୟ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ସ୍ୱାମୀ ଓ ଶାଶୁଘର ଉପରେ ସାଂଘାତିକ ଅଭିଯୋଗମାନ ଆଣିଛନ୍ତି । ତେବେ ଏ ନେଇ ଉଭୟ ପକ୍ଷ ମହିଳା ଥାନାରେ ନିଜର ପକ୍ଷ ରଖିଥିବାବେଳେ କୌଣସି ନିଷ୍କର୍ଷ ବାହାରି ପାରିନଥିବାରୁ ପୁଲିସ ସେମାନଙ୍କୁ ୨ଦିନ ସମୟ ଦେଇଥିଲା । ଇତି ମଧ୍ୟରେ ଘଟଣାର ପୂର୍ଣ୍ଣଛେଦ ପଡ଼ିବ ବୋଲି ଯେଉଁ ଆଶା ରଖାଯାଉଥିଲା ତାହା ଧିରେ ଧିରେ ମଉଳିବାରେ ଲାଗିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏହି ଘଟଣାରେ କିଛି ବୁଦ୍ଧିଜୀବୀମାନେ ମଧ୍ୟ ତାଙ୍କର ଦାମ୍ପତ୍ୟ ଜୀବନ ପୁଣି ହସଖୁସିରେ ଚାଲୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ତେବେ ଏହି ବିବାଦକୁ ନେଇ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଆଜି ପୁରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସ୍ୱାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି । ସେ ମଦପିଇ ମୋତେ ଭୀଷଣ ମାଡ଼ ମାରନ୍ତି । ତେବେ ଅନ୍ୟ ମହିଳାଙ୍କ ସହ ହ୍ୟୁମାନ ସାଗରଙ୍କ ସହ ପରକୀୟା ସମ୍ପର୍କ ଥିବା କଥାକୁ ସେ ସ୍ୱୀକାର କରିଛନ୍ତି । ହେଲେ ସମସ୍ୟାର ସମାଧାନ ଲାଗି ଏନେଇ ସେ କିଛି କହୁନାହାନ୍ତି । ତେବେ ଶାଶୁ ତାଙ୍କୁ ନିର୍ଯାତନା ଦେଇ ନାହାନ୍ତି । ଯାହା ନିର୍ଯାତନା ଦେଇଛନ୍ତି, ତାହା କେବଳ ହ୍ୟୁମାନ ସାଗର ଦେଇଛନ୍ତି । ଏପରିରକି ତାଙ୍କୁ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବି ଦଅନ୍ତି ନାହିଁ ସ୍ୱମାୀ ଓ ଶାଶୁ ବୋଲି ସେ କହିଛନ୍ତି । ଏପରିକି ଭୋଗ ଖାଇବା ପାପ ବୋଲି ଶାଶୁଘର ଲୋକ କହିଥିବା ସେ ଅଭିଯୋଗ କରିବା ସହ ତାଙ୍କୁ ଧର୍ମ ପରିବର୍ତ୍ତନ ନିମନ୍ତେ ବାଧ୍ୟ କରାଯାଉଥିବା ଶ୍ରେୟାଙ୍କ ଓକିଲ ଅନିଲ କୁମାର ରାୟ କହିଛନ୍ତି । ପୁନଶ୍ଚ କମ୍ପ୍ରମାଇଜ୍ ନେଇ ଶ୍ରୀୟା କହିଛନ୍ତି ଯେ, ହ୍ୟୁମାନ ମୋତେ ସ୍ତ୍ରୀର ମାନ୍ୟତା ଦେବେ ଓ ଯେତିକି ଭଲପାଇ ତାଙ୍କ ଘରକୁ ନେଇଥିଲେ, ଠିକ୍ ସେମିତି ଭଲ ପାଇଲେ ମୁଁ ଫେରିବି । ସେ ମୋତେ ସେତିକି ଭଲ ପାଉଥିଲେ ବୋଲି ମୁଁ ଜଣେ ପୁରୀ ମୁକ୍ତି ମଣ୍ଡପ ବ୍ରାହ୍ମଣ ଘରର ଝିଅ ହୋଇ ମଧ୍ୟ ତାଙ୍କୁ ପ୍ରେମ ବିବାହ କରିଥିଲି । ମାଡ଼ ଗାଳି ସହି ରହିଥିଲି । ଏବେବି କମ୍ପ୍ରମାଇଜ୍ ପାଇଁ ଚାହୁଁଛି । ହେଲେ ହ୍ୟୁମାନଙ୍କ ତରଫରୁ ସେମିତି କିଛି ଉଦ୍ୟମ ହୋଇନାହିଁ । ନା ସେ ଫୋନ୍ କରିଛନ୍ତି ନା ତାଙ୍କ ମାଆ କଥା ହୋଇଛନ୍ତି । ଯାହା ଗଣମାଧ୍ୟମରେ କହୁଛନ୍ତି । ପବ୍ଲିକ୍ ସିମ୍ପାଥି ପାଇଁ ସେମାନେ ଏମିତି କରିଥାଇପାରନ୍ତି । ଦେଖିବାକୁ ଗଲେ ପୂର୍ବରୁ କମ୍ପ୍ରମାଇଇ ପାଇଁ ବହୁବାର ଉଦ୍ୟମ ହୋଇଛି । ମୋ ବାପା, ମାଆ ତାଙ୍କୁ ବହୁ ବୁଝାଇଛନ୍ତି । ମୋ’ ମାମୁଁ ମଧ୍ୟ ହ୍ୟୁମାନଙ୍କ ଗୋଡ଼ ହାତ ଧରି କମ୍ପ୍ରମାଇଜ କରିବାକୁ ଅନୁରୋଧ କରିଛନ୍ତି । ତାହା ପରେ ମଧ୍ୟ ସେ ସୁଧୁରିନଥିଲେ ବୋଲି ଶ୍ରୀୟା କହିଛନ୍ତି । ସେ ପୁଣି କହିଛନ୍ତି ଯେ, ହ୍ୟୁମାନ ଅତ୍ୟଧିକ ମାତ୍ରାରେ ମଦ ପିଅନ୍ତି । ସେଥିପାଇଁ ତାଙ୍କର ବହୁ ରେକଡିଂ କ୍ୟାନ୍ସଲ ହୋଇଛି । ଅନେକ ସମୟରେ ସେ ମଦ ନିଶାରେ ଘରକୁ ଫେରୁଥିଲେ । କିନ୍ତୁ ଗାଡ଼ି ଓହ୍ଲାଇ ପାରୁନଥିଲେ । ଆମେ ତାଙ୍କୁ ଧରି ଗାଡ଼ିରୁ ଓହ୍ଲାଇ ଘରକୁ ନେଉଥିଲୁ । ବାରମ୍ୱାର ଏପରି ହେଉଥିବାରୁ ମଦ ପିଇବାକୁ ବାରଣ କରିଥିଲି । କିନ୍ତୁ ସେ ମଦ ଛାଡ଼ିବା ପାଇଁ ରାଜି ନଥିଲେ । ଆଉ ମୋତେ ଅକଥନୀୟ ନିର୍ଯାତନା ଦେଉଥିଲେ । ଗୋଇଠା ଓ ମୁଥ ମାରୁଥିଲେ ବୋଲି ଶ୍ରେୟା କହିଛନ୍ତି । ନିଜ ପ୍ରେମ ବିବାହକୁ ନେଇ ଶ୍ରେୟା କହିଛନ୍ତି, ମୁଁ ଇଣ୍ଟର ରିଲିଜିୟନ୍ ବିବାହ କରିଛି । ତେଣୁ ପ୍ରତି ଶାଶୂଙ୍କ ପରି ମୋ ଶାଶୂ ମଧ୍ୟ ଚାହୁଥିଲେ ମୁଁ ତାଙ୍କ ଧର୍ମକୁ ସମ୍ମାନ ଜଣାଏ । ମୁଁ ମଧ୍ୟ ତାଙ୍କ ଧର୍ମକୁ ସମ୍ମାନ ଜଣାଉଥିଲି । ହେଲେ କେଉଁଠି କେଉଁଠି ମୁଁ ଚାହୁଁଥିଲି ସିନ୍ଦୂର, ଟିକିଲି, ଅଳତା ପିନ୍ଧିବା ପାଇଁ । ହେଲେ ସେ ସୁଯୋଗ ମିଳୁନଥିଲା । କିନ୍ତୁ ସେଥିପାଇଁ ମୋ’ ଶାଶୂ ମୋତେ କୌଣସି ନିର୍ଯାତନା ଦେଇନାହାନ୍ତି ବୋଲି ଶ୍ରୀୟା କହିଛନ୍ତି ।
ସୂଚନାଯୋଗ୍ୟ, ବୁଧବାର ଦିନ ଶ୍ରେୟା କଟକ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ନୋଟିସ ଅନୁଯାୟୀ, ଗୁରୁବାର ଦିନ କଟକ ମହିଳା ଥାନାରେ ହାଜର ହୋଇଥିଲେ । ପୁଲିସ ଉଭୟ ପତିପତ୍ନୀ, ସେମାନଙ୍କ ପରିବାର ଲୋକ ଓ ଓକିଲଙ୍କୁ ବସାଇ ଆଲୋଚନା କରିଥିଲା । କିନ୍ତୁ, ଉଭୟପକ୍ଷ ପୁଲିସ ଉପସ୍ଥିତିରେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିଛନ୍ତି । ଗଣମାଧ୍ୟମ ସାମ୍ନାରେ ବି ପରସ୍ପର ବିରୋଧରେ ବୟାନ ଦେଇଛନ୍ତି । ଏଭଳି ସ୍ଥିତିରେ ପୁଲିସ ସେମାନଙ୍କୁ ଦୁଇଦିନ ସମୟ ଦେଇଛି । ପରସ୍ପର ଭିତରେ ଆଲୋଚନା କରି ବିବାଦର ସମାଧାନ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇ ଛାଡିଥିଲା । ଶ୍ରେୟାଙ୍କ ଓକିଲ କହିଛନ୍ତି ଯେ ଧର୍ମ ପରିବର୍ତ୍ତନ ପାଇଁ ଶ୍ରେୟାଙ୍କ ଉପରେ ଚାପ ପଡ଼ିଥିଲା । ତେବେ, ଏ ସମ୍ପର୍କରେ ଥାନାରେ ଆଲୋଚନା ହୋଇନଥିବା ପୁଲିସ ସ୍ପଷ୍ଟ କରିଥିବାବେଳେ ହ୍ୟୁମାନଙ୍କ ପରିବାର ବି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଗୁରୁବାର ଦିନ ପ୍ରାୟ ୧୨ଟାରୁ ୩ଟା ପର୍ଯ୍ୟନ୍ତ ମହିଳା ଥାନା ପୁଲିସ ଉଭୟ ହ୍ୟୁମାନ ଓ ଶ୍ରେୟାଙ୍କୁ କାଉନସେଲିଂ କରିଥିଲା । ଏସିପି ଅମିତାଭ ମହାପାତ୍ର ଓ ମହିଳା ଥାନା ଆଇଆଇସି ଅନସୂୟା ନାୟକ ଉଭୟଙ୍କୁ କାଉନସେଲିଂ କରିଥିଲେ । ତେବେ, ଥାନାରେ ରହିବା ସମୟ ଭିତରେ ଉଭୟ ପରିବାର ପରିସ୍ପର ବିରୋଧରେ ଅଭିଯୋଗ ଆଣିବା ସହିତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର ଅଭିଯୋଗ କରିଥିଲେ ଯେ, ହ୍ୟୁମାନ ନିଶାସକ୍ତ ଅବସ୍ଥାରେ ତାଙ୍କ ଝିଅଙ୍କୁ ଦୀର୍ଘ ୫ ବର୍ଷ ହେବ ନିର୍ଯାତନା ଦେଉଥିଲେ । ସମାଧାନ ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରି ନାହିଁ । ଏଥିପାଇଁ ଶ୍ରେୟା ୫ ମାସ ହେଲା ତାଙ୍କ ପାଖରେ ରହୁଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ । ଅନ୍ୟପଟେ ହ୍ୟୁମାନଙ୍କ ମା’ ସେଫାଳିଙ୍କ ପାଲଟା ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ ଶ୍ରେୟା, ତାଙ୍କ ବାପା-ମା’, ଭାଇ ଓ ଡ୍ରାଇଭର୍ ମଦ ପିଇବା ସହିତ ହ୍ୟୁମାନଙ୍କୁ ବି ମଦ ପିଆଉଥିଲେ । ଏ ନେଇ ତାଙ୍କ ପାଖରେ ପ୍ରମାଣ ରହିଛି । ଶ୍ରେୟାଙ୍କୁ ସେ କେବେ ବି ମାଡ଼ ମାରିନାହାନ୍ତି ବୋଲି କହିଥିଲେ । ଏହିଭଳି ଏକ ପରିସ୍ଥିତିରେ ଶ୍ରେୟାଙ୍କ ଓକିଲ ଆଇନଜୀବୀ ଶ୍ରୀ ରାୟ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଶ୍ରେୟାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଯାଇଥିବା ଏବଂ ଦୁଇଟି ପର୍ଯ୍ୟାୟରେ ଯୌତୁକ ବାବଦରେ ୧୫ଲକ୍ଷ ଟଙ୍କା ଓ ଗାଡ଼ି ଦିଆଯାଇଥିବା ଅଭିଯୋଗ କରିଥିଲେ । ତେବେ, ହ୍ୟୁମାନଙ୍କ ମା’ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ବିବାହର ସାତବର୍ଷ ଭିତରେ ଦିନେ ବି ଚର୍ଚ୍ଚ ଯିବାକୁ ତାଙ୍କୁ ବାଧ୍ୟ କରାଯାଇନଥିବା କହିଥିଲେ । ଏଥିସହିତ, ୧୫ଲକ୍ଷ ଟଙ୍କା ଅଭିଯୋଗ ଉପରେ କହିଥିଲେ ଯେ, ତାଙ୍କର ସବୁ ଟଙ୍କା ଶ୍ରେୟାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବାବେଳେ ତାଙ୍କ ଗହଣା ବି ତାଙ୍କ ନାଁରେ ଥିବା ଲକରରେ ରହିଛି । ଗାଡ଼ି, ପ୍ଲଟ୍ ବି ଶ୍ରେୟାଙ୍କ ନାଁରେ ଅଛି । ଯୌତୁକ କାହିଁକି ମାଗିବୁ ବୋଲି ସେଫାଳି ପ୍ରଶ୍ନ କରିଥିଲେ । ଏଥିସହିତ, ହ୍ୟୁମାନଙ୍କର ଘର ନଥିବାରୁ ଘର କିଣିବାକୁ ଯୋଜନା ହୋଇଥିଲା । ଏଥିପାଇଁ ଥିବା ଟଙ୍କା ସମ୍ପର୍କରେ ପଚାରିବାରୁ ଘର ଭିତରେ ଝଗଡ଼ା ଆରମ୍ଭ ହୋଇଥିଲା ବୋଲି କହିଥିଲେ । ଆଲୋଚନା ମାଧ୍ୟମରେ ଉଭୟ ସ୍ୱାମୀ-ସ୍ତ୍ରୀ ବିବାଦର ସମାଧାନ କରି ମିଶି ରହିବାକୁ ସେଫାଳି ମଧ୍ୟ ପରାମର୍ଶ ଦେଇଛନ୍ତି ।