ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌

ଡାକ୍ତର ଶୁଭଶ୍ରୀଙ୍କ ମୃତ୍ୟୁ ପଛର କାରଣ ବୟଫ୍ରେଣ୍ଡ ହୋଇପାରନ୍ତି: ଖୋଜୁଛି ସ୍ୱତନ୍ତ୍ର ପୁଲିସ୍ ଟିମ୍‌

File Photo & FIR copy

#କେନ୍ଦୁଝର(ଏନ୍‌.ଏମ୍‌.): ୨୦୨୩ ଜାନୁଆରୀ ୧ତାରିଖ । ବର୍ଷର ପ୍ରଥମ ଦିନ ହିଁ ସ୍ମୃତି ହୋଇ ରହିଗଲା କର ପରିବାର ପାଇଁ । ଡାକ୍ତର ଝିଅକୁ ନେଇ ଅସୁମାରୀ ସ୍ୱପ୍ନ ଦେଖୁଥିବା ପିତାମାତା ବର୍ଷର ପହିଲି ଦିନରେ ହରାଇଲେ ଝିଅକୁ । ତେବେ ଝିଅର ମୃତ୍ୟୁ କେମିତି ହେଲା ତାହାକୁ ନେଇ ଚାଲିଛି ତନାଘନା । ଏ ବିଷୟରେ ପରିବାର ଲୋକେ ବି ଅନ୍ଧାରରେ । ଖୁବ ଖୁସିରେ ଜିରୋ ନାଇଟ ପାଳନ କରୁଥିବା ଝିଅ ସକାଳୁ ସକାଳୁ ମୃତ୍ୟୁଶଯ୍ୟାରେ ଏକଥାକୁ ବି ସହଜରେ ହଜମ କରି ପାରୁନାହାନ୍ତି ସହକର୍ମୀ । ତେବେ ଦିନକୁ ଦିନ ନୂଆ ମୋଡ଼ ନେଉଛି ଡାକ୍ତର ଶୁଭଶ୍ରୀ କର (୨୫)ମୃତ୍ୟୁ ମାମଲା । କଟକ ଜିଲ୍ଲା ନିଆଳି ଅଞ୍ଚଳର ଝିଅ ଶୁଭଶ୍ରୀ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ।
ମୃତ୍ୟୁର ୧୦ ଦିନ ପୂର୍ବରୁ ନିଜ ବୟଫ୍ରେଣ୍ଡ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଶୁଭଶ୍ରୀ ଦୁଷ୍କର୍ମ ଏତଲା ଦେଇଥିବାବେଳେ ଏବେ ତାଙ୍କ ପତ୍ତା ମିଳୁନି । ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ ଦିବ୍ୟରଞ୍ଜନଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ତାଙ୍କ ନିଖୋଜ ବୟଫ୍ରେଣ୍ଡଙ୍କୁ ଖୋଜିବାକୁ ପୁଲିସ ଅଣ୍ଟା ଭିଡିଛି । ଏଥିନିମନ୍ତେ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ ହୋଇଛି । ଶୁଭଶ୍ରୀ ମୃତ୍ୟୁ ମାମଲା ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣା ହୋଇଥିବାରୁ ଏହି ମାମଲାରେ ମାପିଚୁପି ପାଦ ବଢ଼ାଉଛି ପୁଲିସ୍ । ଶୁଭଶ୍ରୀଙ୍କ ମୃତ୍ୟୁ ବିଷକ୍ରିୟାରୁ ହୋଇଥିବା ସ୍ପଷ୍ଟ ହେବା ପରେ ପ୍ରେମରେ ଧୋକା ପାଇ ଏପରି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି । ତେଣୁ ତାଙ୍କ ବୟଫ୍ରେଣ୍ଡ ଦିବ୍ୟରଞ୍ଜନଙ୍କୁ ଖୋଜିବାକୁ କେନ୍ଦୁଝର ପୁଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ଏସପି ସୂଚନା ଦେଇଛନ୍ତି । ମୃତ୍ୟୁର ୧୦ ଦିନ ପୂର୍ବରୁ ଅର୍ଥାତ ଗତ ୨୦ତାରିଖରେ ଶୁଭଶ୍ରୀ ଯୋଡ଼ା ଥାନାରେ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାମରେ ଦୁଷ୍କର୍ମ ମାମଲା ଅଭିଯୋଗ କରିଥିଲେ । ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ମାଝୀ ପରେ ବିବାହ ପାଇଁ ମନା କରିଦେବାରୁ ନ୍ୟାୟ ପାଇଁ ଡାକ୍ତର ଶୁଭଶ୍ରୀ କର ଥାନାର ଦ୍ୱାରସ୍ତ ହୋଇଥିଲେ । ବଡ଼ବିଲ୍ ଜେଏମ୍‌ଏଫସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇଥିଲା । ସେଠାରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇ ଯାଇଥିବାବେଳେ ମାମଲା ଆଉ ଆଗକୁ ବଢ଼ି ନଥିଲା । ଏହାପରେ ଉକ୍ତ ଦିନ ହିଁ ଦିବ୍ୟରଞ୍ଜନ ନୁଆଗାଁ ଡିସ୍ପେନସାରୀରୁ ମେଡିକାଲ ଅଫିସର ପଦରୁ ଇସ୍ତଫା ଦେଇଥିଲେ । ନିଜ ଇସ୍ତଫା ପତ୍ରରେ ଦିବ୍ୟରଞ୍ଜନ ବିବାହ ନିମନ୍ତେ ଭୁବନେଶ୍ୱର ଯାଉଥିବା ଉଲ୍ଲେଖ କରିଛନ୍ତି । ତେବେ ଏବେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଥିବାରୁ ତାଙ୍କୁ ଖୋଜିବା ପାଇଁ ପୁଲିସ ଟିମ ବିଭିନ୍ନ ସ୍ଥାନକୁ ଯାଉଛି । ଏହି ଟିମ୍ ନୁଆଗାଁ ଡିସ୍ପେନସାରୀକୁ ଯାଇଥିବା ବେଳେ ସେଠାରେ ନିୟୋଜିତ କର୍ମଚାରୀଙ୍କୁ ପଚରାପଚରି କରି ଫେରିଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ, ଗତ ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା । ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ଘରର କବାଟ ଭାଙ୍ଗି ଶୁଭଶ୍ରୀଙ୍କ ମୃତଦେହ ଖଟ ଉପରେ ପଡିଥିବା ପାଇଥିଲା । ତାଙ୍କୁ ତୁରନ୍ତ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତଦେହ ନିକଟରେ ଏକ ବିଷ ବୋତଲ ଜବତ ହୋଇଥିଲା । ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ଉକ୍ତ ବୋତଲର ବିଷ ଯୋଗୁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ଫରେନସିକ ଲ୍ୟାବକୁ ପଠାଯାଇଛି । ତେବେ ଡାକ୍ତର ମାଝୀଙ୍କୁ ଧରିବା ପରେ ଶଭଶ୍ରୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇ ପାରିବ ବୋଲି ଚର୍ଚ୍ଚା ହେଉଛି । ତେବେ ଏ ବିଷୟରେ ପରିବାର ଲୋକେ କିଛି ଜାଣିନଥିବା ଶୁଭଶ୍ରୀଙ୍କ ପିତା କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ