ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା: ଜଗତପୁର ଡ୍ରେନ ପାଲଟିଛି ମରଣଯନ୍ତା
#ଜଗତପୁର (ଏନ୍.ଏମ୍.): ସିଏମସି ଅଞ୍ଚଳରେ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ବିଧାୟକଙ୍କ ଠାରୁ ଆରମ୍ଭ କରି ମେୟର ଓ କର୍ପୋରେଟରମାନେ ଡିଣ୍ଡିମ ପିଟୁଥିବାବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳୁଛି । କଟକ ସହରରେ ଅନେକ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ି ରହିବା ଯୋଗୁଁ ଏହି ପ୍ରକଳ୍ପ କେବଳ ଜନସାଧାରଣ କାହିଁକି ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବିପଦ ସାବ୍ୟସ୍ତ ହେଉଛି । ଏ ସବୁ ବିଷୟରେ ନିର୍ବାଚିତ ପ୍ରତିନିଧିମାନେ ଜାଣି ଅଜଣା ରହିବା ପଛରେ କି ରହସ୍ୟ ରହିଛି ତାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା । ତେବେ ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା କର୍ତ୍ତୃପକ୍ଷ ଶାସକ ଦଳର ସମର୍ଥକ ହୋଇଥିବା ହେତୁ ଏମାନଙ୍କ ଉପରେ ବିଭାଗୀୟ କଟକଣା ରହୁନାହିଁ । ଫଳରେ ଜେଇ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିବା ଯୋଗୁଁ ରାଜସ୍ୱ ହାନୀ ହେବା ସହ ପ୍ରାଣଘାତୀ ସାବ୍ୟସ୍ତ ହେଉଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସିଏମସି ଅନ୍ତର୍ଗତ ଜଗତପୁର ୪୮ ନମ୍ବର ୱାର୍ଡ ଅଞ୍ଚଳରେ । ସ୍ଥାନୀୟ ଭୁବନପୁର ଗ୍ରାମ ଦେଇ ଯାଇଥିବା ଏକ ମୁକୁଳା ଡ୍ରେନ ଭିତରେ ଷଣ୍ଢଟି ପଡି ଯାଇ ପ୍ରାୟ ୧ ଘଣ୍ଟା ଧରି ତା ଭିତରୁ ବାହାରି ପାରି ନପାରି ଛଟପଟ ହୋଇଥିଲା । ଏକ ଘଣ୍ଟା ପରେ ଅଗ୍ନୀଶମ ବିଭାଗ ଓ କିଛି ସ୍ଥାନୀୟ ଯୁବକମାନେ ଏହି ଷଣ୍ଢଟିକୁ ଡ୍ରେନ ଭିତରୁ ଉଦ୍ଧାର କରିଥିଲେ । ୨୦୨୩ ମସିହାରେ କଟକ ଅଞ୍ଚଳର ଅନ୍ୟ ୱାର୍ଡମାନଙ୍କରେ ମୁକୁଳା ଡ୍ରେନ ଭିତରେ ଲୋକେ ପଡି ଲୋକଙ୍କର ଜୀବନ ଯିବାରୁ ସିଏମସି ମେୟର ସୁବାଷ ସିଂହ କଟକର ସବୁ ୱାର୍ଡ ମାନଙ୍କରେ ସମସ୍ତ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଯିବ ବୋଲି କହିଦେଲେ । ହେଲେ ମେୟରଙ୍କ କଥା କେବଳ କଥାରେ ରହିଗଲା । ଦୀର୍ଘ ୧ ବର୍ଷ ପୂର୍ବେ ଆଇ.ବି ରୋଡ ମଙ୍ଗଳା ଗଡା ଠାରୁ ଭୂବନପୁର ପ୍ରର୍ଯ୍ୟନ୍ତ ଡ୍ରେନକୁ ଚଉଡା କରି ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ୨୦୨୨ ମସିହା ଡିସେମ୍ବର ମାସରେ ପ୍ରାୟ ୩୩ ଲକ୍ଷ ଟଙ୍କାର କଭର ସ୍ଲାବ କାମ ଆରମ୍ଭ ହୋଇଥିଲା । ଏହି ଡ୍ରେନ କାମ ଅଧା ହୋଇନଥିଲାବେଳେ ଠିକାଦାର ଜଣକ ଡ୍ରେନ କାମ ସାରି ଥିବାର କାଗଜ ପତ୍ର ଦେଖାଇ ୭୦ ଭାଗ ବିଲ ଟଙ୍କା ନେଇ ଡ୍ରେନ ଉପରେ ସ୍ଲାବ ନପକାଇ ଆଉ ଡ୍ରେନର ଅଧାରୁ ଅଧିକ କାମ ସମ୍ପୂର୍ଣ୍ଣ ନକରି ଚମ୍ପଟ ମାରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ କାମ ଶେଷ ନହୋଇ ଠିକାଦାରଙ୍କ ବିଲ ପାସ ହେଲା କେମିତି ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଏଭଳି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।