ଜିଲ୍ଲା ଲୋକ ସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା
#କଟକ(ଏନ୍.ଏମ୍.): ଜିଲ୍ଲା ପ୍ରଶାସନ କଟକ ଓ ଜିଲ୍ଲା କଳା ସଂସ୍କୃତି ସଂଘ କଟକ ପକ୍ଷରୁ ସ୍ୱରାଜ ଆଶ୍ରମ ପରିସରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ ଅନୁଯାୟୀ କଟକ ଜିଲ୍ଲାର ବିଭିନ୍ନ ବ୍ଲକରୁ ବାରଗୋଟି ଲୋକକଳା ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଘଣ୍ଟ ନୃତ୍ୟ, ଲଉଡି, ସଂକୀର୍ତ୍ତନ, ଦାସକାଠିଆ, ରାସ, ଘୋଡାନାଚ, ପଟୁଆର, ଖଞ୍ଜଣି ଭଜନ ଦଳମାନଙ୍କ ମଧ୍ୟରେ ପ୍ରତି ଯୋଗିତା କରାଯାଇଥିଲା । ବିଚାରକ ଭାବରେ ପଦ୍ମଶ୍ରୀ ଡକ୍ଟର ଉଛବ ଚରଣ ଦାସ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶତ୍ରୁଘନ ସାମଲ, ସଙ୍ଗୀତ ଗୁରୁ ପ୍ରଭାତ ବୋଷ କଳାକାର ଦଳମାନଙ୍କ ପରିବେଷଣର ବିଭିନ୍ନ ଦିଗ ଉପରେ ମୂଲ୍ୟାଙ୍କନ କରିଥିଲେ । ପୁରସ୍କାର ବିତରଣ ସଭାରେ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ଅଶୋକ କୁମାର ଷଡଙ୍ଗୀ ଯୋଗଦାନ କରି ବିଜୟୀ ଦଳମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ପଟୁଆର ସଂକୀର୍ତ୍ତନ ସୁରେଶ ପ୍ରଧାନ ପ୍ରଥମ, ମା ଅମ୍ବିକା ବାଡି ଲଉଡ଼ି ଅଜୟ ବେହେରା ଦ୍ୱିତୀୟ ଓ ଘୋଡାନାଚ ହେମନ୍ତ ଦଳେଇ ତୃତୀୟ ସ୍ଥାନ ଅଧିକାର କରି ଟ୍ରଫି ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକୁ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଏବଂ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଜ୍ଞାନ ପ୍ରିୟ କାନୁନଗୋ ପରିଚାଳନା କରିଥିଲେ ।