ଜଗତପୁର ଥାନା ପକ୍ଷରୁ ଜଳ ବିତରଣ କାର୍ଯ୍ୟକ୍ରମ
#ଜଗତପୁର(ଏନ୍.ଏମ୍.): ଜଗତପୁର ଥାନା ଥାନା ପରିସରରେ ଏକ ଜଳ ଛତ୍ର କେନ୍ଦ୍ର ଅନୁଷ୍ଟିତ ହୋଇଯାଇଛି । ସିଏମସି ପକ୍ଷରୁ କୌଣସି ସ୍ଥାନରେ ପାନୀୟ ଜଳ ବିତରଣ କରାଯାଉନଥିବା ବେଳେ କମିଶନରେଟ ପୁଲିସ ପକ୍ଷରୁ ସବୁ ଥାନା ପରିସରରେ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି । ସମ୍ପ୍ରତି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ପଥଚାରୀମାନେ ଶୋଷରେ ଆଉଟୁ ପାଉଟୁ ହୋଇ ପଡ଼ୁଥିବାବେଳେ ଜଗତପୁର ଥାନା ପୁଲିସ ପଥଚାରୀ ଓ ସାଧାରଣ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ସାଙ୍ଗକୁ ତରଭୁଜ ବି ଦେଇଥିଲା ।ା ଜଗତପୁର ଥାନା ଭାରପ୍ରପ୍ତ ଅଧିକାରୀ ରବୀନ୍ଦ୍ର ନାଥ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଏହି ଜଳ ବିତରଣ କେନ୍ଦ୍ର ଦୀର୍ଘ ୮ ଦିନ ହେବ ଖୋଲା ଯାଇଛି । ଯେ ପର୍ଯ୍ୟନ୍ତ ଖରା ଗୁଳୁଗୁଳି ଗରମ ରହିଥିବ ସେ ପର୍ଯ୍ୟନ୍ତ ବାଟୋଇମାନଙ୍କୁ ଥଣ୍ଡା ପାନୀୟ ଜଳ ଦିଆଯିବ ବୋଲି ଶ୍ରୀ ମେହେର କହିଛନ୍ତି । ଏସଆଇ ସୁନିତ କୁମାର ଷଡ଼ଙ୍ଗୀ ଜଳବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ଏପଟେ ପୁଲିସ ପ୍ରଶାସନର ଭାର ଆଉ ସେପଟେ ସମାଜ ସେବା ଭଳି ମହତ କାମ ଏହି ଦୁଇଟି କାମକୁ ଥାନା ପୁଲିସ ଜାରି ରଖି ଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ଜଗତପୁର ଥାନାର ଅନ୍ୟ କର୍ମଚାରୀମାନେ ମଧ୍ୟ ଏହି ଭଳି ମହତ କାର୍ଯ୍ୟରେ ନିଜକୁ ସାମିଲ କରି ଜଳ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା ।