ଜଗତପୁର ଅଞ୍ଚଳ ପ୍ରତି ସିଏମସିର ବୈମାତୃକ ମନୋଭାବ: ନିମ୍ନମାନର ଡ୍ରେନ କାମ ନେଇ କୁହୁଳୁଛି ଅସନ୍ତୋଷ
୩ ମାସ ପରେ ବି ଡ୍ରେନ ଉପରେ ପଡ଼ିଲାନି ସ୍ଲାବ
#ଜଗତପୁର(ଏନ୍.ଏମ୍.): କଟକ ସହରରେ ସମସ୍ତ ଡ୍ରେନଗୁଡ଼ିକ ଉପରେ ସ୍ଲାବ ପଡ଼ିବ । ଆଉ ମୁକୁଳା ଡ୍ରେନ ରହିବ ନାହିଁ ବୋଲି ସିଏମସି ପକ୍ଷରୁ କୁହାଯାଉଛି । ତେଣୁ କଟକ ସହରରେ ଥିବା ସମସ୍ତ ଡ୍ରେନର ମରାମତି ତଥା ସ୍ଲାବ ପକାଇବା ଉପରେ ସିଏମସି କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁରର ୪୮ ଓ ୪୯ ନମ୍ବର ୱାର୍ଡ଼ ପାଇଁ ସିଏମସି କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଯୋଗୁଁ ଅଞ୍ଚଳରେ ଜନଅସନ୍ତୋଷ କୁହୁଳିବାରେ ଲାଗିଛି । ଗୋଟିଏ ପଟେ ଏହି ଅଞ୍ଚଳଟି ସିଏମସ ଅଧିନରେ ଥିଲେ ମଧ୍ୟ ଏଠାରେ ଜନସାଧାରଣଙ୍କୁ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ ହେଉଛି । ସେହିଭଳି ଜଗତପୁର ଗୋଟିଏ ଶିଳ୍ପବହୁଳ ଅଞ୍ଚଳ ହୋଇଥିଲେ ମଧ୍ୟ ଏଥି ପ୍ରତି ସିଏମସିର ଅଣଦେଖା ଯୋଗୁଁ ବହୁ ଶିଳ୍ପଦ୍ୟୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ କରି ଏହି ଅଞ୍ଚଳରୁ ବର୍ଜ୍ୟଜଳ ନିଷ୍କାସନ ନେଇ ସ୍ଥାୟୀ ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ଦୀର୍ଘ ଦିନ ଦାବି ହେବା ପରେ ଯେଉଁ ଡ୍ରେନ ନିର୍ମାଣ ହୋଇଥିଲା ଆଜି ପର୍ଯ୍ୟନ୍ତ ସେଠାରେ ସ୍ଲାବ ପକାଯାଇ ନାହିଁ । ଫଳରେ ଡ୍ରେନ ନିର୍ମାଣ ହେବାର ୩ ମାସ ବିତିଯାଇଥିଲେ ମଧ୍ୟ ଅଞ୍ଚଳବାସୀ ଡ୍ରେନ ଉପରେ ପଟା ପକାଇ ବିପଦଶଙ୍କୁଳ ଅବସ୍ଥାରେ ଯାତୟାତ କରୁଛନ୍ତି । ସେହିଭଳି ଡ୍ରେନ କାମ ଅତି ନିମ୍ନମାନର ହେଉଥିବା ଦେଖି ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ମଧ୍ୟ ସୃଷ୍ଟି ହେଉଛି । ତେବେ ଏହାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ମାନ ଯାଞ୍ଚ କରାଯିବାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ସିଏମସି ଜଗତପୁର ୪୮ନମ୍ବର ୱାର୍ଡ ସ୍ଥିତ ଆଇ.ବି ରୋଡ ଫକିରପୁର ମଙ୍ଗଳା ଗଡା ଠାରୁ ଭୁବନପୁର ପ୍ରର୍ଯ୍ୟନ୍ତ ୩୪ ଲକ୍ଷ ବ୍ୟୟ ଅଟକଳରେ ଏକ ଚଉଡା ଡ୍ରେନ ନିର୍ମାଣ ପାଇଁ ବିନା ରାସ୍ତା ମାପଚୁପରେ ରାସ୍ତାକାମ ଆରମ୍ଭ ହୋଇଥିଲା । ପୁନଶ୍ଚ ବିଭିନ୍ନ ସ୍ଥାନରେ ଦୀର୍ଘ ୩ ମାସ ହେବ କଂକ୍ରିଟ ରାସ୍ତା ଖୋଳା ଯାଇ ରଡ ମଧ୍ୟ ବନ୍ଧା ଯାଇଛି କିନ୍ତୁ କାମ ହୋଇନାହିଁ । ଫଳରେ ଅଞ୍ଚଳବାସୀ ଯାତାୟତ ସମୟରେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ତେବେ ଏଠାରେ ନିମ୍ନମାନର କାମ ହେବା ତଥା ଠିକାଦାର ମାନେ ହରିଲୁଟ ଚଳାଇଥିବାବେଳେ ସିଏମସି କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିବା ରାଜ୍ୟସରକାରଙ୍କ ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ ଉଠାଇଛନ୍ତି । ତେବେ କଟକ ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ଡିଣ୍ଡିମ ପିଟୁଥିବା ମେୟର ଏହି ଅଞ୍ଚଳର ସମସ୍ୟା ସମାଧାନ କରିବାରେ ପଛଘୁଞ୍ଚା ଦେବା ଅଞ୍ଚଳବାସୀଙ୍କୁ ଚକିତ କରିଛି ।