ଛାତରୁ ଦୁଇ କାନ୍ଥ ସନ୍ଧିରେ ଖସିପଡ଼ିଥିବା ଶିଶୁ କନ୍ୟା ଉଦ୍ଧାର: ୬ ଇଞ୍ଚ ଫାଙ୍କରେ ୧୫ଫୁଟ ତଳେ ଫସିଥିଲା କାନ୍ଥ କାଟି ବାହାରକଲେ ଲୋକେ
ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ପୌରାଞ୍ଚଳ ଅନ୍ତର୍ଗତ ତଳବଜାର ଠାରେ ଛାତ ଉପରେ ଖେଳୁଥିବା ବେଳେ ଜଣେ ଶିଶୁ ଦୁଇ କାନ୍ଥ ସନ୍ଧିରେ ଖସି ପଡ଼ିବା ଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳବାସୀ ଓ ଅଗ୍ନିଶମ ବାହିନୀର ଉଦ୍ୟମ ଫଳରେ ଖସିପଡ଼ିଥିବା ଶିଶୁଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯିବା ପରେ ଶିଶୁଟି ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସୁସ୍ଥ ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନ ୪ଟା ସମୟରେ ତଳ ବଜାର ଅଞ୍ଚଳର ଅମରେଶ ସାହୁଙ୍କ ପତ୍ନୀ ୨.୫ବର୍ଷର ଶିଶୁ କନ୍ୟା ସାଇପ୍ରୀୟାକୁ ନେଇ ଛାତ ଉପରେ ଖେଳାଉଥିଲେ । ସେତେକି ବେଳେ ତାଙ୍କ ନିକଟକୁ ଏକ ଫୋନକଲ ଆସିବାରୁ ସେ ଫୋନରେ ବ୍ୟସ୍ତ ରହିଥିବା ସମୟରେ ଶିଶୁ କନ୍ୟାଟି ମୁକୁଳା କୋଠାରୁ ଖସି ଯାଇଥିଲା । ତେବେ ମୁକୁଳା କୋଠା କଡ଼ରେ ଦୁଇ କାନ୍ଥ ମଧ୍ୟରେ ଥିବା ୬ ଇଞ୍ଚ ଫାଙ୍କରେ ଶିଶୁକନ୍ୟାଟି ୧୫ଫୁଟ ତଳେ ଫସି ଯାଇଥିଲା । ଝିଅ ଖସିପଡ଼ିବା ଦେଖି ମା’ ଚିହିରି କାନ୍ଦି ଉଠିବା ଯୋଗୁଁ ନିକଟରେ ଥିବା ଲୋକେ ପାଟି ଶୁଣି ଧାଇଁ ଯାଇଥିଲେ । ଏବଂ ଶିଶୁଟି ଫସି ରହିଥିବା ଜାଣିବା ପରେ ଏହାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଅଞ୍ଚଳବାସୀ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ ମଧ୍ୟ ସେମାନେ ଆସିବାରେ ବିଳମ୍ବ ହେବା ଦେଖି ଡ୍ରିଲ ମେସିନ ଦ୍ୱାରା ଅଞ୍ଚଳଲୋକେ କାନ୍ଥକାଟିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ôଚ ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁ କନ୍ୟାଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଶିଶୁ ଟିକୁ ନିକଟସ୍ଥା ଡାକ୍ତରଖାନାରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ପରିବାର ଲୋକଙ୍କ ଅସାବଧାନତା ଯୋଗୁଁ ଶିଶୁଟି ଖସିପଡ଼ିଥିବା ଅଞ୍ଚଳବାସୀ କହିଥିବାବେଳେ ନିଶ୍ଚିତ ଅଘଟଣରୁ ଶିଶୁଟି ବର୍ତ୍ତି ଯାଇଥିବାରୁ ପରିବାର ସହ ଅଞ୍ଚଳବାସୀ ମଧ୍ୟ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।