ଚୌଦ୍ୱାର ଆଗ୍ରାହାଟରେ ହାତୀ ଆତଙ୍କ

ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଆଗ୍ରାହାଟ ପଞ୍ଚାୟତର କୁଜିବର ଗ୍ରାମ ସ୍ଥିତ ଭରାଣ୍ଡି ହୁଡ଼ାରେ ଦୁଇଟି ଦନ୍ତାହାତୀ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଓଟିଏମ୍ କଲୋନୀ ଠାରୁ ଯାଜଭୈରବ ନୂଆଗାଁ ଦେଇ କୁଜିବରକୁ ଲାଗିଥିବା ଏହି ରାସ୍ତାରେ ଦୈନିକ ବହୁ ଯାତ୍ରୀ ଯିବା ଆସିବା କରୁଥିବାବେଳେ ହାତୀର ଉପସ୍ଥିତି ଯୋଗୁଁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ପ୍ରତି ବର୍ଷ ଏହି ଅଞ୍ଚଳକୁ ଜଙ୍ଗଲୀ ହାତୀ ଆସି ବ୍ୟାପକ ଧନ ଜୀବନ କ୍ଷତି କରିଥାନ୍ତି । ଗତବର୍ଷ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇ ଯାଇଥିଲା । ତେଣୁ ହାତୀ ଆସିବା ଦ୍ୱାରା ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ବନବିଭାଗ ଓ ସ୍ଥାନୀୟ ପୁଲିସ୍ ପ୍ରଶାସନ ଉକ୍ତ ସ୍ଥାନରେ ପହଞ୍ଚି ହାତୀ ଦୁଇଟିଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟ ଜାରି ରଖିଥିବା ବେଳେ ଏମାନଙ୍କ ଭୟରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ଜଣାପଡ଼ିଛି ।