କଟକ(ଏନ୍.ଏମ୍.) ଖଣିଜ ପଦାର୍ଥ ଚୋରା ଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ମାଲଗୋଦାମ ଥାନା ପୋଲିସ ଗିରଫ କରିଛି । ସେମାନେ ହେଲେ ଶିଖରପୁର ଉପର ସାହିର ବିକାଶ ଗୁପ୍ତା(୨୬), ଉତ୍ତରପ୍ରଦେଶର ରାମନୟନ ୟାଦବ(୫୫), ମଙ୍ଗୁଳି ଅଞ୍ଚଳରେ ରହୁଥିବା କଲିକତାର ଲାଲେ ସ(୫୩) । ଏମାନଙ୍କ ଠାରୁ ଗୋଟିଏ ଟ୍ରକ ସହ ୫୦ କ୍ୱିଣ୍ଟାଲ କ୍ରୋମାଇଟ ଜବତ କରିଛି ।
ସୂଚନା ଅନୁଯାୟୀ, ଗୁରୁବାର ଦିନ ପ୍ରାୟ ୧୦ଟା ବେଳେ ଶିଖରପୁର ଅଞ୍ଚଳରୁ ଖଣିଜ ପଦାର୍ଥ ଚୋରା ଚାଲାଣ କରାଯାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସ ଟିମ ତୁରନ୍ତ ପାଟ୍ରୋଲିଂରେ ବାହାରିପଡିଥିଲା । ଏତିକିବେଳେ ସ୍ଥାନୀୟ ଗୁରୁଦ୍ୱାର ନିକଟରେ ଏକ ଟ୍ରକ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ସନେ୍ଦହ ହେବାରୁ ପୋଲିସ ଟିମ ଉକ୍ତ ଟ୍ରକ ପାଖକୁ ମାଲ ପରିବହନ ସଂକ୍ରାନ୍ତରେ ପଚରାଉଚରା କରିଥିଲା । ତେବେ ଯାଞ୍ଚ କରିବାରୁ ଟ୍ରକ ଡାଲାରେ ବସ୍ତା ବସ୍ତା କ୍ରୋମାଇଟ ଭର୍ତ୍ତି ହୋଇରହିଥିଲା । ସେଠାରେ ପୋଲିସ ଟିମ ସେହି ଖଣିଜ ପଦାର୍ଥ ଚାଲାଣ ସଂପର୍କିତ କାଗଜପତ୍ର ମାଗିଥିଲା । କିନ୍ତୁ ଉପରୋକ୍ତ ଅଭିଯୁକ୍ତମାନେ ତାହା ଦେଖାଇ ପାରିନଥିଲେ । ଫଳରେ ପୋଲିସ ଉକ୍ତ କ୍ରୋମାଇଟ ଭର୍ତ୍ତି ଟ୍ରକ ସହ ଅଭିଯୁକ୍ତ ରାମନୟନ, ବିକାଶ ଓ ଲାଲେକୁ ଥାନାକୁ ଆଣିଥିଲା । ତେବେ ତଦନ୍ତ ପରେ ଜଣାପଡିଛି ଯେ, ଦୀର୍ଘ ଦିନ ହେବ ଗିରଫ ଅଭିଯୁକ୍ତମାନେ କ୍ରୋମାଇଟର ଚୋରା ଚାଲାଣ କରୁଥିଲେ । କେନ୍ଦୁଝର, ଯୋଡା ଓ ଅନ୍ୟ ଅଞ୍ଚଳରୁ କ୍ରୋମାଇଟ ପରିବହନ କରୁଥିବା ଟ୍ରକରୁ ସେମାନେ କିଛି କିଛି କାଢି ଦେଉଥିଲେ । ପରେ ତାହାକୁ ଜରି ବସ୍ତାରେ ପ୍ୟାକିଂ କରି ପାରାଦୀପ ଓ ରାଜ୍ୟ ବାହାରକୁ ପଠାଇ ଲକ୍ଷ ଲକ୍ଷ ଟଙ୍କା କମାଉଥିଲେ । ଗୁରୁବାର ପୋଲିସ ଉକ୍ତ ଟ୍ରକରୁ ୫୦ କେଜି ଲେଖାଏଁ ପ୍ରାୟ ୧୦୦ ବସ୍ତା କ୍ରୋମାଇଟ ଜବତ କରିଛି । ଯାହାର ବଜାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । ଏନେଇ ମାଲଗୋଦାମ ପୋଲିସ ଆଇପିସିର ୩୭୯, ୪୧୧, ୩୪ ଦଫା ଏବଂ ୨୧-ଏମଏମଡିଆର ଆକ୍ଟରେ ମାମଲା ରୁଜୁ କରି ଗିରଫ ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଏହି ଚୋରା ଚାଲାଣରେ ଏକାଧିକ ଖଣି ମାଫିଆ ସକି୍ରୟ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏବେ ସେମାନଙ୍କୁ ଧରିବା ଲାଗି ପୋଲିସ ଜୋରଦାର ଉଦ୍ୟମ ଚଳାଇଛି ।