ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ: ଆଠଗଡ଼ ଟାଟା ପାୱାର ନିର୍ବାହୀଯନ୍ତ୍ରୀଙ୍କୁ ସ୍ମାରକପତ୍ର

ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ: ଆଠଗଡ଼ ଟାଟା ପାୱାର ନିର୍ବାହୀଯନ୍ତ୍ରୀଙ୍କୁ ସ୍ମାରକପତ୍ର

ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ: ଆଠଗଡ଼ ଟାଟା ପାୱାର ନିର୍ବାହୀଯନ୍ତ୍ରୀଙ୍କୁ ସ୍ମାରକପତ୍ର

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ବ୍ଲକ ବଳିପୁର ମୌଜାରେ ଥିବା ଏକ ଗୋଚର ଜମିରେ ବିଜୁଳି ଟ୍ରାନ୍ସଫରମର ପ୍ରତିଷ୍ଠା କରାଯିବାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି । ଗୋଟିଏ ପଟେ ଚାରଣ ଭୂମି ହ୍ରାସ ପାଇବା ଯୋଗୁଁ ଗୃହପାଳିତ ପଶୁ ଚରିବା ପାଇଁ ସ୍ଥାନାଭାବ ହେଉଥିବାବେଳେ ସେଠାରେ ବେଆଇନଭାବେ ବିଦ୍ୟୁତ ଟ୍ରାନ୍ସଫରମର ପ୍ରତିଷ୍ଠା କରିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆଠଗଡ଼ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏହାକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି । ସୂଚନା ଅନୁଯାୟୀ ଏହି ତହସିଲ ଅନ୍ତର୍ଗତ ବଳିପୁର ମୌଜା ଖାତା ନମ୍ବର ୬୧ ଓ ପ୍ଲଟ ନମ୍ବର ୧୪୬ ଓ ୧୫୨ ରେ ବେଆଇନ ଦଖଲରେ ଥିବା ୩୮ଏକର ଗୋଚର ଜମିରେ ଦୁଇଟା ଟ୍ରାନ୍ସଫର୍ମର ଲାଗିବାକୁ ନେଇ କୁମାରପୁର ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ସଂକ୍ରାନ୍ତରେ ତହସିଲଦାରଙ୍କୁ ପ୍ରଦତ୍ତ ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଏହି ଗୋଚର ଜମି ଆଠଗଡ଼ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବେଆଇନ ଭାବେ ଦଖଲ କରି ଏକ ଫାର୍ମ ହାଉସ ନିର୍ମାଣ କରିଛନ୍ତି । ସେହି ଫାର୍ମ ହାଉସକୁ ବିଜୁଳି ସଂଯୋଗ ଦେବାକୁ ଟାଟା ପାୱାର କର୍ତ୍ତୃପକ୍ଷ ନୀତି ନିୟମକୁ ଜଳାଞ୍ଜଳି ଦେଇ ଏହି ବିବାଦୀୟ ଗୋଚର ଜମିରେ ଦୁଇ ଦୁଇଟା ୪୦୧୫ ଟ୍ରାନ୍ସଫର୍ମର ପ୍ରତିଷ୍ଠା କରିଛନ୍ତି । ତେବେ ସରକାରୀ ଦଳର ଛତ୍ରଛାୟା ତଳେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହାକୁ ପ୍ରଶାସନ ବିରୋଧ କରୁନାହିଁ । ତେଣୁ ଏହି ପରିପ୍ରେକ୍ଷୀରେ ଯୁବ ସଂଗଠକ ଅଭୟ ବାରିକଙ୍କ ନେତୃତ୍ୱରେ କୁମାରପୁର ଗ୍ରାମପଞ୍ଚାୟତର ବାସିନ୍ଦା ମାନେ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ଦାବିପତ୍ର ଆଠଗଡ଼ ଟାଟା ପାୱାରର ନିର୍ବାହୀଯନ୍ତ୍ରୀ ପବିତ୍ର କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ତଦନ୍ତ କରି ବିବାଦୀୟ ଜାଗାରୁ ବିଜୁଳି ଟ୍ରାନ୍ସଫର୍ମର ଅପସାରଣ କରାନଗଲେ ଗ୍ରାମବାସୀମାନେ ଆଠଗଡ଼ ଟାଟା ପାୱାର କାର୍ଯ୍ୟାଳୟ ନିକଟରେ ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି । ଦାବି ପତ୍ର ପ୍ରଦାଦ ସମୟରେ ଶ୍ରୀ ବାରିକଙ୍କ ସହ ପ୍ରତିନିଧି ଦଳରେ କବି ସାହୁ, ପ୍ରଦୀପ୍ତ ସାହୁ, ପ୍ରତାପ ନାୟକ, ରବୀନ୍ଦ୍ର ସାହୁ, ସୁନୀଲ ସୁତାର ଓ ଯୁବ ସମାଜ ସେବୀ ସରୋଜ ଦାସ ପ୍ରମୁଖ ସାମିଲ ହୋଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ