ଗୁପ୍ତଧନ ବାହାର କରିଦେବା ନାଁରେ ଲୁଟୁଥିଲା ଟଙ୍କା: ଗିରଫ ହେଲା ଠକ ତାନ୍ତ୍ରିକ

ଗୁପ୍ତଧନ ବାହାର କରିଦେବା ନାଁରେ ଲୁଟୁଥିଲା ଟଙ୍କା: ଗିରଫ ହେଲା ଠକ ତାନ୍ତ୍ରିକ

ଗୁପ୍ତଧନ ବାହାର କରିଦେବା ନାଁରେ ଲୁଟୁଥିଲା ଟଙ୍କା: ଗିରଫ ହେଲା ଠକ ତାନ୍ତ୍ରିକ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ସମ୍ପ୍ରତି ସମାଜରେ ବିଜ୍ଞାନ ଯେତେ ଅଗ୍ରଗତି କରୁଛ ଜନସାଧାରଣଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ସେତେ ଜୋର ଧରୁଛି । ଫଳରେ ବହୁ ଲୁଟେରା ବାବା ରୂପରେ ବାକ୍‌ଚାତୁରୀ ବ୍ୟବହାର କରି ଲୁଟପାଟ କରୁଥିବା ଦେଖିବାକୁ ମିଳିଛି । ତେବେ କଟକ ଭଳି ଏକ ଉନ୍ନତ ସହରରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲକ୍ଷାଧିକ ଟଙ୍କା ଲୁଟର ଶିକାର ହୋଇଥିବା ଜଣାପଡ଼ିଛି । ତେବେ ବାବା କଲେ କାବା ବୋଲି ଚର୍ଚ୍ଚା ହେଉଛି । କଟକ ସହରର ମଙ୍ଗଳାବାଗ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଗୁପ୍ତଧନ ରହିଥିବା ନାଟକ ସୃଷ୍ଟି କରି ଏହି ଭଣ୍ଡ ବାବା ଜଣଙ୍କ ତାଙ୍କୁ ୬୦ଲକ୍ଷ ଟଙ୍କାର ଚୂନ ଲଗାଇବା ପରେ ଠକ ତାନ୍ତ୍ରିକର କାରାସାଦି ଜଣାପଡ଼ିଛି । ତେବେ ମଙ୍ଗଳାବାଗ ପୁଲିସ ଉକ୍ତ ଠକ ତାନ୍ତ୍ରିକକୁ ଗିରଫ କରିବା ସହ ତା’ ଠାରୁ ଦାମୀ କାର, ନକଲି ହୀରା, ସୁନା, ରୂପା ଓ ଅନ୍ୟାନ୍ୟ ରତ୍ନ ପଥର ଜବତ କରିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତାନ୍ତ୍ରିକ ମୌଲାନା କୈଫି ଖାନ୍ ଜଣେ ପେସାଦାର ଠକ । ଗୁଣିଗାରେଡି କରି ଘରୁ ଗୁପ୍ତଧନ ବାହାର କରିଦେବ ବୋଲି କହି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା । ଆଉ ତା’ର ସେହି ନାଟକରେ ମଙ୍ଗଳବାଗ ଥାନା ଅଞ୍ଚଳର ଜଣେ ମହିଳା ଫସିଯାଇଥିଲେ । ଘରୁ ଗୁପ୍ତଧନ ବାହାରିବାର ଲୋଭରେ ପଡ଼ି ଠକ ମୌଲାନା କଥାରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ସେ ଅନ୍ଧାର ଘର ଭିତରେ ପୂଜାର୍ଚ୍ଚନା କରୁଥିଲା । ଆଉ ପୂଜାର୍ଚ୍ଚନା ଭିତରେ ତାଙ୍କ ଅନୁପସ୍ଥିତିରେ ସେ ଘର ଭିତରେ ଗାତ ଖୋଳି ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା ପଦାର୍ଥକୁ ପୋତି ଦେଉଥିଲା । ତା’ପରେ ପୋତିଥିବା ସ୍ଥାନରେ ନିୟମିତ ଭାବେ ପୂଜା କରୁଥିଲା । ସେହି ଘର ଭିତରକୁ କାହାକୁ ଛାଡ଼ୁ ନଥିଲା । ପରବର୍ତ୍ତୀ ସମୟରେ ପୂଜା କରି ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାର ଲୋକଙ୍କ ସମ୍ମୁଖରେ ଘର ଭିତରେ ଖୋଳି ପୋତିଥିବା ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା କିଛି ପଦାର୍ଥକୁ ବାହାର କରୁଥିଲା । କିନ୍ତୁ କାହାକୁ ସେ ସବୁ ସାମଗ୍ରୀରେ ହାତ ମାରିବାକୁ ଦେଉନଥିଲା । ଅଧାପୂଜାରେ ହାତ ମାରିଲେ ସେହି ପଦାର୍ଥର ହୀରା ଓ ସୁନା ଗୁଣ ନଷ୍ଟ ହୋଇଯିବ ବୋଲି କୈଫି କହୁଥିଲା । ତେଣୁ ଉକ୍ତ ପଦାର୍ଥକୁ ସୁଦ୍ଧି କରିବାକୁ ପଡ଼ିବ । ସେଥିପାଇଁ କୈଫି ପୂଜା କରୁଥିଲା । ଏମିତି ୮ରୁ ୯ ମାସ ଧରି ତାଙ୍କ ଘରେ କୈଫି ନିୟମିତ ଯାଇ ପୂଜା କରୁଥିଲା । ସେଥିପାଇଁ ପର୍ଯ୍ୟାୟ କ୍ରମେ ସେ ୬୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା । ଆଉ ଗୁପ୍ତ ଧନ ପାଇବା ଆଶାରେ ହାତ ଖୋଲି ଟଙ୍କା ଦେଉଥିଲେ । ମୌଲାନା କୈଫି ଖାନ୍ ବାରମ୍ୱାର ଟଙ୍କା ମାଗୁଥିଲା କିନ୍ତୁ ଗୁପ୍ତ ଧନ ଦେଉନଥିଲା । ଯାହାକୁ ନେଇ ଅତିଷ୍ଠ ପରିବାର ଲୋକ ହୋଇପଡ଼ିଥିଲେ । ତେଣୁ ମୌଲାନାଙ୍କ କାର୍ଯ୍ୟକଳାପ ପ୍ରତି ସନ୍ଦେହ କରିଥିଲେ । ପରେ ସେ ଏନେଇ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୁଲିସ୍ ପ୍ରଥମେ ମୌଲାନାକୁ ହେପାଜତକୁ ନେଇ ଘନଘନ ପଚରାଉଚରା କରିବା ପରେ ପୁଲିସ୍ ତାକୁ ଗିରଫ କରିଛି । ପୁଲିସ ମୌଲାନା ଠାରୁ ନଗଦ ୨ଲକ୍ଷ ୭୬ହଜାର ଟଙ୍କା, ଗୋଟିଏ ବୁଲେଟ୍‌, ଦୁଇଟି ବିଳାଶପୂର୍ଣ୍ଣ, ୭୦ଟି ନୂଆ ମୋବାଇଲ୍‌, ୨୦ଟି ଦାମି ଘଣ୍ଟା, ବ୍ୟାଙ୍କ ପାସବୁକ୍‌, ଚେକବୁକ୍‌, ୧୩ଟି ବୀମା ପଲିସି, ହୀରା ଓ ବ୍ରୋଞ୍ଜ ପରି ଦେଖା ଯାଉଥିବା ପଦାର୍ଥ ଏବଂ ଅନ୍ୟାନ୍ୟ ପଦାର୍ଥ ଜବତ କରିଛି । ଏ ନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଅଭିଯୁକ୍ତ ଜଣେ ପେଶାଦାର ଠକ । ସେ ମଧୁର କଥା କହି ଲୋକଙ୍କ ମନ କିଣୁଥିଲା । ତା’ପରେ ମନ୍ତ୍ରତନ୍ତ୍ର ବଳରେ ଘରେ ଥିବା ଗୁପ୍ତ ଧନ ବାହାର କରିଦେବ ବୋଲି କହୁଥିଲା । ଠକର ସେହି ଚାଲରେ ଲୋକମାନେ ଫସି ଯାଉଥିଲେ । ଠକୁଥିବା ଟଙ୍କାରେ ଗୋଟିଏ ମୋବାଇଲ୍ ଦୋକାନ କରିଥିଲା ସେ ଏମିତି ଅନେକ ଲୋକଙ୍କ ଠାରୁ ଠକିଥିବା ଜଣାପଡ଼ିଛି । କିଛି ଲୋକ ଅଭିଯୋଗ ମଧ୍ୟ କଲେଣି । ଏପରି ବ୍ୟକ୍ତିଠାରୁ ଦୂରେଇ ରହିବାକୁ ଡିସିପି ପରାମର୍ଶ ଦେଇଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ