ଖୁଚୁରା ବିକ୍ରେତାଙ୍କ ସମସ୍ୟା ନେଇ କଟକ ମେୟରଙ୍କୁ ଭେଟିଲା ଡିଲର୍ସ ଆସୋସିଏସନ
#କଟକ(ଏନ୍.ଏମ୍.): କଟକ ରିଟେଲ ଡିଲର୍ସ ଆସୋସିଏସନ ପକ୍ଷରୁ ସିଏମସି ଅଞ୍ଚଳର ସମସ୍ତ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ନେଇ ସିଏମସି ମେୟର ସୁବାସ ଚନ୍ଦ୍ର ସିଂହଙ୍କ ଆଲୋଚନା ହୋଇଛି । ଆସୋସିଏସନର କାର୍ଯ୍ୟକାରୀ ସଭାପତି ସୈୟଦ୍ ଏକ୍ରାମ ହୁସେନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ସାକ୍ଷାତ କରି ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ପ୍ରସଙ୍ଗରେ ଖୁଚୁରା ବିକ୍ରେତା ମାନେ ଗତ ୨୮ମାସ ଧରି ବିନାପାରିଶ୍ରମିକରେ ବଣ୍ଟନ କରିଥିବା ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବଣ୍ଟନ ବାବଦକୁ ପାରିଶ୍ରମିକ ତୁରନ୍ତ ପ୍ରଦାନ, ସାମଗ୍ରୀ ପହଞ୍ଚାଣରେ ବ୍ୟାପକ ଅନିୟମିତତା, ପରିବହନ ଠିକାଦାରମାନଙ୍କ ଧାର୍ଯ୍ୟ ଓଜନ ଠାରୁ କମ୍ ସାମଗ୍ରୀ ପହଞ୍ଚାଣ, ସାମଗ୍ରୀ ଠାରୁ ବଣ୍ଟନ ପର୍ଯ୍ୟନ୍ତ ହେଉଥିବା ସର୍ଟେଜ, ଖୁଚୁରା ବିକ୍ରେତାମାନଙ୍କୁ ୨୫ଲକ୍ଷ ଟଙ୍କାର ବୀମା ସୁରକ୍ଷା ସହ ବିଜୁସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଦାନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହ ତୁରନ୍ତ ଏ ଦିଗରେ ମେୟର ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଚଳିତ ମାସ ୧ତାରିଖରୁ କଟକ ମହାନଗର ନିଗମର ସମସ୍ତ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନେ ଉପରୋକ୍ତ ଦାବି ନେଇ ସାମଗ୍ରୀ ଉଠାଣ ବନ୍ଦ କରି ଦେଇଥିଲେ । ମାନ୍ୟବର ଜିଲ୍ଲାପାଳଙ୍କ ଅନୁରୋଧ ଓ କଟକ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଭର ପ୍ରତିଶ୍ରୁତି ଓ ସିଏମସିର ହଜାର, ହଜାର ଗରିବ ପଡିକାର୍ଡଧାରୀଙ୍କ ଆବଶ୍ୟକତାକୁ ବିଚାର କରି କଟକ ରିଟେଲ ଡିଲର୍ସ ଆସୋସିଏସନ ଚଳାଇଥିବା ସାମଗ୍ରୀ ବଣ୍ଟନ ବନ୍ଦ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ମାତ୍ର କଟକ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ବି ପରିବହନ ଠିକାଦାର ପୂର୍ବବତ ସେମାନଙ୍କ କାର୍ଯ୍ୟକଳାପ ଚାଲୁ ରଖି ଖୁଚୁରା ବିକ୍ରେତା ମାନଙ୍କୁ ସାମଗ୍ରୀ ଯୋଗାଣରେ ଶୋଷଣ କରିଚାଲିଥିବାରୁ ଆସୋସିଏସନ୍ ମେୟରଙ୍କ ନିକଟରେ ଗଭୀର ଉଦବେଗ ପ୍ରକାଶ କରିଥିଲା । ସମସ୍ତ କଥା ଶୁଣିବା ପରେ, ମାନ୍ୟବର ମେୟର ଖୁବଶୀଘ୍ର ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ସହ ସିଏମସି ଲକ୍ଷାଧିକ ପଡିକାର୍ଡ ଧାରୀଙ୍କ ସ୍ୱାର୍ଥକୁ ବଜାୟ ରଖି ସାମଗ୍ରୀ ବଣ୍ଟନ କରୁଥିବା ଖୁଚୁରା ବିକ୍ରେତା ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏକ ମିଳିତ ବୈଠକ ଡାକି ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ସାକ୍ଷାତକାର ସମୟରେ କଟକ ରିଟେଲ ଡିଲର୍ସ ଆସୋସିଏସନର ଉପ-ସଭାପତି ତାପସ କୁମାର ମହାନ୍ତି, ସହସମ୍ପାଦକ ସର୍ବଶ୍ରୀ ବିଜୟ କୁମାର ସାହୁ, ବିନୟ ବୈଶାଖ, ଚନ୍ଦ୍ରମଣି ମହାରଣା, ପ୍ରେମ କୁମାର ସେନ, ଅନ୍ୟାନ୍ୟ କର୍ମକର୍ତ୍ତା ସର୍ବଶ୍ରୀ ଶାରଦା ପ୍ରସନ୍ନ ମହାନ୍ତି, ପ୍ରଶାନ୍ତ ମୁଦୁଲି, ଗୌର ଗୋପାଳ ପଟ୍ଟନାୟକ, ଅଶୋକ ହାଲଦାର, ପ୍ରଶାନ୍ତ ଜେନା, ଲାଲା ଦୀଲ୍ଲୀପ କୁମାର ରାୟ, ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ଆସୋସିଏସନର କାର୍ଯ୍ୟକାରୀ ସଭାପତି ସୈୟଦ ଏକ୍ରାମ ହୁସେନ୍ ଜଣାଇଛନ୍ତି ।