କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ
କଟକ (ଏନ୍.ଏମ୍.): କଟକ ସହରରେ ରହିଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆସିବା ପରେ ଆଜି ସିଏମସି ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । କୋଭିଡ ହସ୍ପିଟାଲରେ ରୋଗୀ ତଥା ସେମାନଙ୍କ ପରିବାର ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ହେବା ପରେ ଅନେକ ସମୟରେ କୋଭିଡ ପରିଚାଳନାକୁ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ସିଏମସି ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି । ସିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି ସହରର ବିଭିନ୍ନ କୋଭିଡ ହସ୍ପିଟାଲରେ ଯାଞ୍ଚ କରିଛନ୍ତି । ସହରରେ ଥିବା ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ କୋଭିଡ ହସ୍ପିଟାଲ, ସୃଷ୍ଟି କୋଭିଡ ହସ୍ପିଟାଲ ଏବଂ ରୁଦ୍ର ହସ୍ପିଟାଲରେ ଅଚାନକ ପହଞ୍ôଚ ଯାଞ୍ଚ କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ଉକ୍ତ ଟିମ ହସ୍ପିଟାଲରେ ପହଞ୍ôଚ ରୋଗୀ ଚିକିତ୍ସା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଖାଦ୍ୟପେୟ ବ୍ୟବସ୍ଥା ବ୍ୟବସ୍ଥା ସମ୍ପର୍କରେ ତଦାରଖ କରିଥିଲେ । ଏଥିସହିତ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ଏଚଡିୟୁ, ଆଇସିୟୁ ଏବଂ ସାଧାରଣ ଶଯ୍ୟା ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିଥିଲେ । ଏହି ଯାଞ୍ଚ ସମୟରେ ରୁଦ୍ର କୋଭିଡ ହସ୍ପିଟାଲରେ ନିର୍ଦ୍ଧାରିତ ଶଯ୍ୟା ସଂଖ୍ୟା ତୁଳନାରେ କମ ସଂଖ୍ୟକ ଶଯ୍ୟା ରହିଥିବା ଜଣାପଡିଛି ବୋଲି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ମୁଖ୍ୟ ପରେଶ କୁମାର ନାୟକ କହିଛନ୍ତି । ଉକ୍ତ କୋଭିଡ ହସ୍ପିଟାଲକୁ ଶଯ୍ୟା ମହଜୁଦ କରି ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଅସୁବିଧା ଦେଖିବା ପରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍କ୍ୱାର୍ଡ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହାସହିତ ରୋଗୀ ସମ୍ପର୍କୀୟମାନଙ୍କୁ ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ ସମ୍ପୃକ୍ତ ହସ୍ପିଟାଲ ପକ୍ଷରୁ ଦିଆଯାନଥିବା ଆଦି ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ସିଏମସି କମିଶନର ଅନନ୍ୟା ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟଙ୍କୁ ପ୍ରଦାନ କରାଯାଇଛି । କମିଶନର ଏବଂ ସିଡିଏମଓ ରିପୋର୍ଟ ଯାଞ୍ଚ କରିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।