କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟା : ସତ୍ରିୟା ଓ ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର
କୋଣାର୍କ(ଏନ୍.ଏମ୍.): ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ କଳାର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୨୧ର ଦ୍ୱିତୀୟ ସନ୍ଧ୍ୟାରେ ଗୌହାଟିର ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ଅନିତା ଶର୍ମା ଓ ଭୁବନେଶ୍ୱରର ନିରଞ୍ଜନ ରାଉତ ଓ ସାଥୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟର ମୁର୍ଚ୍ଛନା କଳାପ୍ରେମୀ ଦର୍ଶକଙ୍କୁ ଆତ୍ମବିଭୋର କରିଥିଲା । ଆଜି ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଗୌହାଟିର ନୃତ୍ୟଶିଳ୍ପୀମାନେ କୃଷ୍ଣ ବନ୍ଦନାର ନୃତ୍ୟ ଆରମ୍ଭ କରି ଚାଲି ନାଚ, ଲୀଳାଗୋବିନ୍ଦମ୍, ଶୁଦ୍ଧନୃତ୍ୟ, ରାଜଘୋରୀୟା, ଚାଲି, ଓ ଗଜେନ୍ଦ୍ର ମୋକ୍ଷ ସମେତ ବିଭିନ୍ନ କଥାବସ୍ତୁକୁ ନିକ୍ଷୁଣ ଭାବେ ନୃତ୍ୟାଭିନୟ ପରିବେଷଶ କରିଥିଲେ । ଦ୍ୱିତୀୟ ଚରଣରେ ଭୁବନେଶ୍ୱରର ନିରଞ୍ଜନ ରାଉତ ଓ ସାଥୀ ନୃତ୍ୟଶିଳ୍ପୀମାନେ ସୂର୍ଯ୍ୟଦେବଙ୍କ ଉପାସନାକୁ ନେଇ ପ୍ରସ୍ତୁତ କରିଥିଲେ ନୃତ୍ୟ ସ୍ତବକ, ଶୁଦ୍ଧ ନୃତ୍ୟ ପଲ୍ଲବୀ ନୃତ୍ୟ । ରାଜ-ଦେଶ, ଓ ଖମଟା ତାଳ ଆଧାରିତ ପଲ୍ଳବୀ ନୃତ୍ୟ ପରିବେଷଣ କରିଥିଲେ ସୂର୍ଯ୍ୟ ବନ୍ଦନା । ଏଥିରେ ଶିଳ୍ପୀମାନେ ସୂର୍ଯ୍ୟଙ୍କ ଉପରେ ଆଧାରିତ ବିଭିନ୍ନ କଥାବସ୍ତୁକୁ ନେଇ ନୃତ୍ୟାଭିନୟ ପରିବେଷଣ କରିଥିଲେ । ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମକୁ ମଞ୍ଚରେ ସଂଯୋଜନା କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି । ମୁକ୍ତାକାଶ ରଙ୍ଗମଞ୍ଚରେ ଆଜି ସନ୍ଧ୍ୟାର ଅତିଥିମାନେ ଥିଲେ ପୋଲିସ ଡିଜି ଅଭୟ ଓ ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ନର୍ଦ୍ଦେଶକ ରଞ୍ଜନ କୂମାର ଦାସ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍ ପ୍ରମୁଖ ଉପସ୍ଥିତ ଥିଲେ । ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ବାଲୁକାକଳା ଉତ୍ସବକୁ କୋଭିଡି କଟକଣା ମଧ୍ୟରେ ଦର୍ଶକମାନେ ଉପଭୋଗ କରୁଛନ୍ତି । ବାଲୁକା ଶିଳ୍ପୀମାନେ ବିଭିନ୍ନ ବିଷୟବସ୍ତୁକୁ ନେଇ ୩୦ଟି ଷ୍ଟଲରେ ବାଲିରେ ଚିତାକଷର୍କ ବାଲୁକା କଳା ପ୍ରସ୍ତୁତ କରୁଛନ୍ତି । ଚଳିତ ବର୍ଷ ଦୁଇଜଣ ବିଦେଶୀ ବାଲୁକା ଶିଳ୍ପୀ ଯୋଗ ଦେଇଥଇବା ବେଳେ ୩୦ଜଣ ମହିଳା ଓ ୬୮ଜଣ ପୁରୁଷ ବାଲୁକା ଶିଳ୍ପୀ ଯୋଗ ଦେଇଛନ୍ତି । ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲୁକା କଳା ପ୍ରଦର୍ଶନୀ ଉତ୍ସବ ଚାଲୁରହିଛି ।