କେନାଲରେ ବୁଡି କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

#ଜଗତପୁର(ଏନ୍.ଏମ୍.): ଗତକାଲି କେନ୍ଦ୍ରାପଡ଼ା କେନାଲରେ ଜଗତପୁର ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର +୨ଛାତ୍ରୀଙ୍କ ଶବ ମିଳିବା ପରେ ଆଜି ଘଟଣାର ଭିନ୍ନ ମୋଡ଼ ନେଇଛି । ସମ୍ପୃକ୍ତ ଛାତ୍ରୀଟି ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ପରିବାର ପକ୍ଷରୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଜଗତପୁର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟା ସମୟରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର +୨ କଳାରେ ପାଠ ପଢୁଥିବା ଜୈନିକା ଛାତ୍ରୀଙ୍କ ମୃତଦେହ ସ୍ଥାନୀୟ କେନ୍ଦ୍ରାପଡ଼ା କେନାଲରେ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ଦେଖି ସ୍ଥାନୀୟ ଲୋକେ ଶବ ଉଦ୍ଧାର କରି ଜଗତପୁର ଥାନାକୁ ଖବର ଦେଇଥିଲେ । ତେବେ ଝିଅର ଆତ୍ମହତ୍ୟା ଘଟଣାକୁ ସହଜରେ ପରିବାର ଲୋକେ ଗ୍ରହଣ କରି ପାରି ନାହାନ୍ତି । ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଜଗତପୁର ଷ୍ଟେସନ ବଜାର ଅଞ୍ଚଳରେ ଦୀର୍ଘ ବର୍ଷ ଧରି ରଶ୍ମୀରଜଂନ ମିଶ୍ର ରହି ଆସୁଛନ୍ତି । ତାଙ୍କ ଝିଅ ଶ୍ରାବଣୀ ମିଶ୍ର (୧୭) ପ୍ରତିଦିନ ପରି ଗତ କାଲି ମଧ୍ୟ କଲେଜକୁ ଯାଇଥିଲା । ପରେ ଅପରାହ୍ନ ପ୍ରାୟ ୧.୩୦ ସମୟରେ ଶ୍ରାବଣୀ ନଜରପୁର ସ୍ଥିତ ତାଙ୍କ ସାଙ୍ଗ ଶୁଭସ୍ମିତାଙ୍କ ଘରକୁ ଆସିଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ । କିନ୍ତୁ ଦିନ ପ୍ରାୟ ୪ଟାରେ ଖବର ପାଇଲେ ଯେ, ତାଙ୍କ ଝିଅ ଶ୍ରାବଣୀର ମୃତ ଦେହ କେନ୍ଦ୍ରାପଡା କେନାଲରେ ଭାସୁଛି । ତେବେ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଁଞ୍ଚିଲା ବେଳକୁ ସ୍ଥାନୀୟ ଲୋକେ ଶ୍ରାବଣୀର ମୃତ ଦେହକୁ କେନାଲରୁ ଉଦ୍ଧାର କରିଛନ୍ତି । ଘଟଣା ସ୍ଥଳରେ ଜଗତପୁର ଥାନା ପୁଲିସ ପହଁଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ଡାକ୍ତର ଖାନାକୁ ପଠାଇଛି । ହେଲେ ଝିଅ ଆତ୍ମହତ୍ୟା କରିବାର କୌଣସି କାରଣ ନଥିବା କିମ୍ବା ତା’ ଠାରେ କୌଣସି ଅସ୍ୱାଭାବିକ ଲକ୍ଷଣ ନଥିବା ଯୋଗୁଁ ସେ କଦାପି ଆତ୍ମହତ୍ୟା କରିନଥିବ ସେ ନେଇ ପରିବାର ପକ୍ଷରୁ ଦାବି କରାଯାଇଛି । ଯାହା ଫଳରେ ତାଙ୍କ ଝିଅକୁ କେହି ହତ୍ୟା କରି ପ୍ରମାଣ ହଜାଇବା ନିମନ୍ତେ କେନାଲରେ ପକାଇ ଦେଇଥିବା ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି । ପରିବାର ପକ୍ଷରୁ ଏଭଳି ଅଭିଯୋଗ ପାଇବା ପରେ ଜଗତପୁର ଥାନା ପୁଲିସ ଦୁଇ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା ଚଳାଇବା ସହ ତଦନ୍ତ ଜାରି ରଖିଥିବା ଆଇଆଇସି ରବୀନ୍ଦ୍ର ମେହେର ସୂଚନା ଦେଇଛନ୍ତି ।