କରୋନା କଟକଣାରେ ପାଳନ ହେବ ରଜ: ଆରମ୍ଭ ହେଲା ପୂର୍ବର ସଜବାଜ

କରୋନା କଟକଣାରେ ପାଳନ ହେବ ରଜ: ଆରମ୍ଭ ହେଲା ପୂର୍ବର ସଜବାଜ

କରୋନା କଟକଣାରେ ପାଳନ ହେବ ରଜ
ଆରମ୍ଭ ହେଲା ପୂର୍ବର ସଜବାଜ


କଟକ(ଏନ୍‌.ଏମ୍‌.): ଆନନ୍ଦ ଉତ୍ସବର ପର୍ବ ରଜ । ଏହା ହିନ୍ଦୁ ଧର୍ମର ଏକ କୃଷି ଭିତ୍ତିକ ପର୍ବ । ଏହି ରଜପର୍ବର ଅବ୍ୟବହିତ ପୂର୍ବରୁ ଆଜି କଟକ ସହରରେ ଆରମ୍ଭ ହୋଇଛି ସଜବାଜ । ଘରେ ଘରେ ପିଠାପଣା ତିଆରି କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ମାତ୍ର ଚଳିତ ବର୍ଷ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜାରିହୋଇଥିବା ଲକ୍‌ଡାଉନ ଓ ସପ୍ତାହାନ୍ତ ସଟ୍‌ଡାଉନ ଯୋଗୁଁ ରଜର ମହକ ହଜିଯାଇଛି । ଏଥର ଦୋକାନବଜର ବନ୍ଦ ରହିବା ଓ ବ୍ୟବସାୟୀଙ୍କ ଠାରୁ କୋଭିଡ କଟକଣା ଖିଲାପ ଅଭିଯୋଗରେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବା ଯୋଗୁଁ ଲୋକେ ନୂଆ ପୋଷାକ ଆଦି କିଣିବାରେ ସମସ୍ୟା ଭୋଗିଛନ୍ତି । ପୁନଶ୍ଚ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଆଉ ଝିଅମାନେ ଏକାଠି ହୋଇ ରଜଦୋଳି ଖେଳିବା କିମ୍ବା ରଜ ମହୋତ୍ସବ ପାଳନ କରିବାରୁ ବଞ୍ôଚତ ରହିବେ । ମୋଟା ମୋଟି ଭାବେ କହିବାକୁ ଗଲେ କରୋନା ରଜର ମଜା ହଜାଇ ଦେଇଛି । ତଥାପି ଲୋକଙ୍କ ମନ ବୁଝୁନାହିଁ । ବାହାରେ କଟକଣା ଜାରି ରହିଥିବାରୁ ଘରେ ରହି ରଜ ମଜା ଉଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ପିଠା ଆଉ ମିଠା ପ୍ରସ୍ତୁତି ପାଇଁ ବିରି, ଚାଉଳ, ନଡ଼ିଆ ଆଦିକୁ ନେଇ ପିଠଉ ତିଆରି ହେଉଥିବାବେଳେ ରଜ ପର୍ବକୁ ଅଧିକ ମଧୁର କରିବା ପାଇଁ ଘରେ ଘରେ ପୋଡ଼ପିଠା ମଧ୍ୟ ତିଆରି ଚାଲିଛି । ଝିଅମାନେ ବିଭିନ୍ନ ପ୍ରସାଧନ ସମାଗ୍ରୀ ଦ୍ୱାରା ନିଜକୁ ଆଭୁଷଣ କରିବା ଆରମ୍ଭ କରିଛନ୍ତି । ରଜ ପର୍ବ ଝିଅମାନଙ୍କ ମୂଖ୍ୟପର୍ବ ହୋଇଥିବାରୁ ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ପ୍ରସ୍ତୁତିରେ ଲାଗିଯାଇଛନ୍ତି ।
ଗ୍ରୀଷ୍ମର ନିଧାଗର ଅନ୍ତଘଟାଇ ଆଶାଢ଼ର ପ୍ରବେଶ ହିଁ ରଜପର୍ବ । ତେଣୁ ଚାଷ କାମ ପାଇଁ ଆରମ୍ଭର ସମୟ । ତେଣୁ ରଜ ୩ଦିନ ପାଳନ ପରେ ଭୂଦହନ ଠାରୁ ଚାଷୀଭାଇମାନେ ଚାଷ କାମରେ ମନୋନିବେଶ କରିଥାନ୍ତି । ଏଥିପାଇଁ ପ୍ରତ୍ୟେକ ଚାଷୀ ଘରେ ନୂଆ ସଜବାଜ ହେବାର ପରମ୍ପରା ରହିଛି । ଏହି ପର୍ବ ୩ ଦିନ ଧରି ପାଳନ ହେଉଥିବାବେଳେ ପ୍ରଥମ ଦିନକୁ ପହିଲି ରଜ ବୋଲି କୁହାଯାଏ । ଏହି ପର୍ବର ପୂର୍ବଦିନକୁ ବଟା-ଘଷା ବା ସଜବାଜ ଭାବେ ଅଭିହିତ ହୋଇଥାଏ । ରଜ ସମୟରେ ବସୁମାତା ରଜସ୍ୱାଳା ହୋଇଥିବାରୁ ଏହି ଦିନ ଧରିତ୍ରୀ ଅର୍ଥାତ ମାଟିକୁ କୌଣସି ଆଘାତ ଲାଗିବା ଭଳି କାର୍ଯ୍ୟ କରାଯାଏ ନାହିଁ । ତେଣୁ ରଜ ପୂର୍ବ ଦିନ ପ୍ରତ୍ୟେକ କାର୍ଯ୍ୟ ଶେଷ କରାଯାଇଥାଏ । ରଜରେ ପିଠା ଓ ମିଠା ଖାଇବାର ପରମ୍ପରା ରହିଛି । ତେଣୁ ଲୋକେ ପିଠା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ପିଠଉ ମଧ୍ୟ ପୂର୍ବ ଦିନରୁ ପ୍ରସ୍ତୁତ କରିଥାନ୍ତି । ହେଲେ ଏବେ ସମୟ ବଦଳିଛି । ଘରେ ଘରେ ଅତି ପରିଚିତ ଶିଳ, ଚକି ଏବେ କାହାଣୀ ପାଲଟିଛି । ବିଦ୍ୟୁତ ଚାଳିତ ଗ୍ରାଇଣ୍ଡର ତଥା ଅନ୍ୟାନ୍ୟ ଉପକରଣ ଯୋଗୁଁ ପାରମ୍ପରିକ ଶିଳ ଚକିର ଆଉ ବ୍ୟବହାର ହେଉନାହିଁ । ତଥାପି ଘରେ ଥିବା ବୁଢ଼ାବୁଢ଼ୀଲୋକଙ୍କ ମନ ମାନୁନି ରଜ ପାଇଁ ଶିଳ ଚକି ଧରି ପିଠଉ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛନ୍ତି । ଏ ସଂକ୍ରାନ୍ତରେ ଯୁବପିଢ଼ିର ମତ ମଧ୍ୟ ବଦଳିଛି । ରଜରେ ଆମେ ଶିଳ ଚକିତ ବ୍ୟବହାର କରୁନୁ ତେଣୁ ପୂର୍ବରୁ କାହିଁକି ପ୍ରସ୍ତୁତି କରିବୁ । ପ୍ରସ୍ତୁତି ବେଶି ସମୟ ରହିଲେ ତାହା ନଷ୍ଟ ହୋଇଯିବ ବୋଲି ମଧ୍ୟ ମତ ଦେଉଛନ୍ତି । ବର୍ଷରେ ଥରେ ଆସୁଥିବା ରଜ ଯେମିତି ମଉଜ ଦେବ ସେଥିପାଇଁ ସେଥି ପାଇଁ ସମସ୍ତେ ବ୍ୟସ୍ତ । ମାତ୍ର ବଟା-ଘଷା ଦିନରେ ପୂର୍ବରୁ ଚାଲୁଥିବା କାର୍ଯ୍ୟ ଏବେ ଆଉ ଦେଖିବାକୁ ମିଳୁନାହିଁ । ଏହି ଭଳି ଆଧୁନିକତାର ଦ୍ୱାହିରେ ଅନେକ ପରମ୍ପରା ଆଜି ହଜିବାକୁ ବସିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ