କମିଶନରେଟ ପୁଲିସର ସଫଳତା: ଚୋରାବନ୍ଧୁକ କାରବାରର ଖୋଲିଲା ଗୁମର, ୪ ବନ୍ଧୁକ ୧୨ରାଉଣ୍ଡ ଗୁଳି ଜବତ
ବିହାରରୁ ବନ୍ଧୁକ ଆଣି କରୁଥିଲେ ବେପାର, ୩ ଗିରିଫ
ଜଗତପୁର(ଏନ୍.ଏମ୍.): କଟକ କମିଶନରେଟ ପୁଲିସକୁ ମିଳିଛି ବଡ଼ ଧରଣର ସଫଳତା । ବିଭିନ୍ନ ଅପରାଧ ନିମନ୍ତେ ବ୍ୟବହୃତ ଚୋରା ବନ୍ଧୁକ ଯୋଗାଉଥିବା ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ତେବେ ଏହି ବନ୍ଧୁକଗୁଡ଼ିକ ବିହାରଣୁ ଆଣି ଏଠାରେ ବିଭିନ୍ନ ଅପରାଧୀମାନଙ୍କୁ ବିକ୍ରି କରାଯାଉଥିବା ସମ୍ପର୍କରେ ପୁଲିସକୁ ମିଳିଛି ତଥ୍ୟ । ବେଆଇନ ଭାବେ ବନ୍ଧୁକ ବିକ୍ରି କରୁଥିବା ୩ ଅପରାଧୀଙ୍କୁ କଟକ କମିଶନରେଟ ପୁଲିସ ଗିରଫ କରିଛି । ଜଗତପୁର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଭାବେ ଚଢ଼ାଉ କରି ଏହି ୩ ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ୪ଟି ବନ୍ଧୁକ ମଧ୍ୟରେ ଗୋଟିଏ ୯ଏମଏମ ପିସ୍ତଲ, ଗୋଟିଏ ୭.୬୫ଏମଏମ ପିସ୍ତଲ, ଗୋଟିଏ ରିଭଲଭର, ସହ ଗୋଟିଏ ହାତ ତିଆରି ପିସ୍ତଲ ସହିତ ୧୨ରାଉଣ୍ଡ ଗୁଳି, ୨ଟି ବାଇକ ଓ ୩ଟି ମୋବାଇଲ ଫୋନ ଜବତ କରାଇଛି । ପୁଲିସ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଶେଖ ବଜାର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ବବୁଆ ଓରଫ ପ୍ରକାଶ ବେହେରା(୪୨) ବନ୍ଧୁକ କାରବାର କରୁଥିବା ସମ୍ପର୍କରେ କଟକ କମିଶନରେଟ ପୁଲିସ ଖବର ପାଇଥିଲା । ଏହା ପରେ ସ୍ପେଶାଲ ସ୍କ୍ୱାଡ୍ ଓ ଜଗତପୁର ଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ବବୁଆକୁ କାବୁ କରିଥିଲେ । ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ୩ଟି ଗୁଳି ଜବତ କରାଯାଇଥିଲା । ପଚରାଉଚରା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଦୟାଲପୁର କୁଟିଳାଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ପିଣ୍ଟୁ ଓରଫ ପ୍ୟାରୀମୋହନ ଦାସ(୪୧) ବନ୍ଧୁକ ରଖିଥିବା ବବୁଆ କହିଥିଲା । ପୁଲିସ୍ ପିଣ୍ଟୁ ନିକଟରୁ ୨ଟି ବନ୍ଧୁକ ଓ ୭ ରାଉଣ୍ଡ ଗୁଳି ଜବତ କରିଥିଲା । ସେହିପରି ବବୁଆର ଆଉ ଜଣେ ସହଯୋଗୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ କେଉଳଗ୍ରାମର ମିହିର କୁମାର ରାୟ(୩୯) ଠାରୁ ପୁଲିସ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରିଥିଲା ପୁଲିସ୍ । କଟକ ଡିସିପି କନୱର ବିଶାଲ ସିଂହଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ଏଠାରେ ବ୍ୟବସାୟ କରିବା ସହ ଅପରାଧ ମଧ୍ୟ ଘଟାଉଥିଲେ । ସମସ୍ତ ଅଭିଯୁକ୍ତ ଏଟିଏମ ଟଙ୍କା ଗାଡି ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା । ଏହି ଗ୍ୟାଙ୍ଗର ଆଉ ୨ସଦସ୍ୟ ଫେରାର ଅଛନ୍ତି । ବବୁଆ ନାଁ ରେ ୧୦ଟି ମାମଲା ଥିବା ବେଳେ ପିଣ୍ଟୁ ନାଁ ରେ ୧୯ଟି ମାମଲା ରହିଛି । ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଡିସିପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି ।