କଟକ ସଦର ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ କଲେ ବରିଷ୍ଠ ମହିଳା ନାଗରିକ
କଟକ(ଏନ୍.ଏମ୍.): ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟିକ ତଥା ଶୃଙ୍ଖଳାଗତ ସେବା ଯୋଗାଇଦେବା ନିମନ୍ତେ କମିଶନରେଟନ ପୁଲିସ ଅନେକ ପଦକ୍ଷେପ ନେଉଛି । ଯାହା ଫଳରେ ଜନସାଧାରଣଙ୍କ ଶ୍ରଦ୍ଧା ଓ ବିଶ୍ୱାସ ଭାଜନ ହେବାରେ ଲାଗିଛି । ଏଥି ସହିତ ବହୁ ସମସ୍ୟାର ସମାଧାନ ନିମନ୍ତେ କମିଶନରେଟ ପୁଲିସ ଅଣ୍ଟାଭିଡିଥିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ହେଲେ କିଛି ଅପାରଗ ଅଧିକାରୀଙ୍କ ଯୋଗୁଁ ଆଜିବି କମିଶନରେଟ ପୁଲିସ ବଦନାମର ବୋଝ ମୁଣ୍ଡାଉଥିବା ଅଭିଯୋଗ ହୋଇଛି । ବିଶେଷ କରି କଟକ କମିଶନରେଟ ପୁଲିସର କାର୍ଯ୍ୟଦକ୍ଷତା ବେଶ ଉଚ୍ଚକୋଟୀର ଥିବାବେଳେ କିଛି ଅଧିକାରୀଙ୍କ ଯୋଗୁଁ ସାଧାରଣ ଗରିବ ଲୋକେ ଏବେ ଅଙ୍ଗୁଳି ଉଠାଇବା ଆରମ୍ଭ କରିଦେଲେଣି । ଏପରିକି ଜଣେ ବରିଷ୍ଠ ମହିଳା ନାଗରିକ ୧୫ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଏତଲାକପି ଦିଆନଯିବା ନେଇ କଟକ ଡିସିପିଙ୍କ ନିକଟରେ ଅଭିଯୋଗ ହୋଇଛି । ତେବେ ଏ ସଂକ୍ରାନ୍ତରେ ଡିସିପି ନିଶ୍ଚୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି ।
ସୂଚନା ଅନୁଯାୟୀ କଟକ ସଦର ଥାନା ଅନ୍ତର୍ଗତ ତେଲେଙ୍ଗାପେଣ୍ଠ ନୂଆଗଡ଼ ଅଞ୍ଚଳର ଟିକମ ସ୍ୱାଇଁ ସ୍ୱାମୀ ସ୍ୱର୍ଗତ ବୈରାଗୀ ସ୍ୱାଇଁ ଆଜି କଟକ ଡିସିପିଙ୍କ ଦ୍ୱାରସ୍ଥ ହେବା ସହିତ କଟକ ସଦର ଥାନାରେ ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ବିଷୟରେ ଫେରାଦ ହୋଇଛନ୍ତି । ଶ୍ରୀମତୀ ସ୍ୱାଇଁ ଡିସିପିଙ୍କୁ ପ୍ରଦତ୍ତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସଦର ଥାନା ଅନ୍ତର୍ଗତ ପୁରୁଣା ନୂଆଗଡ଼ ଅଞ୍ଚଳର କିଛି ବ୍ୟକ୍ତି ତାଙ୍କ ପରିବାରକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥାନ୍ତି । ଏପରିକି ଘରେ କେହି ପୁରୁଷ ଲୋକ ନଥିବାବେଳେ ଘରେ ପଶି ଆକ୍ରମଣ କରିବାକୁ ମଧ୍ୟ ପଛାଇ ନାହନ୍ତି । ତେବେ ଏ ନେଇ ଶ୍ରୀମତୀ ସ୍ୱାଇଁ ଗତ ଏପ୍ରିଲ ୮ତାରିଖରେ କଟକ ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିବା ଯୋଗୁଁ ଆକ୍ରମଣକାରୀମାନେ ଅଧିକ ଉତ୍ପାତ ସୃଷ୍ଟି କରୁଛନ୍ତି । ତେବେ ପୂର୍ବରୁ ମଧ୍ୟ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ନିଷ୍କ୍ରିୟତା ପ୍ରଦର୍ଶନ କରିବା ଯୋଗୁ ଗତ ୨୦୧୮ ମସିହା ଜାନୁଆରୀ ୫ତାରିଖରେ ସେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ କମିଶନ ଏହି ଅଭିଯୋଗକୁ ବିଚାରକୁ ନେଇ ୨୧୯/୨୦୧୮ରେ ଏକ ମାମଲା ରୁଜୁକରି ୨୦୨୧ମସିହା ସେପ୍ଟେମ୍ବର ୫ତାରିଖରେ ପୁଲିସକୁ ରିପୋର୍ଟ ମାଗିଥିବାବେଳେ ଆଜି ପର୍ଯ୍ୟନ୍ତ ପୁଲିସ ଦାଖଲ ନକରିବାରୁ ମାନବାଧିକାର କମିଶନ ରିମାଇଣ୍ଡ ଲେଟର ମଧ୍ୟ ପଠାଇ ଆସନ୍ତା ସେପ୍ଟେମ୍ବର ୫ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଜି ଶ୍ରୀମତୀ ସ୍ୱାଇଁଙ୍କ ଠାରୁ ଏଭଳି ଅଭିଯୋଗ ପାଇବା ପରେ ଡିସିପି ପ୍ରତୀକ ସିଂହ ସଙ୍ଗେସଙ୍ଗେ ଏହାର ତଦନ୍ତ କରିବା ପାଇଁ ଜୋନ-୪ ଏସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।