କଟକ ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ ବେଙ୍ଗ ମହାପାତ୍ରଙ୍କ ପରଲୋକ
କଟକ(ଏନ୍.ଏମ୍.): କଟକ ପୌରପରିଷଦର ଉପନଗରପାଳ ବିଜୟ ମହାପାତ୍ର (ବେଙ୍ଗ)ଙ୍କ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ କନକ, ତିନିପୁତ୍ର ବିଶ୍ୱଜିତ, ସତ୍ୟଜିତ୍ ଓ ଅଜିତ୍, ତିନିଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ଗତ ୧୫ ତାରିଖରେ ତାଙ୍କର ହଠାତ ଉଦର ପୀଡ଼ା ହେବାରୁ ତାଙ୍କୁ ଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ପରଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସିତ ହୋଇ ଗତକାଲି ମେଡିକାଲ୍ରୁ ସେ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ । କିନ୍ତୁ ଆଜି ପୂର୍ବାହ୍ନରେ ତାଙ୍କର ବିୟୋଗ ହୋଇଯାଇଥିଲା । ତାଙ୍କର ମୃତ୍ୟୁ ଖବର ପାଇ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍, ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ମେୟର ନିବେଦିତା ପ୍ରଧାନ, ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ଲଲାଟେନ୍ଦୁ ବଡ଼ୁ, ଶାକ୍ୟସିଂହ ମିଶ୍ରଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ମେରିଆବଜାରସ୍ଥିତ ବାସଭବନକୁ ଯାଇ ଶବଧାରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାରପ୍ରତି ସମବେଦନା ଜ୍ଞାପନ କରିଥିଲେ । ଶ୍ରୀ ମହାପାତ୍ର କଟକ ସହରରେ ବେଙ୍ଗ ଭାଇ ନାମରେ ବେଶ୍ ଜଣାଶୁଣା ଥିଲେ । ସ୍ୱର୍ଗତ ମହାପାତ୍ର ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ କଟକ ପୌରପରିଷଦର ଉପନଗରପାଳ ଥିଲେ । ସେ ୧୯୮୫ ମସିହା ସାଧାରଣ ନିର୍ବାଚନରେ କଟକ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ମହାନଗର ଶାନ୍ତି କମିଟିର ଉପଦେଷ୍ଟା ତଥା ମେରିଆବଜାର ପୂଜା କମିଟିର ଦୀର୍ଘ ଦିନ ସେ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କ ମରଶରୀରକୁ ଏକ ବିରାଟ ପଟୁଆରରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରାଇ ଖାନନଗର ଶ୍ମଶାନଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ବିଶ୍ୱଜିତ ମୁଖାଗ୍ନୀ ଦେଇଥିଲେ । ତାଙ୍କ ବିୟୋଗରେ ମହାନଗର ଶାନ୍ତି କମିଟି ପକ୍ଷରୁ ସମ୍ପାଦକ ଭିକାରୀ ଦାସ, କଟକ ମହାନଗର ନାଗରିକ ମଞ୍ଚର ସଭାପତି ଡାକ୍ତର ରବି ରଞ୍ଜନ ସାହୁ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ସକିଲ, ବିଜେପି ନେତା ଦିଲ୍ଲୀପ ମଲ୍ଲିକ, ରାଜେନ୍ଦ୍ର ପ୍ରଧାନ, ବିଜୟ ଅରିସଲ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମୋବେଦନା ଜ୍ଞାପନ କରାଯାଇଛି ।