କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୭୦ କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): କଟକ ଚଣ୍ଡୀ ମନ୍ଦିରର ବିକାଶ ନିମନ୍ତେ ଆଜି ରାଜ୍ୟସରକାର ୭୦କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ମନ୍ଦିରର ଚତୁଃପାର୍ଶ୍ୱରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରିଟି ଦ୍ୱାର ନିର୍ମାଣ କରାଯିବ । ଏହାସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ନିର୍ମାଣ କରାଯିବ । ମନ୍ଦିର ପରିସରରେ ଖଣ୍ଡାଲାଇଟସ୍ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଓ ସିସିଟିଭି ଲଗାଯିବ । ସେହିଭଳି ବାଟମଙ୍ଗଳା ମନ୍ଦିରର ପୁନଃ ନିର୍ମାଣ କରାଯିବ । ଶ୍ରଦ୍ଧାଳୁମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ । ପୁଲିସ କଣ୍ଟ୍ରୋଲ ରୁମ୍ ସହିତ କ୍ଲୋକ୍ ରୁମ୍‌, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଓ ବ୍ୟାଖାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ । ଏହାସହିତ ଯାତ୍ରୀମାନଙ୍କ ରହିବା ପାଇଁ ଯାତ୍ରୀ ନିବାସ । ବିସ୍ଥାପିତ ଦୋକାନୀମାନଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତମାନଙ୍କ ପାଇଁ ବିଶ୍ରାମ ଗୃହ ସହିତ ଅଫିସ ଗୃହ ଆଦି ନିର୍ମାଣ କରାଯିବ । ଏଥି ସହିତ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ । ଓବିସିସି ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ତେବେ ବର୍ଷକ ମଧ୍ୟରେ ଏହି ସବୁ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ପୁନଶ୍ଚ କଟକ ଚଣ୍ଡୀ ମନ୍ଦିର ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରିଯାନ ଚଳାଚଳ ଶ୍ରଦ୍ଧାଳୁମାନଙ୍କ ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି । ତେଣୁ ଚଣ୍ଡୀମନ୍ଦିର ସମ୍ମୁଖ ରାସ୍ତାକୁ ଡାଇଭର୍ଟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ମନ୍ଦିର ଚଟାଣକୁ ଉଚ୍ଚା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ କଟକ ଚଣ୍ଡୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଓ ସେବାୟତମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସେହିଭଳି କଟକ ସହରର ଶାନ୍ତିକମିଟି ସାଧାରଣ ସମ୍ପାଦକ ଭିକାରୀ ଦାସ ମଧ୍ୟ ରାଜ୍ୟସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଜଣାଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ