କଟକ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ
କରୋନା ଟୀକା ପରିବହନ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ଡ୍ରୋନ
କଟକ(ଏନ୍.ଏମ୍.): କଟକର ସରକାରୀ ଆଇଟିଆଇ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ଅଭିନବ ଡ୍ରୋନ । ଯାହା ଅପହଞ୍ଚ ବା ଉପାନ୍ତ ଅଞ୍ଚଳକୁ କରୋନା ଟୀକା ପହଞ୍ଚାଇବାରେ ବେଶ ସହାୟକ ହେବ ବୋଲି କୁହାଯାଉଛି । ସମ୍ପ୍ରତି କରୋନାକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଟୀକାକରଣ ଉପରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସହରାଞ୍ଚଳରେ ଟିକାକରଣ ବ୍ୟାପକ କରାଯାଉଥିବାବେଳେ ଉପାନ୍ତ ଅଞ୍ଚଳରେ ଟୀକାକରଣ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି । ଉକ୍ତ ଯୋଜନାରେ ସାହାଯ୍ୟ କରିବା ଲାଗି ଡ୍ରୋନର ବ୍ୟବହାର କରାଯିବ । ତେବେ ଯେଉଁ ଅଞ୍ଚଳରେ କୌଣସି ଯାନାବାହାନ ଯାଇପାରିବ ସେଭଳି ଅଞ୍ଚଳରେ ଟୀକାକରଣ କରଣ ଲାଗି ଡ୍ରୋନ ମାଧ୍ୟମରେ କରୋନା ଟିକା ପହଞ୍ଚାଯିବ । ଏଭଳି ଯୋଜନା ନେଇ କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଡ୍ରୋନ । ଏହି ଡ୍ରୋନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଟିକା ପହଞ୍ଚାଇବ । ଏଥିଲାଗି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ନିକଟରେ ଅନୁମତି ପ୍ରଦାନ କରିବାକୁ ଆବେଦନ କରାଯାଇଛି । ଅନୁମତି ମିଳିବା ପରେ ଏହି ସେବା ଖୁବ ଶୀଘ୍ର ଆରମ୍ଭ କରାଯିବ । ଖପୁରିଆ ଆଇଟିଆଇ ଏବଂ ଆଇଜି ଡ୍ରୋନ ନାମକ ଏକ ସଂସ୍ଥା ମିଳିତ ଉଦ୍ୟମରେ ଆଇଟିଆଇ ଲ୍ୟାବରେ ଦୁଇଟି ଡ୍ରୋନ ନିର୍ମାଣ ହୋଇଛି । ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଜ୍ଞାନକୌଶଳକୁ ବ୍ୟବହାର କରି ଛାତ୍ରମାନେ ଏହାକୁ ପ୍ରସ୍ତୁତ କରିଛନ୍ତି । ଗତ କିଛି ଦିନ ପୂର୍ବରୁ ଛାତ୍ର ଏବଂ ପ୍ରଶିକ୍ଷକମାନେ ଏକ ଡ୍ରୋନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଏହାକୁ କେନ୍ଦୁଝରର ଯୋଡା ଏବଂ ବଡବିଲ ଅଞ୍ଚଳରେ ଖଣି ସର୍ବେକ୍ଷଣ କ୍ଷେତ୍ରରେ ବ୍ୟବହାର କରାଯାଇଛି । ଏଥିରେ ବିିଭିନ୍ନ ପ୍ରକାରର ସେନସର ଲଗାଯାଇଛି ଏବଂ ଆରଜିବି କ୍ୟାମେରା ଖଞ୍ଜା ଯାଇଛି । ସେନସର ମାଧ୍ୟମରେ ମାଟି ଉପରେ କ’ଣ ସ୍ଥିତି ରହିଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିଛି । ଫଳରେ ସର୍ବେକ୍ଷଣ କ୍ଷେତ୍ରରେ ସଠିକ ତଥ୍ୟ ମିଳିବା ସହ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରୁଛି । ଖଣିକୁ ବାଦ ଦେଲେ ଏହା ପ୍ରାକୃତିକ ବିପର୍ଯ୍ୟୟ, ଇଣ୍ଡଷ୍ଟ୍ରିଆଲ ଇନ୍ସପେକ୍ଟନ, ବ୍ରିଜ ତଦାରଖ ଏବଂ ଅପରାଧିକ ତଥ୍ୟ ସମ୍ପର୍କିତ ସୂଚନା ପୋଲିସକୁ ଦେବାରେ ଏହି ଡ୍ରୋନ କିପରି ସହାୟକ ହୋଇପାରିଛି ତାହାର ମଧ୍ୟ ପରୀକ୍ଷଣ ସରିଛି । ବର୍ତ୍ତମାନ ଏହି ଡ୍ରୋନକୁ କରୋନା ମହାମାରୀ ସମୟରେ ଟିକାର ନେବା ଆଣିବାରେ ବ୍ୟବହାର କରାଯିବ । ଏହି ଡ୍ରୋନ ଘଣ୍ଟା ପ୍ରତି ୬୦ରୁ ୬୫ କିଲୋମିଟର ବେଗରେ ଯାଇପାରିବା ସହ ନିରବଚ୍ଛିନ୍ନ ଭାବେ ଲଗାତାର ୩ଘଣ୍ଟା ଉଠିପାରିବ । ଏହାର କ୍ଷମତା ୪.୨ କିଲୋଗ୍ରାମ ରହିଛି । ଟିକା ରହିବା ଲାଗି ଡ୍ରୋନରେ ଏକ ବକ୍ସର ବ୍ୟବସ୍ଥା ରହିଛି । ଡ୍ରୋନ କୌଣସି ରିମୋଟ କଣ୍ଟ୍ରୋଲ ଦ୍ୱାରା ପରିଚାଳିତ ହେବ ନାହିଁ । ଏଥିରେ ପୋଗ୍ରାମିଂ ପିକ୍ସ୍ କରାଯିବ । ଡ୍ରୋନ କେତେ ଉଚ୍ଚତାରେ ଉଡିବ, କେତେ କିଲୋମିଟର ଗତି କରିବ ଏବଂ କେଉଁ ସ୍ଥାନକୁ ଯିବ ତାହା ଏହି ପୋଗ୍ରାମିଂରେ ସେଟିଂ କରାଯାଇଥାଏ । ସେହିପରି ଡ୍ରୋନଟି ଲ୍ୟାାଣ୍ଡ କରିବା ସ୍ଥାନର କ’ଣ ସ୍ଥିତି ରହିଛି ତାହା ଅନୁଧ୍ୟାନ କରିବାକୁ ଏକ ହାଇ ରିଜୋଲେସନର କ୍ୟାମେରା ଲଗାଯାଇଛି । ଏହି କ୍ୟାମେରାରେ ଉକ୍ତ ଜାଗାର ସ୍ଥିତି ଅନୁଧ୍ୟାନ କରିବା ପରେ ଏହା ଲ୍ୟାଣ୍ଡ ହୋଇପାରିବ । ଏହାକୁ ନିର୍ମାଣ କରିବାକୁ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଆଇଟିଆଇର ଅଧ୍ୟକ୍ଷ ଡକ୍ଟର ହୃଷିକେଶ ମହାନ୍ତି ସୂଚନା ଦେଇଛନ୍ତି ।