କଟକରେ ପୁଣି ଅଭାବନୀୟ ଘଟଣା : ଟ୍ରଲିରେ ବୁହାହେଲା ଶବ

କଟକରେ ପୁଣି ଅଭାବନୀୟ ଘଟଣା : ଟ୍ରଲିରେ ବୁହାହେଲା ଶବ

କଟକରେ ପୁଣି ଅଭାବନୀୟ ଘଟଣା : ଟ୍ରଲିରେ ବୁହାହେଲା ଶବ


କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟସରକାର ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ କରୁଛନ୍ତି । କିନ୍ତୁ ବିଭିନ୍ନ ବିଭାଗରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ସରକାରୀ ଯୋଜନା ଦିଗହରା ହେବାରେ ଲାଗିଛି । ରାଜ୍ୟସରକାର ଏନ୍ତୁଡିଶାଳଠାରୁ ଶ୍ମଶାନ ପର୍ଯନ୍ତ ରାଜ୍ୟ ସରକାରଙ୍କ ଜନସାଧାରଣଙ୍କ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହାଦ୍ୱାରା ରାଜ୍ୟବାସୀ ବିଶେଷ ଉପକୃତ ହେଉଥିବାବେଳେ ବି ଅନେକଙ୍କ ନିକଟରେ ଏସବୁ ଅପହଞ୍ଚ ହୋଇ ରହିଛି । ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଅପାଗତା ଯୋଗୁ ରୋଗୀଙ୍କୁ ମେଡ଼ିକାଲ ନେବା କିମ୍ବା ଶବ ଶ୍ମଶାନକୁ ନେବା ନେଇ ଚର୍ଚ୍ଚା ସୃଷ୍ଟି ହେଉଛି । ରାଜ୍ୟରେ ଏଭଳି ଏକାଧିକ ଉଦାହରଣ ଥିଲାବେଳେ ଆଜି କଟକ ସହରରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି । ତେବେ କଟକ ମହାନଗର ନିଗମ ଓ ଜିଲ୍ଲାପ୍ରଶାସନର ଅବହେଳା ଯୋଗୁଁ ସରକାରୀ ଯୋଜନା ଦିଗହରା ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ମିଳିଥିବା ସୂଚନା ଅନୁଯାୟୀ ସିଡିଏ ସେକ୍ଟର ୧୦ ଅଞ୍ଚଳରେ ଜଣେ ୧୪ ବର୍ଷିଆ ପୁଅର ଶବକୁ ଘର ଠାରୁ ତା’ର ବାପା ଟ୍ରଲିରେ ବୋହି ସତୀଚଉରା ଶ୍ମଶାନରେ ନେବାକୁ ପଡ଼ିଛି । ଆଜି ପୂର୍ବାହ୍ଣରେ ଏହି ବେଦନାଦାୟକ ଦୃଶ୍ୟ ସତୀଚଉରା ଛକ ଅଞ୍ଚଳରେ ଦେଖିବାକୁ ମିଳିଥିଲା । କଟକ ସହରରେ ଏହା ଆଉ ଏକ ଦାନ ମାଝିର ଚିତ୍ର ବୋଲି ଚର୍ଚ୍ଚା ହେଉଛି । ଟ୍ରଲିରେ ବୋହି ପୁଅର ଶବକୁ ଅନ୍ତିମ ସଂସ୍କାର ପାଇଁ ଆଣୁଥିଲା ଗରିବ ହତଭାଗା ବାପା । ଯାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ । ତେବେ ପାଖାପାଖି ୨କିଲୋମିଟର ଶବକୁ ବୋହି ନେବା ପରେ ଏକ ସ୍ୱେଚ୍ଛାସେବୀ ସଂଗଠନ ଖବର ପାଇ ଆମ୍ବୁଲାନ୍ସ ନେଇ ପହଞ୍ଚିଥିଲେ । ବେଳେବେଳେ ଅଭାବ ଅନଟନ ଯେ ମଣିଷକୁ କେଉଁ ପରିସ୍ଥିତିରେ ଠିଆ କରିଦିଏ ତାହା କେହି ନଦେଖିଲେ ବିଶ୍ୱାସ କରପାରନ୍ତି ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କଟକ ୧୪ ନମ୍ବର ବସ୍ତିର କାଶୀନାଥ ସାହୁ । ତାଙ୍କର ୧୪ ବର୍ଷର ପୁଅ ନାରାୟଣ ସାହୁଙ୍କୁ କିଛିଦିନ ତଳେ କୁକୁର କାମୁଡି ଦେଇଥିଲା । ଏହାପରେ ତାଙ୍କୁ ୩ଟି ଇଞ୍ଜେକ୍ସନ ଦିଆଯାଇଥିଲେ ବି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିଥିଲା । ଏଣୁ ଗତ ଦୁଇଦିନ ତଳେ ତାଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଶିଶୁ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ(ଶିଶୁ ଭବନ)ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଭାଗ୍ୟବଶତଃ ଗତକାଲି ବିଳମ୍ବିତ ରାତ୍ରିରେ ନାରାୟଣଙ୍କ ମୃତ୍ୟୁ ହୋଇଥିଲା । ପୁତ୍ରହରା ପିତା ପାଇଁ ଏହାଥିଲା ଜୀବନର ସବୁଠାରୁ ଦୁଃଖଦ ଘଟଣା । ରାତିରେ କ’ଣ କରିବେ ନକରିବେ କିଛି ଭାବି ପାରିନଥିଲେ । ଶେଷରେ ଟ୍ରଲିରେ ପୁଅର ଶବକୁ ଧରି ତାଙ୍କର ୧୪ନମ୍ବର ବସ୍ତିକୁ ନେଇଯାଇଥିଲେ । ହେଲେ ସେଠାରେ ଅନ୍ତିମ ସଂସ୍କାର ପାଇଁ ସୁବିଧା ନହେବାରୁ ଆଜି ସକାଳୁ ପୁଣି ପୁଅର ଶବ ଧରି ମୃତ ନାରାୟଣଙ୍କ ବାପା,ସାନ ଭାଇ ଓ ସମ୍ପର୍କୀୟାମାନେ ଟ୍ରଲି ଯୋଗେ ବାହାରିଥିଲେ ଶବ ସତ୍କାର କରିବା ପାଇଁ । ନିଜର ଘରଠାରୁ ସତୀଚଉରା ଶ୍ମଶାନ ପାଖାପାଖି ୬ କିଲୋମିଟର ଦୂର । ଏତେ ବାଟ ଗାଡି ଭଡା କିମ୍ବା ଆମ୍ବୁଲାନ୍ସ ଭଡା କରି ଶବକୁ ନେବା ସେମାନଙ୍କ ପକ୍ଷେ ସମ୍ଭବ ନହେବା ଯୋଗୁ ଟ୍ରଲିଟି ପାଲଟିଥିଲା ଏକମାତ୍ର ଭରସା । ଗରିବ ବାପା ପାଇଁ ସରକାରୀ ଆମ୍ବୁଲାନ୍ସ ସେବା ହେଉ ଅବା ମହାପ୍ରୟାଣ ଗାଡି ପାଲଟିଥିଲା ସାତସପନ । ପାଖାପାଖି ଦୁଇ କିଲୋମିଟର ଟ୍ରଲିରେ ଶବକୁ ଆଣିକି ଆସିବା ବେଳେ କିଛି ସହୃଦୟ ବ୍ୟକ୍ତିଙ୍କ ନଜର ଏହି ହୃଦୟ ବିଦାରକ ଦୃଶ୍ୟ ପଡ଼ିଥିଲା । ସେମାନେ ତୁରନ୍ତ ସାବିତ୍ରୀ ଜନସେବା ସଂଗଠନର ବିଭୁତି ରାୟଙ୍କୁ ଯୋଗାଯୋଗ କରିଥିଲେ, ଏହାପରେ ଭାରତୀୟ ସ୍ନେହ ପରିବାରର ସଦସ୍ୟ ଓ ସାବିତ୍ରୀ ଜନସେବାର ମିଳିତ ସହଯୋଗରେ ଶବକୁ ଟ୍ରଲିରୁ ଉଠାଇ ଆମ୍ବୁଲାନ୍ସ ଯୋଗେ ସତୀଚଉରା ଶ୍ମଶାନକୁ ଅନ୍ତିମ ସଂସ୍କାର ପାଇଁ ଅଣାଯାଇଥିଲା । ତେବେ ରାଜ୍ୟରେ ସରକାରୀ ଯୋଜନା ନାରାୟଣଙ୍କ ଭଳି ଗରିବ ଓ ଅଭାବୀ ତଥା ଅଶିକ୍ଷିତ ଲୋକଙ୍କର ପାଇଁ ଆଜି ଉପହାସ ପାଲଟିଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ