କଟକରେ ପୁଣି ଅଘଟଣ: ବାଦାମବାଡ଼ିରେ ଫାଟିଲା ପାଣି ପାଇପ

କଟକରେ ପୁଣି ଅଘଟଣ: ବାଦାମବାଡ଼ିରେ ଫାଟିଲା ପାଣି ପାଇପ

କଟକରେ ପୁଣି ଅଘଟଣ: ବାଦାମବାଡ଼ିରେ ଫାଟିଲା ପାଣି ପାଇପ


#କଟକ(ଏନ୍‌.ଏମ୍‌.): ସମ୍ପ୍ରତି କଟକ ସହରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି । ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ । ଗତ ବୁଧବାରଦିନ ସିଏମସି ଅନ୍ତର୍ଗତ ରାଜାବଗିଚା ଅଞ୍ଚଳରେ ଜନସ୍ୱାସ୍ଥ୍ୟ ବିଭାଗର ପାଣି ଫାଇପ ହଠାତ ଫାଟି ଯିବା ଯୋଗୁଁ ଜଳ ଫୁଆରର ଭ୍ରମ ସୃଷ୍ଟି ହୋଇଥିବାବେଳେ ଆଜି ସଂଧ୍ୟାବେଳେ ବାଦାମବାଡ଼ି ଟ୍ରାଫିକ ଛକରେ ଅନୁରୂପ ଘଟଣା ଘଟିଛି । ଏଠାରେ ମଧ୍ୟ ପୂର୍ବ ଭଳି ଜନଗହଳି ଥିବା ଅବସ୍ଥାରେ ଫାଟିଥିଲା ପାଣି ପାଇପ । ହଠାତ୍ ବଡ଼ ଧରଣର ଶବ୍ଦ କରି ପାଣିପାଇପ ଫାଟିଯିବା ଦ୍ୱାରା ହାଇ ପ୍ରେସରରେ ପାଣି ବାହାରିଥିଲା । ଏପରିକି ୧୫ଫୁଟ ଉଚ୍ଚତାରେ ୧୫୦ଫୁଟ ପର୍ଯ୍ୟନ୍ତ ପାଣି ପଡ଼ୁଥିବା ଦେଖିବାକୁ ମିଳିଥିଲା । ଫଳରେ ସେହି ବାଟ ଦେଇ ଯାଉଥିବା ୨ଜଣ ବାଇକ ଆରୋହୀ ମଧ୍ୟ ପାଣିମାଡ଼ରେ ପଡ଼ି ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଦୀର୍ଘ ସମୟ ଧରି ପାଣି ବାହାରି ବାଦାମବାଡ଼ି ଭଳି ବ୍ୟସ୍ତବହୁଳ ରାସ୍ତାରେ ଟ୍ରାଫିକ ଜାମ ହୋଇ ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳି ନଥିଲା । ତେବେ ସିଏମସି, ଜନସ୍ୱାସ୍ଥ୍ୟ ବିଭାଗ ଓ ଜାଇକା ବିଭାଗର ସମନ୍ୱୟର ଅଭାବ ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅମୃତ ଯୋଜନାରେ ବିଛା ଯାଇଥିବା ପାଇପ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଯୋଗୁଁ ପାଣି ପ୍ରେସର ହେଲେ ତାହା ଫାଟି ଯାଉଥିବା କୁହାଯାଉଥିବାବେଳେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାଇକା ଉପରେ ଦୋଷ ଫିଙ୍ଗି ଆରାମରେ ବସି ଯାଉଛି । ମାତ୍ର ଏ ସଂକ୍ରାନ୍ତରେ ସିଏମସିର କୌଣସି କାର୍ଯ୍ୟାନୁଷ୍ଠାନ ନଥିବା ଯୋଗୁଁ ସହରରେ ଏଭଳି ଅନେକ ସମସ୍ୟା ସୃଷ୍ଟି ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି । ସୁଚନା ଯୋଗ୍ୟ ଯେ, ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅମୃତ ଯୋଜନାରେ ନୂଆ ପାଣି ପାଇପ ବିଛାଯାଉଥିବାବେଳେ ୱାଟ୍‌-କୋ ସଂସ୍ଥା କାମ କରୁଛି । ତେବେ ଅତ୍ୟନ୍ତ ନିମ୍ନମାନର ପାଇପ ପକାଯାଉଥିବା ଯୋଗୁଁ ପାଣି ପ୍ରେସର ହେଲେ ତାହା ଫାଟି ଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ