କଟକରେ ଗୋଦାମ ଓ ଦୋକାନରେ ଗୁଡ଼ି ନଟେଇ ସୂତା ପାଇଁ ଚଢ଼ାଉ
#କଟକ(ଏନ୍.ଏମ୍.): କଟକ ସହରରେ ଗୁଡ଼ି ଉଡ଼ା କାହା ପାଇଁ ଖେଳ ଥିବାବେଳେ କାହା ପାଇଁ କାଳ ସାବ୍ୟସ୍ତ ହୋଇଛି । ବିଗତ ବର୍ଷମାନଙ୍କରେ ଗୁଡ଼ିସୂତା ଯୋଗୁଁ ଏକାଧିକା ଦୁର୍ଘଟଣା ଘଟି ପ୍ରାଣହାନୀ ଘଟିଛି । ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ କଟକରେ ଗୁଡ଼ି ଉଡା ଉପରେ କଟକଣା ଲଗାଇବା ନିମନ୍ତେ ଗତ ଜାନୁଆରୀ ୩ତାରିଖରେ ଏକ ଜନସ୍ୱାର୍ଥମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା । ଆସନ୍ତା ୧୪ତାରିଖ ଦିନ ପବିତ୍ର ମକର ସଂକ୍ରାନ୍ତି ପାଳନ ପରିପ୍ରେକ୍ଷୀରେ କଟକ ସହରରେ ପ୍ରବଳ ଗୁଡ଼ି ଉଡ଼ାଇବାର ସମ୍ଭାବନା ଥିବାରୁ ଏଥି ପୂର୍ବରୁ ଗୁଡ଼ି ଓ ସୂତା ବିକ୍ରୟ ଗୋଦାମ ଉପରେ ପୁରୀଘାଟ ଥାନା ପୁଲିସ ଚଢ଼ାଉ ଆରମ୍ଭ କରିଛି । ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ଗୁଡ଼ି, ନଟେଇ, ସୂତା ବଣ୍ଡଲ ଆଦି ଜବତ କରାଯାଇଛି । ତେବେ ବିଗତ ବର୍ଷ ମାନଙ୍କରେ ପ୍ରାୟ ୮ରୁ ଉର୍ଦ୍ଧ୍ୱ ଲୋକ ଯିବାବେଳେ ବେକରେ ଗୁଡ଼ି ସୂତା ଗୁଡ଼ାଇ କଟି ଯିବା ଯୋଗୁଁ ପ୍ରାଣ ହରାଇଛନ୍ତି । ତେବେ ଏଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ଗୁଡ଼ି ଉଡ଼ା ଉପରେ କଟକଣା ଜାରି କରାଯାଇଛି । ଏଥି ସହିତ ଆଗାମୀ ଦିନରେ କଟକ ସହରର ସମସ୍ତ ଗୁଡ଼ି, ସୂତା ବିକ୍ରି କରୁଥିବା ଦୋକାନରେ ଚଢ଼ାଉ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।