ଓଏସଏସସି ପିଏସ ବିରଞ୍ଚିଙ୍କ ଖୋଲୁଛି ଦୁର୍ନୀତିର ଚେର: ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ କରାଇଛନ୍ତି ୯୦୦ ବୀମା ପଲିସି
ଭୁବନେଶ୍ୱର (ଏନ୍.ଏମ୍.): ବେଆଇନ ଭାବେ ବିପୁଳ ଅଥି ଠୁଳ କରି ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ମାମଲାର ଅଡୁଆ ବଢ଼ିବାରେ ଲାଗିଛି । ତଦନ୍ତ ସମୟରେ ଭିଜିଲାନ୍ସକୁ ବହୁତ ଖିଅ ମିଳିଛି । ବିରଞ୍ଚିଙ୍କ ଦୁର୍ନୀତିର ଚେର ଖୋଳିବା ପାଇଁ ତାଙ୍କୁ ରିମାଇଣ୍ଡରେ ଆଣିବା ପରେ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ପତ୍ନୀଙ୍କୁ ଢାଲ କରି ବିରଞ୍ଚି ବୀମା ବ୍ୟବସାୟ ଚଳାଇଥିବା ଜଣାପଡ଼ିଛି । ତେବେ୧୦ ବର୍ଷରେ ପତ୍ନୀଙ୍କ ଜରିଆରେ ୯୦୦ ବୀମା ପଲିସି କରାଇଥିବା ଭିଜିଲାନ୍ସ ହାତରେ ତଥ୍ୟ ମିଳିଛି । ତାଙ୍କ ପତ୍ନୀ କେତେ କମିଶନ ପାଇଛନ୍ତି, ତାହାର ମଧ୍ୟ ତଦନ୍ତ ହେବ । ରିଟର୍ଣ୍ଣ ଫାଇଲ କରିଛନ୍ତି ନା ନାହିଁ ଆୟକର ବିଭାଗ ତଦନ୍ତ କରିବ ବୋଲି ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି । ସେପଟେ ବିରଞ୍ଚିଙ୍କ ଘରୁ ୧୧୪ଟି ଆଡମିଟ୍ କାର୍ଡ ମିଳିଥିଲା । ସେଥିରୁ ୧୦୭ଟି ଆଡମିଟ୍ କାର୍ଡ ପାଇଥିବା ବ୍ୟକ୍ତି ଚାକିରି କରି ନାହାନ୍ତି । ଅନ୍ୟ ୭ଟି ଆଡମିଟ କାର୍ଡକୁ ନେଇ ଯାଞ୍ଚ ଚାଲିଛି ବୋଲି ଭିଜିଲାନ୍ସ ଏସ୍ପି ଗଣମାଧ୍ୟମକୁ କହିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିରଞ୍ଚି ସାହୁଙ୍କ ଭୁବନେଶ୍ୱର ସ୍ଥିତ ନୀଳାଦ୍ରୀବିହାର ବାସଭବନ, କଟକ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଆଖି ଖୋଲିଦେଲା ଭଳି ସମ୍ପତ୍ତି ଠାବ ହୋଇଥିଲା । ୩ କୋଟି ୭୯ ଲକ୍ଷର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ମିଳିଥିଲା ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ କେଜି ସୁନା ଗହଣା । ଜବତ ସୁନା ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ । ଏଥିସହ ପିଏସ୍ଙ୍କ ୨ଟି ଦୁଇ ମହଲା କୋଠା, ୧୪ଟି ପ୍ଲଟ, ୨ଥର ବିଦେଶ ଗସ୍ତର ଡକ୍ୟୁମେଣ୍ଟ ଠାବ ହୋଇଥିଲା । ଏପରିକି ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ବିରଞ୍ଚି ଝରକାରେ ଟଙ୍କା ବିଡ଼ା ଫିଙ୍ଗି ଦେଇଥିବା ଆଲୋଚନା ହୋଇଥିଲା । ବିରଞ୍ଚିଙ୍କ ଅମାପ ସମ୍ପତ୍ତିର ଖୋଳତାଢ଼ କରିବା ପାଇଁ ଗତ ୩ ତାରିଖରେ ଭିଜିଲାନ୍ସ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ସମୟରେ ତାଙ୍କୁ ଘନଘନ ଜେରା କରାଯାଇଥିଲା । ହେଲେ ବିରଞ୍ଚି କେତେ କଥା ମୁହଁ ଖୋଲି କହିଥିବାବେଳେ ଆଉ କଥା କହିବାକୁ ନାରାଜ ହୋଇଥିଲେ । ସେପଟେ ଆଜି ବିରଞ୍ଚିଙ୍କ ୪ ଦିନିଆ ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।