ଏସସିବି ୱେବସାଇଟ୍ ହ୍ୟାକ୍
କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ (ଏସସିବି)ର ୱେବସାଇଟ ହ୍ୟାକ ହେବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ତେବେ ହ୍ୟାକରମାନେ କଟକ ବଡ଼ମେଡ଼ିକାଲକୁ ଟାର୍ଗେଟ କରି ଏଭଳି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ କଟକ ବଡ଼ ମେଡିକାଲର ୱେବସାଇଟ୍ ହ୍ୟାକ୍ ହୋଇଯାଇଥିଲା । ତେବେ ପ୍ରାୟ ୪ ଘଣ୍ଟାର ପରିଶ୍ରମ ପରେ ଉକ୍ତ ୱେବସାଇଟରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ରିଷ୍ଟୋର କରି ଦିଆଯାଇଛି । ଏଥିଯୋଗ ୱେବସାଇଟ୍ ଦ୍ୱାରା ଚାଲୁଥିବା ଦୈନଦିନ ସେବା ବାଧାପ୍ରାପ୍ତ ହୋଇଥିଲେ ବି ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଆଜି ସକାଳେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ୱେବସାଇଟ୍ ଖୋଲିବା ପରେ ତାହା ହ୍ୟାକ୍ ହୋଇଥିବା ଜଣାପଡ଼ିଥିଲା । ମେଡିକାଲ କଲେଜ ଓ ହସ୍ପିଟାଲର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ୱେବସାଇଟରେ ଥିଲା । ଟେଲି ମେଡିସିନ ସେବା ମଧ୍ୟ ଏହାଦ୍ୱାରା ଯୋଗାଇ ଦିଆଯାଉଥିଲା । ୱେବସାଇଟ୍ ହ୍ୟାକ୍ ହେବା ଜଣାପଡ଼ିବା ପରେ ତତ୍କ୍ଷଣାତ ୱେବସାଇଟ୍ ରିଷ୍ଟୋର କରିବା ଲାଗି ପଦକ୍ଷେପ ନିଆଯାଇଥିଲା । ତେବେ ସାଇବର ଏକ୍ସପର୍ଟଙ୍କ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟର ପରିଶ୍ରମ ପରେ ୱେବସାଇଟକୁ ରିଷ୍ଟୋର କରାଯାଇଛି । ହେଲେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳିନି ।