ଏସସିବିରେ ରୋଗୀ ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଟକ ସୁରକ୍ଷା ମଞ୍ଚ
କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ (ଏସସିବି)ରେ ଅସହାୟ, ନିରାଶ୍ରୟ ରୋଗୀଙ୍କୁ ସେବା, ଚିକିତ୍ସା ଯୋଗାଇବାରେ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନ ବିପଦପୂର୍ଣ୍ଣ ହେବା ସହ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ମୋ କଟକ ସୁରକ୍ଷା ମଞ୍ଚ ଅଭିଯୋଗ କରିଛି । ଏହି ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଅବହେଳା କରିଥିବା ଅଧିକାରୀ, କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ମେଡ଼ିକାଲ ଅଧିକ୍ଷକଙ୍କୁ \”ମୋ କଟକ ସୁରକ୍ଷା ମଞ୍ଚ’ ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏସସିବି ମେଡ଼ିକାଲରେ ଅସହାୟ, ନିରାଶ୍ରୟ ରୋଗୀଙ୍କୁ ସେବା,ଚିକିତ୍ସା ଯୋଗାଇବାପାଇଁ ସରକାର ବ୍ୟାପକ ଅର୍ଥ ବ୍ୟୟ ପରେ ମଧ୍ୟ ଅଧିକାରୀ, କର୍ମଚାରୀଙ୍କ ଅବହେଳାରୁ ସଠିକ ଚିକିତ୍ସା, ସେବା ଯୋଗାଇବା ଦିଆଯାଉ ନଥିବା ବେଳେ କେତେକ ସମୟରେ ରୋଗୀ ୱାର୍ଡରେ ଆଡମିଶନ ପରଦିନ ମେଡ଼ିକାଲର ବାହାରେ ତଳେ ପଡିଥିବା ଦେଖିବାକୁ ମିଳିଛି । ଅନ୍ୟ କେତେକ ରୋଗୀଙ୍କ ଚିକିତ୍ସା ଓ ସଠିକ ତଦାରଖ କରାଯାଉନଥିବା,ଦାୟୀତ୍ୱହୀନତା ଯୋଗୁଁ ରୋଗୀଙ୍କ ମାନବାଧିକାର କ୍ଷୁର୍ଣ୍ଣ ହେଉଛି । ରୋଗୀଙ୍କୁ ଖାଦ୍ୟପାଣି ଯୋଗାଉନଥିବା ନେଇ ରୋଗୀ ୱାର୍ଡରେ ମଧ୍ୟ ପାଣି ପିଇବା ପାଇଁ ଚିତ୍କାର କରୁଛନ୍ତି । ରୋଗୀଙ୍କ ବେଡରେ ବେଡସିଟ୍ ରହୁନାହିଁ, ୱାର୍ଡରେ ରୋଗୀ ମଳତ୍ୟାଗ କରିବା ପରେ ମଧ୍ୟ ସଫାସୁତୁରା ହେଉନାହିଁ । ଯାହାକି ଦୁର୍ଗନ୍ଧରେ ନାକ ଫାଟି ପଡ଼ିବା ସହ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ରହୁଛି । ରୋଗୀଙ୍କ ସେବାପାଇଁ ନିୟୋଜିତ କର୍ମଚାରୀ ରହୁନଥିବା ଯୋଗୁଁ ଅନେକ ରୋଗୀ ଉଲ୍ଲଗ୍ନ ଅବସ୍ଥାରେ ପଡୁଥିବା ସହ ଖାଦ୍ୟପାଣି, ମେଡିସିନ ଯୋଗାଇବାରେ ଅବହେଳା ଯୋଗୁଁ ଅନେକ ରୋଗୀ ମଧ୍ୟ ମୃତ୍ୟୁବରଣ କରୁଛନ୍ତି ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ମେଡ଼ିକାଲ ତରଫରୁ ରୋଗୀଙ୍କୁ ସଫାସୁତୁରା ରଖାଯାଉନଥିବା ଓ ଖାଦ୍ୟ ଯୋଗାଉନଥିବା ଫଳରେ ବିଭିନ୍ନ ସାମାଜିକ ସଂଗଠନ ୱାର୍ଡରେ ଥିବା ଅସହାୟ, ନିରାଶ୍ରୟ ରୋଗୀଙ୍କୁ ଖାଦ୍ୟବଣ୍ଟନ, ଚୁଟି, ଦାଢି କାଟୁଥିବା ଏବଂ ରୋଗୀ ତଳେ ଗଡୁଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ତେଣୁ ଅସହାୟ, ନିରାଶ୍ରୟ ରୋଗୀଙ୍କୁ ଚିକିତ୍ସା, ସେବା ଯୋଗାଇବାରେ ଅବହେଳା କରୁଥିବା ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । ଏଥିସହ ରାଜ୍ୟ ମାନବାଧିକାର ଆୟୋଗ ଓ ମୂଖ୍ୟମନ୍ତ୍ରୀଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ ହେବ ବୋଲି ମଧ୍ୟ ସଭାପତି ଅକ୍ଷୟ ପଣ୍ଡା କହିଛନ୍ତି । ଆଜି ଏହି ଦାବି ପତ୍ର ପ୍ରଦାନ ସମୟରେ ମଞ୍ଚ ଉପଦେଷ୍ଟା ଦେବକୁମାର ନାଥ, ସୁରେଶ ମହାନ୍ତି, ବାସୁଦେବ ଦାସ, ବ୍ରହ୍ମାନନ୍ଦ ଟହଲ, ରାଜେନ୍ଦ୍ର ବେହେରା, ଶ୍ରୀଧର ସେଠୀ ପ୍ରମୂଖ ଉପସ୍ଥିତ ଥିଲେ ।