ଇଡକୋ ଓ ସିଏମସି ମଧ୍ୟରେ କଳି ଶେଷ ହେବ କେବେ: ଇଡକୋ ନୋଟିସ ଦେଖି ଛାନିଆ ବାଲିସାହି ବସ୍ତି ବାସିନ୍ଦା
ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଇଡକୋ ଉଚ୍ଛେଦ ପାଇଁ ନୋଟିସ ମାରିବା ଘଟଣାକୁ ନେଇ ବାଲିସାହି ବସ୍ତି ବାସିନ୍ଦା ଛାନିଆ ହୋଇ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ଇଡ଼କୋ ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବ ନାହିଁ ବୋଲି କହିବା ପରେ ବସ୍ତିବାସିନ୍ଦା ଏବେ ଆତଙ୍କିତ । ଗୋଟିଏ ପଟେ ଇଡକୋ ନିଜ ଜମିରୁ ଜବର ଦଖଲ ଉଚ୍ଛେଦ କରିବାକୁ ବସିଥିବାବେଳେ ସେମାନଙ୍କୁ ଥଇଥାନ ପାଇଁ ସିଏମସିକୁ ଇଡକୋ ଅବଗତ ନକରିବା ନେଇ ଶୀତଳ ଯୁଦ୍ଧ ଚାଲିଥିବା ଆଲୋଚନା ହେଉଛି । ତେବେ ଜଗତପୁର ନୂତନ ଶିଳ୍ପାଞ୍ଚଳରେ ଦୀର୍ଘ ବର୍ଷ ହେବ ଗଢିଉଠିଥିବା ବାଲିସାହି ରହିଆସୁଥିବା ବସ୍ତି ବାସିନ୍ଧା ମାନଙ୍କୁ ତୁରନ୍ତ ମଇ ୧୦ତାରିଖ ଭିତରେ ଘର ଖାଲି କରିବା ପାଇଁ ଇଡକୋ ପକ୍ଷରୁ ନୋଟିସ ଦିଆଯାଇଛି । ସେହି ବସ୍ତିରେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝିଙ୍କ ଘରେ ବି ଲାଗିଛି ଇଡକୋ ନୋଟିସ । ତୁରନ୍ତ ୧୦ତାରିଖ ଭିତରେ ଘର ଖାଲି ନକଲେ ବଳ ପୂର୍ବକ ଘର ଭାଙ୍ଗି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଆଉ ଏପଟେ ଡେପୁଟି ମେୟର ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରିବା ପାଇଁ ଇଡକୋ ଅଧିକାରୀଙ୍କୁ କହିଛନ୍ତି । ତେବେ ଇଡକୋ ନୋଟିସ ମାରିବା ଘଟଣା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସିଏମସି ଅଞ୍ଚଳରେ କୌଣସି ବସ୍ତି ଉଚ୍ଛେଦ ପୂର୍ବରୁ ସିଏମସି ସହିତ ଆଲୋଚନା କରି ନୋଟିସ ଜାରି କରିବା କଥା ବୋଲି ସିଏମସି ଦାବି କରୁଥିଲାବେଳେ ଇଡକୋ ନିଜ ଜମିରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ସିଏମସିର ଅନୁମତି ଦରକାର ନାହିଁ ବୋଲି ଇଡକୋ ଅଧିକାରୀ କହିଛନ୍ତି । ପୁନଶ୍ଚ ଉଚ୍ଛେଦ ପୂର୍ବରୁ ଇଡକୋ ପକ୍ଷରୁ କୌଣସି ପ୍ରକାର ଥଇଥାନ କରିବା ଯୋଜନା ନାହିଁ ବୋଲି ମଧ୍ୟ କୁହାଯାଇଛି । ଏବେ ସରକାରଙ୍କ ଦୁଇ ବିଭାଗ ମଧ୍ୟରେ ଚାଲିଥିବା ଲଢେଇ ଏକ ପ୍ରକାର ରୋଚକ ମୋଡ ନେଉଛି । ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଆସାନି ପାଇଁ ସାମୟିକ ଭାବେ ଉଚ୍ଛେଦ ପ୍ରକିୟା ସ୍ଥଗିତ ରହିଛି । ତଥାପି ସେମାନଙ୍କ ମନରେ ଉଚ୍ଛେଦ ଭୟ ରହିଥିବା ବସ୍ତିବାସିନ୍ଦା କହିଛନ୍ତି । ତେବେ ବସ୍ତି ବାସିନ୍ଦାଙ୍କ ସାହା ଭରସା ପାଲିଟି ଯାଇଥିବା ବସ୍ତି ଝିଅ ପିଙ୍କି ତଥା ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ଉପରେ ଦୃଢ ବିଶ୍ୱାସ ରଖିଛନ୍ତି । ଡେପୁଟି ମେୟର ଦମୟନ୍ତୀ ଇଡକୋ ବିଭାଗର କାର୍ଯ୍ୟକୁ ବିରୋଧ କରାଯାଉ ନାହିଁ କିନ୍ତୁ ବସ୍ତି ବାସିନ୍ଦାଙ୍କ ଘର ଭାଙ୍ଗିଲେ ସେମାନେ କୁଆଡେ ଯିବେ କ’ଣ କରିବେ ଓ କୋଉଠି ରହିବେ ବୋଲି କହିଛନ୍ତି । ସେ ପୁଣି କହିଛନ୍ତି ଯେ, ସେଥିପାଇଁ ପ୍ରଥମେ ସେମାନଙ୍କୁ ଥଇଥାନ କରାଯାଉ ତା’ପରେ ଉଚ୍ଛେଦ କରିବେ । ନିଜ ବସ୍ତି ମାଟିର ଝିଅ ଦମୟନ୍ତି ତାଙ୍କ ପଡୋଶୀମାନଙ୍କ ପାଇଁ ଅଣ୍ଟା ଭିଡିଛନ୍ତି । ଏହି ଇଡକୋ ଓ ସିଏମସିର ଲଢେଇ ଭିତରେ ବିରୋଧି ଦଳ ବିଜେପି ଓ କଂଗ୍ରେସ ସଜବାଜ ହେଉଥିବା ଜଣାପଡ଼ିଛି । ବାତ୍ୟା (ଆସାନି) ଯୋଗୁ ଏହି ବସ୍ତି ଉଚ୍ଛେଦ ସ୍ତଗିତ ରଖାଯାଇଥିଲେ ବି କେେବେଳେ କ’ଣ ହବ କେହି କହିପାରୁ ନାହାଁନ୍ତି । ଆଉ ଏପଟେ ସାଧାରଣ ଲୋକେ କହୁଛନ୍ତି ଯେ, ଯଦି ବିଜେଡି ଡେପୁଟି ମେୟର ଘର ଉଚ୍ଛେଦ ପାଇଁ ନୋଟିସ ଲାଗୁଛି । ତାହାଲେ ଅନ୍ୟ ସାଧାରଣ ବସ୍ତି ଲୋକଙ୍କୁ ପଚାରେ କିଏ? ଇଡକୋ ପକ୍ଷରୁ ଡେପୁଟି ମେୟରଙ୍କ ଘରେ ନୋଟିସମରା ଘଟଣା ସାରା କଟକ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ତେବେ ଏ ନେଇ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ଉଚ୍ଛେଦ ହେବାକୁ ଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ବସ୍ତିବାସିନ୍ଦା ନିବେଦନ କରିଛନ୍ତି ।