ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହେଲା ଐତିହାସିକ ଚୌଦ୍ୱାର ରୂପଯାତ୍ରା
ଚୌଦ୍ୱାର (ଏନ୍.ଏମ୍.): ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି ଚୌଦ୍ୱାର ଅଞ୍ଚଳର ଐତିହାସିକ ରୂପଯାତ୍ରା । ଚୌଦ୍ୱାର ଅଞ୍ଚଳ ସମେତ ଆଖପାଖ ଅଞ୍ଚଳର ମଣ୍ଡପରୁ ବିଭିନ୍ନ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କ ସମାବେଶ ଜନସାଧାରଣଙ୍କ ମଧ୍ୟରେ ବେଶ ଭାବାବେଗ ଆଣିଦେଇଥିଲା । ଚଳିତ ବର୍ଷ ଅଞ୍ଚଳର ୪୩ଟି ମଣ୍ଡପରୁ ମୃଣ୍ମୟୀ ମୂର୍ତ୍ତି ଚୌଦ୍ୱାର ରୂପଯାତ୍ରା ପଡ଼ିଆରେ ଏକତ୍ରିତ ହେବା ପରେ କ୍ରମାନୁଯାୟୀ ଭସାଣି ଶୋଭାଯାତ୍ରାରେ ବାହାରିଥିଲେ । ବିଭିନ୍ନ ବାଦ୍ୟର ତାଳେ ତାଳେ ଆବାଳ ବୃଦ୍ଧବନିତା ମୂର୍ତ୍ତିମାନଙ୍କୁ ମଣ୍ଡପକୁ ନେବା ଏବଂ ଭସାଣି ଶୋଭାଯାତ୍ରା ପରେ ବିସର୍ଜନ କରିବାରେ ସାମିଲ ହୋଇଥିଲେ । ପବିତ୍ର ଦଶହରାରେ ବିଭିନ୍ନ ସ୍ଥାନରେ ମା’ ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥିବାବେଳେ କୁମାରପୂର୍ଣ୍ଣମୀ ତିଥିରେ ଲକ୍ଷ୍ମୀଙ୍କ ସମେତ ହନୁମାନ, ରାଧାକୃଷ୍ଣ, ହରପାର୍ବତୀ ଆଦି ମୂର୍ତ୍ତିଙ୍କ ପୂଜା ହୋଇଥିଲା । ତେବେ ଏହିସବୁ ମଣ୍ଡପରୁ ମୂର୍ତ୍ତିମାନଙ୍କୁ ସୁସଜ୍ଜିତ ରୋଷଣୀ ଦ୍ୱାରା ଶୋଭାଯାତ୍ରାରେ ପଡ଼ିଆକୁ ଅଣାଯାଇଥିଲା । ପରଦିନ ପୂର୍ବାହ୍ନରୁ ମୂର୍ତ୍ତିମାନଙ୍କୁ ଶୋଭାଯାତ୍ରାରେ ଭସାଣି ଅଭିମୁଖେ ନିଆଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ଚୌଦ୍ୱାର ଥାନା ଅଧିନରେ ୧୮ପ୍ଲାଟୁନ ଫୋର୍ସ ସହ ବହୁ ଅଧିକାରୀ ସାମିଲ ହୋଇଥିଲେ । ତେବେ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଚୌଦ୍ୱାର ରୂପଯାତ୍ରା ପାଳନ ହୋଇପାରିନଥିବାବେଳେ ଚଳିତବର୍ଷ ବେଶ ଯାକଯମକରେ ଏହା ଅନୁଷ୍ଠିତ ହୋଇ ଯାଇଛି ।
ପିଲାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିଭିନ୍ନ ଦୋଳିର ମଜା ନେଉଥିବାବେଳେ ଦେଶୀ ବିଦେଶୀ ଖାଦ୍ୟର ଚାହିଦା ମଧ୍ୟ ବେଶ ଦେଖିବାକୁ ମିଳିଥିଲା । ଚାଟ, ଗୁପଚୁପ ଠାରୁ ଆରମ୍ଭ କରି ଠୁଙ୍କାପୁରି ଯାତ୍ରାରେ ବୁଲୁଥିବା ଜନସାଧାରଣଙ୍କୁ ଆକୃଷ୍ଟ କରିଥିଲା । ଏପରିକି ଠୁଙ୍କାପୁରୀ କାରିଗରର ଷ୍ଟାଇଲସ ମେକିଂ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ ଜମିଥିଲା । କେବଳ ସେତିକି ନୁହେଁ ରୂପଯାତ୍ରାରେ ଲାଗିଥିବା ବିଭିନ୍ନ ଷ୍ଟଲରେ ଗହଳି ଦେଖିବାକୁ ମିଳିଥିବାବେଳେ ବିଶେଷ କରି ମହିଳାମାନଙ୍କ ଭିଡ ମନୋହରୀ ଷ୍ଟଲରେ ଲାଖି ଯାଇଥିଲା । ତେବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ପ୍ରତିକୂଳ ପରିସ୍ଥିତିରେ ରୂପଯାତ୍ରା ହୋଇଥିଲେ ମଧ୍ୟ ଲୋକଙ୍କ ଭିତରେ ବର୍ଷାକୁ ଖାତିର ନଥିବା ଦେଖିବାକୁ ମିଳିଥିଲା । ଭସାଣି ଶୋଭାଯାତ୍ରାରେ ବିଭିନ୍ନ ବ୍ରାସ ପାର୍ଟିର ସଂଗୀତରେ ପିଲାଙ୍କ ଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ବର୍ଷାରେ ଭିଜି ଭିଜି ନାଚିବାର ଦୃଶ୍ୟ ବେଶ ମନମୁଗ୍ଧକର ହୋଇଥିଲା । ତେବେ ଏହି ରୂପଯାତ୍ରାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ପିପୁଲ୍ସ ୱେଲଫେୟାର ସୋସାଇଟର କର୍ମକର୍ତ୍ତା ଏବଂ ଚୌଦ୍ୱାର ପୌରପାଳିକା ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପନଗରପାଳ ଶୁଭେନ୍ଦୁ ସାମଲ, ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ତତ୍ପରତା ଦେଖିବାକୁ ମିଳିଥିଲା । ତେବେ ରୂପଯାତ୍ରାର ଆରମ୍ଭରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଚୌଦ୍ୱାର ଅଞ୍ଚଳର ସମସ୍ତ ମଣ୍ଡପ ପରିଦର୍ଶନ କରିବା ସହ ସୂଚନା କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ଏହି ରୂପଯାତ୍ରା ପ୍ରାୟ ୧ଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅନୁଷ୍ଠିତ ହେଉଥିବାବେଳେ ପ୍ରତିବର୍ଷ ଏହାର କଳେବର ବୃଦ୍ଧି ପାଇବା ଯୋଗୁଁ କଟକ ଜିଲ୍ଲା କାହିଁକି ରାଜ୍ୟର ବିଭିନ୍ନ କୋଣ ଅନୁକୋଣର ଲୋକେ ଏଠାକୁ ଚିତ୍ତବିନୋଦନ କରିବାକୁ ଧାଇଁ ଆସିଥାନ୍ତି ।