ଆଠଗଡ଼ ନୂତନ ବସଷ୍ଟାଣ୍ଡ ଉଦ୍ଘାଟକ କଲେ ଦୁଇ ମନ୍ତ୍ରୀ
#ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ନୂତନ ବସ ଷ୍ଟାଣ୍ଡର ଉଦ୍ଘାଟନ । ଦୀର୍ଘର୍ ବର୍ଷ ଧରି ନୂତନ ବସଷ୍ଟାଣ୍ଡ ପାଇଁ ଦାବି ହୋଇ ଆସୁଥିବାବେଳେ ଆଜି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ବସଷ୍ଟାଣ୍ଡ ଉଦ୍ଘାଟନୀ ଉତ୍ସବରେ ଅଞ୍ଚଳବାସୀ ଅତିଥିମାନଙ୍କୁ ବହୁ ଆଡମ୍ବରପୂର୍ଣ୍ଣ ଭାବେ ପାଛୋଟି ନେଇଥିଲେ । ତେବେ ଆଠଗଡ଼ରୁ ବିଭିନ୍ନ ଅଞ୍ଚଳକୁ ଗମନାଗମନ କରିବା ପାଇଁ ବସ ଏକମାତ୍ର ମାଧ୍ୟମ ହୋଇଥିବାବେଳେ ଆଜି ନୂତନ ବସଷ୍ଟାଣ୍ଡର ଉଦ୍ଘାଟନ ହୋଇଯାଇଛି । ଦୀର୍ଘ ବର୍ଷ ଧରି ଆଠଗଡ଼ ବସଷ୍ଟାଣ୍ଡଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ନୂତନ ବସଷ୍ଟାଣ୍ଡ ଅଞ୍ଚଳବାସୀଙ୍କ ପାଇଁ ଜୀବନରେଖା ପାଲଟିବ । ଏହି ବସଷ୍ଟାଣ୍ଡକୁ ନିର୍ଭର କରି ଛୋଟବଡ଼ ବ୍ୟବସାୟ କରି ବହୁ ବ୍ୟବସାୟୀ ଗୁଜୁରାଣ ମେଣ୍ଟାଇବା ସହ ଅଞ୍ଚଳର ବହୁ ଲୋକ କଟକ, ଭୁବନେଶ୍ୱର, ଢେଙ୍କାନାଳ ଆଦି ଅଞ୍ଚଳକୁ ଗମନାଗମନ କରିବା ପାଇଁ ଅଧିକ ସୁବିଧା ହେବ । ତେବେ ଯାତ୍ରୀମାନଙ୍କ ବିଶ୍ରାମ ତଥା ଅପେକ୍ଷା ପାଇଁ ଏହି ବସଷ୍ଟାଣ୍ଡଟି ବେଶ ଉପାଦେୟ ହୋଇ ପାରିବ ବୋଲି ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି ।
ବହୁ ପ୍ରତୀକ୍ଷିତ ଆଠଗଡ ନୂତନ ବସ ଷ୍ଟାଣ୍ଡର ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ନଗରଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ସଡକ ପରିବହନ ନିଗମର ପରିଚାଳକ ବିଶିକେଶନ ଦେହୁରୀ, ଆଠଗଡ଼ ଉପଜିଲ୍ଲପାଳ ହେମନ୍ତ କୁମାର ସ୍ୱାଇଁ, ଆଠଗଡ଼ ପୌର ଅଧ୍ୟକ୍ଷା ସସ୍ମିତା ରାଉତ ଓ ଉପ ପୌର ଅଧ୍ୟକ୍ଷ ବି.ଶୁଭ୍ର ଶଙ୍କର ଜ୍ୟୋତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୩ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟରେ ବସ ଷ୍ଟାଣ୍ଡର ନିର୍ମାଣ ହୋଇଛି ।