ଭୁବନେଶ୍ୱର (ଏନ୍.ଏମ୍.): ଚଳିତ ମେ ମାସ ୨୬ତାରିଖ ବେଳକୁ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ପୁଣି ଏକ ବାତ୍ୟା ଆସିବାର ସମ୍ଭାବନା ରହିଛି । ଏ ନେଇ ଆଇଏମଡି ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ସମ୍ପର୍କରେ ସୂଚନା ଦିଆଯାଇଛି । ଏବେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏ ନେଇ ଆଇଏମଡି ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ । ୨୫ ତାରିଖ ସୁଦ୍ଧା ଏହି ଲଘୁଚାପ ବାତ୍ୟାର ରୂପ ନେବ । ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ । ତେବେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଶ୍ରୀ ମହାପାତ୍ର ପୁଣି କହିଛନ୍ତି ଯେ, ବର୍ତ୍ତମାନର ଆକଳନ ଅନୁଯାୟୀ, ୨୬ ତାରିଖ ସକାଳେ ଏହା ଉପକୂଳ ଆଡ଼େ ମୁହାଁଇବ । ତେବେ କେଉଁଠି ଉପକୂଳ ଛୁଇଁବ ଏବେ ଠୁ କହିବା ସମ୍ଭବ ନୁହେଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ସଠିକ ଆକଳନ କରାଯାଇପାରିବ । ଅନ୍ୟପକ୍ଷରେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ନିଶ୍ଚିତ ପଡ଼ିବ ବୋଲି କହିଛନ୍ତି ଆଇଏମଡି ମହାନିଦେ୍ର୍ଦଶକ । ସେ କହିଛନ୍ତି, ଏହାର ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ । ତେଣୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସେ ସତର୍କ କରିଛନ୍ତି । ସେ କହିଛନ୍ତି ଯେ, ମତ୍ସ୍ୟଜୀବୀମାନେ ମେ’ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯାଆନ୍ତୁ ନାହିଁ । ସେହିପରି ୨୪ରୁ ୨୭ ଯାଏ ଉତ୍ତର ବଙ୍ଗୋପସାଗରକୁ ସେ ପରାମର୍ଶ ଦେଇଛନ୍ତି ।