ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଅବସ୍ଥାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର
ଜଗତପୁର(ଏନ୍.ଏମ୍.): ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଭାବେ ପଡ଼ିରହିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର । କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଜଗତପୁର ନିମପୁର ଠାରେ ୨୦୧୨ ମସିହାରେ ଏକ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିପାଇଁ ୪ ଲକ୍ଷ ୨୫ ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ପରେ କଟକ ସଦର ବ୍ଲକକୁ ଏହାର ନିର୍ମାଣ କାର୍ଯ୍ୟ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ପରିତାପର ବିଷୟ, ଏହି ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ଇତି ମଧ୍ୟରେ ୧୦ ବର୍ଷ ବିତିବାକୁ ବସିଲାଣି । ହେଲେ ଏହା କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ଅଧାପନ୍ତରିଆ ଭାବେ ପଡିରହିଛି । ଏହି ଗୃହଟି ଏବେ ନିରାଶ୍ରୟଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଛି । ଏପରିକି ସେଠାରେ ବିଭିନ୍ନ ଘରୋଇ ଉପକରଣ ରଖାଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।
ସୂଚନା ଅନୁଯାୟୀ, ନିମପୁର ସ୍ଥିତ ଶ୍ରୀ ଶ୍ରୀ କୃଷ୍ଣେଶ୍ୱର ମନ୍ଦିରର ଏକ ଗୃହକୁ ଭଡାରେ ନିଆଯାଇ ବିଭିନ୍ନ ଅଞ୍ଚଳର ପ୍ରାଣୀମାନଙ୍କୁ ଜଣେ ଏଲ୍.ଆଇଙ୍କ ଦ୍ୱାରା ଚିକିତ୍ସିତ କରାଯାଉଛି । କିନ୍ତୁ ପ୍ରାଣୀମାନଙ୍କ ସେବାକୁ ବୃଦ୍ଧି କରିବା ନିମନ୍ତେ ଗୋସମ୍ପଦ ବିଭାଗ ପକ୍ଷରୁ ଏକ ସରକାରୀ ଜମି ଚିହ୍ନଟ କରାଯାଇ ନିମପୁରଠାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ୨୦୦୯-୧୦ ଆର୍ଥିକ ବର୍ଷରେ ଚିକିତ୍ସାକେନ୍ଦ୍ରର ଶିଳାନ୍ୟାସ କରାଯାଇ ୨୦୧୨ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କେନ୍ଦ୍ରଟି କାର୍ଯ୍ୟକ୍ଷମ ହେଲେ ଜଗତପୁର ସମେତ ଟାଙ୍ଗୀ, ଚୌଦ୍ୱାର ଓ ସାଲେପୁର ବ୍ଲକର କେତେକ ପଞ୍ଚାୟତର ପ୍ରାଣୀମାନଙ୍କର ମାଲିକ ଏଥିରେ ଉପକୃତ ହେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହି ଅଧାପନ୍ତରିଆ ଚିକିତ୍ସାକେନ୍ଦ୍ରକୁ ୧୦ ବର୍ଷ ବିତିବାକୁ ବସିଥିବାବେଳେ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏ ସମ୍ପର୍କରେ କଟକ ସଦର ବିଡିଓ ରାଜୀବ ଲୋଚନ ପରିଡାଙ୍କୁ ପଚାରିବାରେ ଏହି ଚିକିତ୍ସା କେନ୍ଦ୍ର ପାଇଁ ଯେଉଁ ଅର୍ଥ ଅନୁଦାନ ମିଳିଥିଲା ତାହା ଖର୍ଚ୍ଚ ହୋଇସାରିଛି । ବର୍ତ୍ତମାନ କଟକ ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ବିଭାଗୀୟ ଅଧିକାରୀଙ୍କୁ ବଳକା ଅର୍ଥ ପ୍ରଦାନ କରିବାକୁ ଚିଠି ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ ଅର୍ଥ ଆସିବା ପରେ ଏହାକୁ ସମ୍ପୂର୍ଣ୍ଣ କରାଯାଇପାରିବ ବୋଲି ସେ କହିଛନ୍ତି ।