ଅଂଶୁଘାତ ମୁକାବିଲା ପାଇଁ ସିଏମସିର ଆକ୍ସନ ପ୍ଲାନ୍
#କଟକ(ଏନ୍.ଏମ୍.): ଅଂଶୁଘାତ ମୁକାବିଲା ପାଇଁ ସିଏମସି ପକ୍ଷରୁ ସ୍ଥାନୀୟ ବିଜୁ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେୟର ସୁବାସ ସିଂ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ସିଏମସି କମିଶନର ନିଖିଲ ପୱନ କଲ୍ୟାଣଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସିଏମସିର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ପ୍ରବଳ ଖରାର ସମ୍ଭାବନାକୁ ଆଖିରେ ରଖି ସତର୍କତା ଅବଲମ୍ବନ ନିତାନ୍ତ ଜରୁରୀ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ବିଶେଷକରି ସେଥିନେଇ ତୁରନ୍ତ ୨୪ ଘଣ୍ଟିଆ ସେବା ଯୋଗାଇଦେବାକୁ ଏକ କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିପରି ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ୍ ପାଉଡର ଓ ସାଲାଇନ୍ ମହଜୁଦ ରଖିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଅଂଶୁଘାତରେ ପୀଡିତ ବ୍ୟକ୍ତିବିଶେଷଙ୍କୁ ସହରର ଯେକୌଣସି ସ୍ଥାନରୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ପରିବହନ ବ୍ୟବସ୍ଥା କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ୱାଟକୋ ପକ୍ଷରୁ ସହରର ୩୮ଟି ସ୍ଥାନରେ ଅସ୍ଥାୟୀ ଭାବେ ପାନୀୟ ଜଳ ଟାଙ୍କି ସ୍ଥାପନ କରାଯାଇ ସାଧାରଣ ଲୋକଙ୍କୁ ପାନୀୟ ଜଳ ବିତରଣ କରାଯିବ ଓ ସେଠାରେ ୱାଟକୋ ପକ୍ଷରୁ ଜଣକୁ ମୁତୟନ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଏତଦ୍ ବ୍ୟତୀତ ଅଂଶୁଘାତ ମୁକାବିଲା ଲାଗି ଜନ ସଚେତନତା ସୃଷ୍ଟି ପାଇଁ କଟକ ସହରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯିବ । ସେହିପରି ସହରର ୫୪ଟି ସ୍ଥାନରେ ବିଭିନ୍ନ ବ୍ୟାଙ୍କ ସହାୟତାରେ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲିବା ପ୍ରସ୍ତାବ ରହିଛି ବୋଲି ମେୟର କହିଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସାଙ୍ଗରେ ଛତା, ପାଣି ବୋତଲ ରଖିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ଅତ୍ୟଧିକ ଖରାରେ ପଦାକୁ ନ ବାହାରିବାକୁ ମଧ୍ୟ କୁହାଯାଇଛି । ସେହିପରି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସହରରେ ଲିଫଲେଟ୍, ପୋଷ୍ଟର ମରାଯାଇ ସଚେତନତା ସୃଷ୍ଟି କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମେୟର ଶ୍ରୀ ସିଂହ ଓ କମିଶନର ଶ୍ରୀ କଲ୍ୟାଣଙ୍କ ସମେତ ଡେପୁଟି ମେୟର ଦମୟନ୍ତୀ ମାଝି, ଅତିରିକ୍ତ କମିଶନର ଅନାମ ପାତ୍ର, ଡେପୁଟି କମିଶନର ଅମୀୟ ପଣ୍ଡା, ୱାଟକୋର ଜେନେରାଲ ମ୍ୟାନେଜର ଦେବଦତ୍ତ ମହାନ୍ତି, ସିଟି ଇଂଜିନିୟର ଅତନୁ ସାମନ୍ତ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଏନ ରାଜଲକ୍ଷ୍ମୀ ଓଝା, ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର, ସିଡିପିଓ ୧ ଓ ୨, ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।