ଜଳାଶୟ ପୁନରୁଦ୍ଧାର: ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯କୋଟି

ଭୁବନେଶ୍ୱର/ନୂଆଦିଲ୍ଲୀ (ଏନ୍.ଏମ୍.): ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ ୩ବର୍ଷରେ ଓଡ଼ିଶାକୁ ୧୮୨୯ କୋଟି ୫୬ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଦେଇଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ ମୁତାବକ ୨୦୧୫-୧୬ ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଆରମ୍ଭ ହୋଇଥିଲା। ଫସଲ ପାଇଁ ଜଳ ଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରିବା ସହିତ ଜଳ ସଂରକ୍ଷଣ ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନା ଅଧୀନରେ ଗଡ଼ିଆ ପୋଖରୀ ସମେତ ଅନ୍ୟାନ୍ୟ ଜଳ ଉତ୍ସଗୁଡ଼ିକର ମରାମତି, ପୁନରୁଦ୍ଧାର ଆଦି କାର୍ଯ୍ୟ କରାଯାଇଥାଏ। ଏଥିଲାଗି ସ୍ୱତନ୍ତ୍ର ଭାବେ ‘ହର୍ ଖେତ୍ କୋ ପାନି’ କାର୍ଯ୍ୟକ୍ରମ ଚାଲୁଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡ଼ିଶାକୁ ୧୬୨.୮୭୫ କୋଟି ଟଙ୍କା ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ତିନୋଟି ଆର୍ôଥକ ବର୍ଷରେ ମିଳିଛି। ଏଥିରେ ୪୩୩ଟି ଗଡ଼ିଆ ପୋଖରୀ ସମେତ ଅନ୍ୟାନ୍ୟ ଜଳ ଉତ୍ସର ପୁନରୁଦ୍ଧାର କରାଯାଇଛି। ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଅମୃତ ଯୋଜନାରେ ସହରାଞ୍ଚଳ ଜଳ ଉତ୍ସଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରୁଛନ୍ତି। ଅମୃତ ଯୋଜନାରେ ଗତ ୩ବର୍ଷ ଭିତରେ ରାଜ୍ୟର ବିଭିନ୍ନ ସହରରେ ୨୭ଟି ଜଳ ଉତ୍ସର ପୁନରୁଦ୍ଧାର କରାଯାଇଛି ଯେଉଁଥିପାଇଁ କେନ୍ଦ୍ର ସରକାର ୬୨୧.୪୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଶ୍ରୀ ରାୟଙ୍କୁ କେନ୍ଦ୍ରମନ୍ତ୍ରୀ ପୁଣି କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା (ଏମ୍ଜି ନରେଗା)ରେ କିନ୍ତୁ ଗତ ୩ବର୍ଷ ଭିତରେ ଓଡ଼ିଶାରେ ବ୍ୟାପକ ଜଳ ଉତ୍ସର ପୁନରୁଦ୍ଧାର କରାଯାଇଛି। ଏଥିପାଇଁ କେନ୍ଦ୍ରରୁ ଓଡ଼ିଶାକୁ ୧୦୪୫ କୋଟି ୨୩ଲକ୍ଷ ଟଙ୍କାର ସହାୟତା ମିଳିଛି, ଯେଉଁଥିରେ ୧୯୧୩୧ଟି ଜଳଉତ୍ସର ପୁନରୁଦ୍ଧାର କରାଯାଇପାରିଛି। ଏହାଛଡ଼ା ବର୍ଷା ଜଳ ସଂରକ୍ଷଣ ପାଇଁ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମରେ ମଧ୍ୟ ଓଡ଼ିଶା ବ୍ୟାପକ ସହାୟତା ପାଇଛି, ଯେଉଁଥିରେ ୨୫,୨୫୩ଟି ଜଳ ଉତ୍ସର ପୁନରୁଦ୍ଧାର କାର୍ଯ୍ୟ ଗତ ୩ବର୍ଷ ମଧ୍ୟରେ ହୋଇପାରିଛି। ଓଡ଼ିଶାରେ ଭୂତଳ ଜଳ ସ୍ତର ହ୍ରାସ ପାଉଥିବା କାରଣରୁ ଭବିଷ୍ୟତ ପାଇଁ ଏହା ଆହ୍ୱାନ ସୃଷ୍ଟି କରିପାରେ ବୋଲି ସାଂସଦ ଶ୍ରୀ ରାୟ ଉଦ୍ବେଗର ସହ କହିଛନ୍ତି। ଏଭଳି ଘଟିଲେ କୃଷି କ୍ଷେତ, ପାନୀୟ ଜଳ ଓ ପଶୁ ପାଳନ କ୍ଷେତ୍ର ପ୍ରତି ଗୁରୁତର ସଂକଟ ସୃଷ୍ଟି ହୋଇପାରେ। ଏହି ସମସ୍ୟାକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ନଦୀ, ହ୍ରଦ, ଝରଣା, ଗଡ଼ିଆ, ପୋଖରୀ, ଯୋର ଓ ଅନ୍ୟାନ୍ୟ ଜଳ ଉତ୍ସଗୁଡ଼ିକରେ ଯେପରି ବର୍ଷ ତମାମ ଜଳ ଭର୍ତ୍ତି ହୋଇ ରୁହେ ସେ ଦିଗରେ ଓଡ଼ିଶା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆର୍ôଥକ ସହାୟତା ଦେବା ଲାଗି ଏକ ବିବୃତିରେ ଶ୍ରୀ ରାୟ ଦାବି କରିଛନ୍ତି।

