ରାଜ୍ୟସ୍ତରୀୟ ବୀରତା ଦିବସ: ଦେଶ ପାଇଁ ସହିଦ ମାଧୋ ସିଂଙ୍କ ବଳିଦାନ ଅତୁଳନୀୟ – ସୁଶାନ୍ତ ସିଂ

ରାଜ୍ୟସ୍ତରୀୟ ବୀରତା ଦିବସ
ଦେଶ ପାଇଁ ସହିଦ ମାଧୋ ସିଂଙ୍କ ବଳିଦାନ ଅତୁଳନୀୟ – ସୁଶାନ୍ତ ସିଂ


ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶର ସ୍ୱାଧୀନତା ପାଇଁ ବ୍ରିଟିଶ୍ ଶାସକଙ୍କ କବଳରୁ ଭାରତମାତାକୁ ରକ୍ଷା କରିବା ପାଇଁ ଅନେକ ବୀର ଜୀବନ ଦେଇଛନ୍ତି । ସେଥି ମଧ୍ୟରୁ ୧୮୫୭ ମସିହାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଦ୍ୱାରା ବ୍ରିଟିଶ୍ ଶାସକଙ୍କ ବିରୋଧରେ ଚଳାଇଥିବା ସଂଗ୍ରାମରେ ତାଙ୍କୁ ବିଭିନ୍ନ ଅଞ୍ଚଳରୁ ଯେଉଁ ସହଯୋଗ ମିଳିଥିଲା, ସେଥିମଧ୍ୟରୁ ବରଗଡ ଜିଲ୍ଲା ଘେଂସ ଜମିଦାର ମାଧୋ ସିଂହ ଓ ତାଙ୍କ ପରିବାରର ଅବଦାନ ଅତୁଳନୀୟ ଥିଲା । ଭାରତୀୟ ମୁକ୍ତି ସଂଗ୍ରାମରେ ଝାସ ଦେଇ ଏହି ପରିବାରର ମାଧୋ ସିଂହଙ୍କ ସମେତ ତାଙ୍କର ୪ ପୁଅ-ହଟେ ସିଂ, କୁଞ୍ଜଳ ସିିଂ, ବୈରୀ ସିଂ ଓ ଐରୀ ସିଂ ଓ ତାଙ୍କ ଜ୍ୱାଇଁ ମଧ୍ୟ ଦେଶ ପାଇଁ ପାଇଁ ପ୍ରାଣବଳି ଦେଇଥିଲେ । ଆଜିର ଯୁବପିଢି ମଧ୍ୟରେ କେବଳ ଓଡିଶା କାହିଁକି ସାରା ଭାରତ ବର୍ଷ ସହିଦ ମାଧୋ ସିଂ ଓ ତାଙ୍କ ପରିବାରର ବୀରତ୍ୱ ଓ ବଳିଦାନର କାହାଣୀ ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି ବୋଲି ଆଜି ଅପରାହ୍ଣରେ ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ବୀରତା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ କୁମାର ସିଂହ ପ୍ରକାଶ କରିଛନ୍ତି ।
ବୈଠକର ପ୍ରାରମ୍ଭରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତିବୀର ସହିଦ ମାଧୋ ସିଂଙ୍କର ବଳିଦାନ ସଂପର୍କିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟ୍‌କୁ ପ୍ରଦର୍ଶିତ କରାଯାଇଥିଲା । ଉଭୟ ଆଭାସୀ ଓ ମଞ୍ଚ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ସହିଦ କୁଞ୍ଜଳ ସିଂ କ୍ଲବ, ଘେଁସ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଦିବସରେ ପ୍ରଥମେ ଅତିଥି ଭାବେ ସହିଦ ମାଧୋ ସିଂଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ସିଂ ତାଙ୍କ ଅଭିଭାଷଣରେ ମାଧୋ ସିଂଙ୍କ ସ୍ମୃତିରେ ଘେଁସଠାର ରହିଥିବା ସହିଦ ସ୍ମୃତିପୀଠର ସୁରକ୍ଷା, ସହିଦ କୁଞ୍ଜଳ ସିଂ ପାର୍କ ନିର୍ମାଣ ଓ ନୂତନ କଲ୍ୟାଣ ମଣ୍ଡପ ଆଦି ନିର୍ମାଣ କରାଯାଉଥିବା ସମ୍ପର୍କରେ ପ୍ରକାଶ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରି ସହିଦ ମାଧୋ ସିଂ ଓ ତାଙ୍କ ପରିବାରର ବଳିଦାନର କାହାଣୀ ଇତିହାସରେ ବିରଳ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡକ୍ଟର ଲେନିନ୍ ମହାନ୍ତି ଯୋଗଦେଇ ସହିଦ ମାଧୋ ସିଂଙ୍କ ପରି ଆମ ଦେଶ ପାଇଁ ପ୍ରାଣ ବଳି ଦେଇଥିବା ପୂର୍ବସୂରୀମାନଙ୍କ ପ୍ରଦର୍ଶିତ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ଜାତିପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଗବେଷକ ଡଃ. ସୁବାସ ମେହେର ଯୋଗଦେଇ ଶହୀଦ୍ ମାଧୋ ସିଂ କିପରି ଶକ୍ତିଶାଳୀ ଇଂରେଜ ଶାସକ ବିରୁଦ୍ଧରେ ରଣକୌଶଳ ପ୍ରସ୍ତୁତି କରୁଥିଲେ ସେ ସମ୍ପର୍କରେ ଉପସ୍ଥାପନ କରିବା ସହିତ ତାଙ୍କର ବଳିଦାନର କାହାଣି ସଂପର୍କରେ ସାହିତ୍ୟ ଓ ଇତିହାସରେ ସ୍ଥାନିତ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ବକ୍ତା କୁଞ୍ଜଲ ସିଂ କ୍ଲବ, ଘେଁସର ସଭାପତି ଅଶୋକ କୁମାର ପୁଜାହାରୀ, ମାଧୋ ସିଂଙ୍କର ସ୍ମୃତିର ପ୍ରଚାର ପ୍ରସାର ପାଇଁ ତାଙ୍କର ଅନାଲୋଚିତ ବହୁ ଗବେଷଣାତ୍ମକ ତଥ୍ୟ ଯାହାକି ଜାତୀୟ ଚେତନାକୁ ଉଦ୍‌ବୁଦ୍ଧ କରିବ, ସେ ସମ୍ପର୍କରେ ପ୍ରକାଶନ କରାଯିବା ଉପରେ ମତ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରଭାସ ସିଂ ଯୋଗଦେଇ ଘେଁସ ଜମିଦାର ପରିବାରଙ୍କ ସରଳତା, ବୀରତ୍ୱ ଓ ଦେଶପ୍ରେମର କାହାଣୀ ଉପରେ ବର୍ଣ୍ଣନା କରିଥିଲେ । ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *