୩ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ: ପ୍ରତିଶ୍ରୁତି ଅନୁଯାୟୀ ୯୦ଦିନ ସମୟ ଦେଲା ସଂଘ

୩ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ: ପ୍ରତିଶ୍ରୁତି ଅନୁଯାୟୀ ୯୦ଦିନ ସମୟ ଦେଲା ସଂଘ

୩ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ: ପ୍ରତିଶ୍ରୁତି ଅନୁଯାୟୀ ୯୦ଦିନ ସମୟ ଦେଲା ସଂଘ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ତିନିଦିନ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପରେ ଆଜି ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରହିଛି । ମୁଖ୍ୟ ଶାସନ ସଚିବଙ୍କ ଅପିଲ ପରେ ଏହି ଆନ୍ଦୋଳନ ୯୦ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିଥିବା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବ ୩ ମାସ ସମୟ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଆଜି ସମାନ କଥା ସେ ଗଣମାଧ୍ୟମ ଆଗରେ ଦୋହରାଇଛନ୍ତି । ଆନ୍ଦୋଳନ ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି । ତେଣୁ ଲୋକଙ୍କ ଅସୁବିଧା ଓ ସରକାରଙ୍କ ପ୍ରତିଶ୍ରୁତିକୁ ଦେଖି ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଦାବି ପୂରଣ ନେଇ ସରକାର ୯୦ ଦିନ ସମୟ ନେଇଛନ୍ତି । ୯୦ରୁ ୯୧ ଦିନ ହେଲେ ଆମେ ଆନ୍ଦୋଳନକୁ ପୁଣି ଓହ୍ଲାଇବୁ ବୋଲି ଶ୍ରୀ ମେଣ୍ଡୁଲି ଚେତାବନୀ ଦେଇଛନ୍ତି । ଲକ୍ଷ ଲକ୍ଷ ଡ୍ରାଇଭର ନବୀନ ନିବାସ ଯିବେ ଓ ସମୂହ ଆତ୍ମାହୁତି ଦେବେବୋଲି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।
ସୂଚନା ଯେ, ୧୦ ଦଫା ନେଇ ଗତ ୩ ଦିନ ହେବ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ୍ ଆନ୍ଦୋଳନ କରୁଥିଲେ । ଫଳରେ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇପାରୁନି । ଜରୁରୀ ଜିନିଷ ମଧ୍ୟ ରାଜ୍ୟରେ ପହଞ୍ଚି ପାରୁନି । ଡ୍ରାଇଭରମାନେ ରାଜରାସ୍ତା ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭରମାନଙ୍କୁ ନିବେଦନ କରିଥିଲେ । ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟ ସଚିବ କହିଥିଲେ, ଡ୍ରାଇଭରଙ୍କ ଦାବି ଯଥାର୍ଥ । ଏ ସବୁ ପୂରଣ ପାଇଁ ସରକାର ୩ ମାସ ସମୟ ନେଇଛନ୍ତି । ସେପଟେ ଆନ୍ଦୋଳନରତ ଡ୍ରାଇଭରଙ୍କୁ ଡିଜିପି ସୁନୀଲ ବଂଶଲ ସତର୍କ ଚେତାବନୀ ଦେଇଥିଲେ । ସେ କହିଛନ୍ତି, ପ୍ରତିଶ୍ରୁତି ସତ୍ତ୍ୱେ ଡ୍ରାଇଭର ମହାସଂଘ ଆନ୍ଦୋଳନ କରୁଛନ୍ତି । ଏହା ବେଆଇନ୍ । ଗତକାଲି ପୂଲିସକୁ ଆକ୍ରମଣ କରାଯାଇ ଆଇନକୁକୁ ହାତକୁ ନିଆଯାଇଛି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ । ସେହିପରି ଡ୍ରାଇଭରମାନଙ୍କ ଠାରୁ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ସହଯୋଗ ଲୋଡିଥିଲେ । ଡ୍ରାଇଭର ମହାସଂଘ ପକ୍ଷରୁ ରଖାଯାଇଥିବା ଦାବିଗୁଡ଼ିକ ହେଲା ଡ୍ରାଇଭରମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଲୋକଙ୍କ ଆକ୍ରୋସର ଶିକାର ହେଉଥିବା ଡ୍ରାଉଭରଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ଆଣିବା, ୫୫ ବର୍ଷ ବୟସ ପରେ ମାସିକ ୫ ହଜାର ଟଙ୍କା ପେନସନ୍ ପ୍ରଦାନ ସହ ଗୃହ ନିର୍ମାଣ ନିମନ୍ତେ ୫ ଲକ୍ଷ ସହାୟତା ପ୍ରଦାନ, ରାସ୍ତାର ୧୦୦ କିଲୋମିଟର ଅନ୍ତରରେ ଡ୍ରାଇଭରମାନଙ୍କ ନିମନ୍ତେ ବିଶ୍ରାମାଗାର ଓ ଗାଡି ପାର୍କିଂ ସ୍ଥଳ ନିର୍ମାଣ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ ଟଙ୍କା ବୀମା ଓ ଅର୍କମନ୍ୟ ହେଲେ ୧୦ ଲକ୍ଷର ବୀମା ସହ ଚିକିତ୍ସା ସହାୟତା, ଡ୍ରାଇଭର ସଂଖ୍ୟା ସର୍ଭେ ଓ କାର୍ଯ୍ୟ ସମୟସୀମା ଧାର୍ଯ୍ୟ କରିବା, ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା, ଡ୍ରାଇଭରଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷାର ବ୍ୟବସ୍ଥା କରିବା, ଗାଡ଼ି ଚେକିଂ ଆଳରେ ଡ୍ରାଇଭରଙ୍କୁ ହଇରାଣ ନକରିବା ଏବଂ ଡ୍ରାଇଭିଂ ଲାଇସେନ୍ସ ୧୫ ହଜାର ଟଙ୍କାରୁ ହ୍ରାସ କରିବା ଆଦି ଅନ୍ତର୍ଭୁକ୍ତ ରହିଛି । ତେବେ ଡ୍ରାଇଭରଙ୍କ ଏହି ଦାବିଗୁଡ଼ିକ ଉପରେ ସରକାର ବିଚାର କରୁଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ