ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ୧୫ରୁ କଟିବ ଚାଲାଣ
କଟକ(ଏନ୍.ଏମ୍.): ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଜାନୁଆରୀ ୧୫ ତାରିଖରୁ ଚାଲଣ କଟାଯିବ ବୋଲି ଆଜି ଅତିରିକ୍ତ ପରିବହନ (ଏନଫୋର୍ସମେଣ୍ଟ) ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ତେବେ ଏହି ଚାଲଣ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ କଟିବ ବୋଲି ସେ କହିଛନ୍ତି ।
୧.୪.୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ି ତଥା ଯେଉଁ ଗୁଡ଼ିକର ଶେଷ ନମ୍ବର ୧,୨,୩,୪,୫ ଓ ୬ ଶେଷ ଅଙ୍କ ହୋଇଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚଏସଆରପି) ଲାଗି ନଥିଲେ ଆସନ୍ତା ୧୫ ତାରିଖରୁ ଚାଲାଣ କଟାଯିବ । କାରଣ ଏହି ସବୁ ନମ୍ବର ପାଇଁ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାର ଧାର୍ଯ୍ୟ ସମୟ ଶେଷ ହୋଇଯାଇଛି । ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଏହି ସବୁ ନମ୍ବର ଥିବା ଗାଡ଼ିଗୁଡ଼ିକୁ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାକୁ କୁହାଯାଇଥିଲା । ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଓ ରେଜିଷ୍ଟ୍ରେସନ୍ ନମ୍ବର ୭ ଏବଂ ୮ସହିତ ଶେଷ ହେଉଥିବା ଗାଡ଼ି ଗୁଡ଼ିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାର ଶେଷ ତାରିଖ ଜାନୁଆରୀ ୩୧ ରହିଛି । ସେହିପରି ୯ ଓ ୦ ସହିତ ଶେଷ ହେଉଥିବା ଗାଡ଼ି ଗୁଡିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବାର ଶେଷ ତାରିଖ ହେଉଛି ଫେବ୍ରୁଆରୀ ୨୮ । ଏହି ଧାର୍ଯ୍ୟ ସମୟ ଶେଷ ହେଲେ ଏହି ସବୁ ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଯାଞ୍ଚ କରାଯିବ । ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ (ଏନଫୋର୍ସମେଣ୍ଟ) ଲାଲ ମୋହନ ସେଠୀ କହିଛନ୍ତି, ଜାନୁଆରୀ ୯ତାରିଖ ସୁଦ୍ଧା ୩୫,୫୬,୮୧୯ ଗାଡ଼ି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି । ଏଥିରୁ ୨୭,୨୪,୯୯୪ଟି ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଯାଇଥିବା ସେ ସୂଚନା ଦେଇଛନ୍ତି ।