ସିଏମସିରେ କାୟାବିସ୍ତାର କରୁଛି ଦୁର୍ନୀତି: ଧରାପଡ଼ିଲା ଜାଲ ଚେକ୍ରେ ଅର୍ଥ କାରବାର, ପୁରୀଘାଟ ଥାନାରେ ଏତଲା
କଟକ(ଏନ୍.ଏମ୍.): କଟକ ମହାନଗର ନିଗମରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଚାଲିଥିବା ଅଭିଯୋଗ ହେଉଛି । ଆବାସ ଯୋଜନା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଛି । ତେବେ ଏଥିରେ ସିଏମସିର ବିଭାଗୀୟ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ଥିବା ସହରରେ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ଯୋଜନାରେ ବ୍ୟାପକ ହେରଫେର କରାଯାଇ କୋଟି କୋଟି ଟଙ୍କାର ଅର୍ଥ ତୋଷାରପାତ ହେଉଥିବାବେଳେ ଆଉ ଏକ ନୂଆ ତରିକାରେ ସିଏମସିରୁ ଲୁଟ କରାଯାଉଥିବା ଘଟଣା ଲୋକ ଲୋଚନକୁ ଆସିଛି । ତେବେ ଦୀର୍ଘ ଦିନ ଧରି ସିଏମସି ଦୁର୍ନୀତିରେ ବୁଡ଼ି ରହିଥିବାବେଳେ ଏଥିରେ ସିଏମସିର ବହୁ ଅଧିକାରୀ ସଂଶ୍ଳିଷ୍ଟ ଥିବାବେଳେ କେବଳ ନିଜର ଭାବମୂର୍ତ୍ତିର ସ୍ୱଚ୍ଛତା ରକ୍ଷା ପାଇଁ ଗୋଟିଏ ଗୋଟିଏ ଘଟଣା ପଦାକୁ ଆସୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏବେ କଟକ ମହାନଗର ନିଗମରେ ନକଲି ଚେକ୍ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଜମାଖାତାକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର ହେଉଥିବାବେଳେ ଏହା ଧରା ପଡ଼ିଛି । ତେବେ ଏ ନେଇ ସିଏମସି ଫାଇନାନ୍ସ ଅଧିକାରୀ ପୁରୀଘାଟ ଥାନାରେ ଏତଲା ମଧ୍ୟ ଦେଇଥିବା ଜଣାପଡ଼ିଛି । ତେବେ ପୂର୍ବରୁ ଏହି ଭଳି କେତେଥର ନକଲି ଚେକ୍ରେ ଟଙ୍କା ଟ୍ରାନ୍ସଫର ହୋଇଛି ତାହା ମଧ୍ୟ ସନ୍ଦେହ ସାପେକ୍ଷ । ତେବେ ସାଇବର ଠକଙ୍କ ଦ୍ୱାରା ଏଭଳି କାର୍ଯ୍ୟ ବୋଲି ସିଏମସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଫେଇ ଦିଆଯାଇଛି । ତେବେ ଏହି ନକଲି ଚେକ୍ କାରବାରକୁ ନେଇ ବିଭାଗୀୟ ଅଧିକାରୀଙ୍କ ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ନକଲି ଚେକ୍ କାହା ନାମରେ ଆସୁଥିଲା ଏବଂ କାହା ନାମରେ ଇସ୍ୟୁ ହେଉଥିଲା ଏବଂ କିଏ ଇସ୍ୟୁ କରୁଥିଲେ ତାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି ।
ସୂଚନା ଅନୁଯାୟୀ, ସିଏମସିର ଏକାଧିକ ବ୍ୟାଙ୍କରେ ଜମାଖାତା ରହିଥିବାବେଳେ ପ୍ରତିଦିନ ଦେଣ ନେଣ ଚାଲିଥାଏ । ବିଭିନ୍ନ ଯୋଜନାରେ ସରକାରୀ ଅନୁଦାନ ମଧ୍ୟ ବ୍ୟାଙ୍କ ମାଧ୍ୟମରେ ସିଏମସି ରାଜକୋଷରେ ଜମା ହେଉଛି । ତେବେ ହରିଶ୍ଚନ୍ଦ୍ର ଯୋଜନାରେ ଶବଦାହ ପାଇଁ ଏହି ଚେକ୍ ଜରିଆରେ ଦିଆଯାଉଥିଲା । ଏହି ଯୋଜନାରେ ହିତାଧିକାରୀ ଯେଭଳି ହଇରାଣ ନହେବେ ସେଥିପାଇଁ ସିଏମସି ବସ୍ତି ଉନ୍ନୟନ ବିଭାଗର ୨ଜଣ ବରିଷ୍ଠ କର୍ମଚାରୀଙ୍କ ବ୍ୟାଙ୍କ ଜମାଖାତାକୁ ଅଗ୍ରିମ ଆକାରରେ ଟଙ୍କା ପଇଠ କରାଯାଇଥାଏ । ସେମାନେ ଗୋଷ୍ଠୀ ସଂଯୋଜକ(ସିଓ)ଙ୍କ ଜରିଆରେ ହିତାଧିକାରୀଙ୍କୁ ଟଙ୍କା ଦେଇଥାନ୍ତି । ତେବେ ଏକ ନକଲି ଚେକ ଜରିଆରେ ଏହି ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ଅନ୍ୟ ଏକ ଜମାଖାତକୁ ପ୍ରେରଣ ହେଉଥିଲା । ମୁନା ସିଂ ନାମକ ଜଣେ ବ୍ୟକ୍ତିଙ୍କ ଜମାଖାତାକୁ ଏହି ଟଙ୍କା ପ୍ରେରଣ ହେଉଥିବା ଜାଣିବା ପରେ ସିଏମସି ଫାଇନାନ୍ସ ଅଧିକାରୀ ଲୁସି ସ୍ୱାଇଁ ଏହାକୁ ଧରିଥିଲେ । ତେବେ ଏହାକୁ ନେଇ ସିଏମସି ପକ୍ଷରୁ ପୁରୀଘାଟ ଥାନାରେ ଅଭିଯୋଗ ହେବା ସହ ଏହାର ତଦନ୍ତ ଜାରି ରହିଥିବା ଶ୍ରୀମତୀ ସ୍ୱାଇଁ ପ୍ରକାଶ କରିଛନ୍ତି ।