ଶେଷରେ ବନ୍ଧାହେଲେ ଗୁରୁଜୀ: ଲାଗିଛି ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧୀକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିଦେବା ଭଳି ଦଫା

ଶେଷରେ ବନ୍ଧାହେଲେ ଗୁରୁଜୀ: ଲାଗିଛି ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧୀକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିଦେବା ଭଳି ଦଫା

ଶେଷରେ ବନ୍ଧାହେଲେ ଗୁରୁଜୀ: ଲାଗିଛି ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧୀକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିଦେବା ଭଳି ଦଫା


# ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ମାନସ ଦାସ ଓରଫ ଗୁରୁଜୀ ଏବେ ଜେଲର ଚାରି କାନ୍ଥ ଭିତରେ । ବହୁ କଳ୍ପନା ଜଳ୍ପନାର ଅନ୍ତଘଟିବା ସହ ଶେଷରେ ଗୁରୁଜୀ ବନ୍ଧା ହୋଇଛନ୍ତି । ତାଙ୍କ ବିରୋଧରେ ଲାଗିଛି ଅପହରଣ, ହତ୍ୟା, ହତ୍ୟାଧମକ, ଅପରାଧୀକ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ କରିଦେବା ଭଳି ସଂଗୀନ ଦଫା । ଏକତା ରାଜା ମହାରାଜାଙ୍କ ଭଳି ଜୀବନ ବିତାଉଥିବା ଗୁରୁଜୀଙ୍କୁ ତାଙ୍କ କୃତକର୍ମର ଫଳ ମିଳିଛି ବୋଲି ଚାରିଆଡେ ଚର୍ଚ୍ଚା । ରାସ୍ତାରେ ଚାଲିଲା ବେଳେ ମହିଳାମାନେ ହୁଳହୁଳି ପକାଉଥିଲେ ଆଉ ପାଦ ଛୁଇଁ ମୁଣ୍ଡିଆ ମାରୁଥିଲେ । ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ଜୀବନ ବିତାଉଥିବା ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସ ଓରଫ ଗୁରୁଜୀଙ୍କ ଡ୍ରାମା ଶେଷ ହୋଇଛି । ଆଜି ବନ୍ଧା ହୋଇଛନ୍ତି ଗୁରୁଜୀ । ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଖୋର୍ଦ୍ଧା ପୁଲିସ ତାଙ୍କୁ ଗିରଫ କରିଛି । ପୁଲିସ ତାଙ୍କ ବିରୋଧରେ ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧିକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିଦେବା ଭଳି ବହୁ ଗୁରୁତର ଦଫା ଲଗାଇଛି । ତାଙ୍କୁ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର କରାଯିବା ପରେ ଖୋର୍ଦ୍ଧା ସବଜେଲକୁ ପଠାଇ ଦିଆଯାଇଛି । ଏ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ କହିବା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଭିମାନପୁର ଗାଁର ସତ୍ୟବ୍ରତ ନାଏକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପୁତୁରା ବସନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଫ୍‌ଆଇଆରରେ ସେ ୮ ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତିକରି ଅପହରଣ, ହତ୍ୟା ଓ ଧମକଚମକ ଦେବା ଭଳି ଦଫାରେ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଥିଲା । ଅଗଷ୍ଟ ୪ ତାରିଖରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି । କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ଭୋଳ ପୁଣି କହିଛନ୍ତି ଯେ, ଏଫ୍‌ଆଇଆରରେ ଲେଖାଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଥିଲା । ଏଥିସହ ଏହି ମାମଲାରେ ପରୋକ୍ଷରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ତଥ୍ୟ ଓ ପ୍ରମାଣ ସଂଗ୍ରହରେ ଲାଗି ପଡ଼ିଥିଲା । ସତ୍ୟବ୍ରତ ହତ୍ୟା ନେଇ ଅଧିକ ତଥ୍ୟ ଜାଣିବା ପାଇଁ ପୁଲିସ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଭିତରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା । ସେମାନଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଥିଲା ଯେ, ଅପରାଧିକ ଷଡ଼ଯନ୍ତ୍ର କରି ସତ୍ୟବ୍ରତ ନାୟକଙ୍କୁ ଅପହରଣ କରାଯାଇଥିଲା । ପରେ ତାଙ୍କୁ ହତ୍ୟା କରି ଶବ ପୋଡ଼ି ପ୍ରମାଣ ନଷ୍ଟ କରି ଦିଆଯାଇଥିଲା । ଅଭିଯୋଗକାରୀଙ୍କୁ ଧମକ ଚମକ ଦେଇ ସମସ୍ତ ଅପରାଧ ଘଟାଇ ଥିବାର ପ୍ରମାଣ ମିଳିଥିଲା । ତେବେ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ପ୍ରମାଣ ମିଳିବା ପରେ ପୁଲିସ ଭୁବନେଶ୍ୱରରୁ ମାନସ ଦାସଙ୍କୁ ତାଙ୍କ ବାସ ଭବନରୁ ଗିରଫ କରାଯାଇଥିଲା । ତାଙ୍କ ନାଁରେ ହତ୍ୟା ନେଇ ଦଫା ୩୦୨ ଲଗାଇଛି ପୁଲିସ । ଏଥିସହ ଦଫା ୩୬୩, ୩୬୪, ୨୦୧, ୧୨୦ବି, ୩୪ ଆଇପିସି ଲାଗିଛି । ଏହାଛଡ଼ା ମାନସଙ୍କ ବିରୋଧରେ ବହୁ ପୁରୁଣା ମାମଲାରେ ମଧ୍ୟ ଅଭିଯୋଗ ହେଉଛି । ତାହା ଉପରେ ମଧ୍ୟ ତଦନ୍ତ ଚାଲିଛି । ପର୍ଯ୍ୟାୟକ୍ରମେ ତଦନ୍ତ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ