ଶିବରାତ୍ରୀ ପାଇଁ ନୃସିଂହନାଥ ପୀଠରେ କଟକଣା ଲଗାଇଲା ପ୍ରଶାସନ
#ଆଠଗଡ଼(ଏନ୍.ଏମ୍.): ଫେବ୍ରୁଆରୀ ୧୮ ତାରିଖରେ ମହାଶିବ ରାତ୍ରୀ ପାଳନ ହେବ । ଏଥି ପାଇଁ ଜିଲ୍ଲାର ସମସ୍ତ ଶୈବ ପୀଠରେ ଏହି ପର୍ବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଶିବରାତ୍ରୀ ଦିନ ଶିବ ମନ୍ଦିରରେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ବଡ଼ମ୍ୱା ସିଂହନାଥ ପୀଠରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି । ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ସତକ କରାଯାଇଛି । ୧୮ ତାରିଖ ଭୋର ୪ଟାରୁ ୧୯ ତାରିଖ ସକାଳ ୭ ଘଣ୍ଟିକା ପର୍ଯ୍ୟନ୍ତ ଟି-ସେତୁ ଦେଇ ସମସ୍ତ ଯାନବାହନ ବନ୍ଦ ରହିବ । ଆଜି ବସିଥିବା ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ବାଉଁଶ ବାରିକେଟ କରାଯିବ । ଉଭୟ ପାର୍ଶ୍ୱରରେ ୧୦ କିଲୋମିଟର ପରିଧି ଭିତରେ ଯାନବାହନ ଚଳାଚଳ ବନ୍ଦ ରହିବ । ଏନେଇ ପ୍ରଚାର ପ୍ରସାର କରାଯିବ ବୋଲି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି । ସାଧାରଣ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯିବ । ସେତୁ ଉପରେ ଆଲୋକି କରଣ କରାଯିବ । ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରବେଶିକା ଫି’ ୫ ଟଙ୍କା କରାଯିବ ବୋଲି ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ସିଂହନାଥ ପୀଠରେ ମହାଶିବ ରାତ୍ରୀ ପାଇଁ ଆଜି ଓଟିଡିସି ବଙ୍ଗଳାରେ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକରେ ବିଧାୟକ ଦେବୀପ୍ରସାଦ ମିଶ୍ର, ବଡମ୍ବା ବ୍ଲକ୍ ଅଧ୍ୟକ୍ଷ ରଘୁପତି ମହାନ୍ତି, ବଡମ୍ବା ଜିଲ୍ଲା ପରିଷଦ ରବୀନ୍ଦ୍ର କୁମାର ସାହୁ, ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ବଡମ୍ବା ତହସିଲଦାର ତଥା ଦେବୋତ୍ତର ବିଭାଗର ମୁଖ୍ୟ ନୀଳକଣ୍ଠ ବେହେରା, ବାଙ୍କୀ ତହସିଲଦାର ପ୍ରଜ୍ଞା ପରମିତା ପୃଷ୍ଟି, ବାଙ୍କୀ ପୁଲିସ୍ ଅଧିକ୍ଷକ ଜ୍ଞାନରଞ୍ଜନ ମିଶ୍ର, ବୈଦେଶ୍ୱର ଥାନା ଅଧିକାରୀ ସମରେନ୍ଦ୍ର ପାଇକରାଏ, ସ୍ଥାନୀୟ ଗୋପୀନାଥପୁର ସରପଞ୍ଚ ଯଯାତି କେଶରୀ ନାୟକ ଓ ବୈଦେଶ୍ୱର ସରପଞ୍ଚ ସୁରଞ୍ଜନ ପଣ୍ଡାଙ୍କ ସମେତ ସିଂହନାଥମନ୍ଦିରର ସେବାୟତ ଗଣ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ ଯେ, ଗତ ମକରସଂକ୍ରାନ୍ତି ଅବସରରେ ମକର ମେଳା କାର୍ଯ୍ୟକ୍ରମରେ ଦଳାଚକଟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ଅଞ୍ଜନା ସ୍ୱାଇଁଙ୍କ ପାଇଁ ଆଜିର ବୈଠକରେ ନିରବ ପ୍ରାର୍ଥନା କରାଯାଇଥିଲା । ମକର ମେଳାରେ ଘଟିଯାଇଥିବା ଅଘଟଣ ଯେପରି ଆଗକୁ ନଘଟିବ, ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।