ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜୟନ୍ତୀ

#ରାଇରଙ୍ଗପୁର(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୟୂରଭଞ୍ଜ ୨ ଜିଲ୍ଲା ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ, ଯୁବ ବିଜେଡି ସଭାପତି ଅଭିଷେକ ପଟ୍ଟନାୟକ ଏବଂ ମହିଳା ବିଜେଡି ସଭାନେତ୍ରୀଙ୍କ ବଳିଷ୍ଠ ନେତୃତ୍ୱରେ ୧୦୭ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଥାନୀୟ ଛକଟି ବିଜୁ ପଟ୍ଟନାୟକ ଅମର ରହେ, ବିଜେଡି ଲଙ୍ଗ ଲିଭ୍, ବିଜେଡି ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା । ପରେ ସମସ୍ତେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ଉପଖଣ୍ଡ କାରାଗାରର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରିଥିଲେ । ଅପରାହ୍ନରେ ବିଜେଡ଼ିର ଯୁବ ଛାତ୍ର ଓ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପକ୍ଷରୁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ଅବସରରେ ସ୍ଥାନୀୟ ନିଶାମଣି ହୋଟେଲ ସଂଲଗ୍ନ ଏକ ପଡ଼ିଆରେ ବିଜୁପଟ୍ଟନାୟକଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେଡି ସଭାପତି କାଶୀନାଥ ହେମ୍ବ୍ରମଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକଙ୍କ ଅମ୍ଳାନ ପ୍ରତିଭା ଉପରେ ବକ୍ତବ୍ୟ ରଖିଥିଲେ । ବିଜୁ ପଟ୍ଟନାୟକ ହେଉଛନ୍ତି ଉତ୍କଳ ମାତାର ଯୋଗଜନ୍ମା ସନ୍ତାନ । ସେ ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ବିଚକ୍ଷଣ ଦେଶପ୍ରେମୀ, ଦକ୍ଷ ପାଇଲଟ, ସାହାସୀ ଉଦାସୀ ଯୁବକ, ଜଣେ ରାଜନେତା ସହ ବୈଜ୍ଞାନିକ ମତବାଦୀ, ପଞ୍ଚାୟତରାଜ ବିଭାଗରେ ମହିଳାଙ୍କ ଅଧିକାର, ଦକ୍ଷ ମୁଖ୍ୟମନ୍ତ୍ରୀ, ଓଡ଼ିଶାକୁ ଅତି ଭଲ ପାଉଥିବା ବିରଳ ବ୍ୟକ୍ତିତ୍ୱ, ନବ ଓଡ଼ିଶାର ବିନ୍ଧାଣି ଥିଲେ ତେଣୁ ତାଙ୍କ ବିଷୟରେ ଯେତେ କହିଲେ ବି ସରିବ ନାହିଁ ବୋଲି ନେତୃବୃନ୍ଦ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୁଶିଲ ହାଁସଦା, ଏସଡିସି ସଭ୍ୟ ଜଲେନ ବାର୍ଦା, ହରେକୃଷ୍ଣ ମଣ୍ଡଳ, ବାବୁଲା ପାତ୍ର, ରାଇରଙ୍ଗପୁର ଜିଲ୍ଲା ପରିଷଦ ସଦସ୍ୟ ସଚିନ୍ଦ୍ରନାଥ ମହାନ୍ତ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ଜାମଦା ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ, ହରେକୃଷ୍ଣ ମଣ୍ଡଳ, ରାଇରଙ୍ଗପୁର ପୌରାଞ୍ଚଳର କାଉନସିଲର ବୃନ୍ଦ, ଦଳୀୟ ପଦାଧିକାରୀ, ଜନପ୍ରତିନିଧି, ଯୁବଛାତ୍ର, ମିଶନ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବୀ ଗୌରୀଶଙ୍କର ଦତ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।