ଯୌତୁକ ଲାଗି ସଇତାନ ପାଲଟିଗଲା ସ୍ୱାମୀ : ୨ ଲକ୍ଷ ଟଙ୍କା ନଆଣିବାରୁ ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା

ଯୌତୁକ ଲାଗି ସଇତାନ ପାଲଟିଗଲା ସ୍ୱାମୀ : ୨ ଲକ୍ଷ ଟଙ୍କା ନଆଣିବାରୁ ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା

ଯୌତୁକ ଲାଗି ସଇତାନ ପାଲଟିଗଲା ସ୍ୱାମୀ
୨ ଲକ୍ଷ ଟଙ୍କା ନଆଣିବାରୁ ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା


କଟକ (ଏନ୍‌.ଏମ୍‌.): ଯୌତୁକ ପାଇଁ ସ୍ୱାମୀ ପାଲଟିଗଲା ସଇତାନ । ବାପଘରୁ ୨ଲକ୍ଷ ଟଙ୍କା ନଆଣିବାରୁ ସ୍ତ୍ରୀଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡାଇ ଗୋଡ଼ାଇ ହାଣିଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଲାଲବାଗ ଥାନା ଅଞ୍ଚଳରେ । ତନ୍ତିସାହିର ୱାଇ. ଜଗନ୍ନାଥ ନିକଟ ସ୍ଥାନୀୟ କାଜିବଜାରର ୱାଇ.ସିରିଶା(୨୮)ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହକୁ ପ୍ରାୟ ୧୦ ବର୍ଷ ବିତିଯାଇଥିଲା ବେଳେ ଏବେ ତାଙ୍କର ଗୋଟିଏ ଝିଅ ଅଛି । ଜଗନ୍ନାଥ ଷ୍ଟିକରିଂ କାମ କରେ । ତେବେ ବିବାହର କିଛି ଦିନ ଯାଏ ସବୁ ଠିକଠାକ ଚାଲିବା ପରେ ହଠାତ ଜଗନ୍ନାଥର ଆଚରଣ ବଦଳିଥିଲା । ବିବାହ ସମୟରେ ସିରିଶା ଯୌତୁକ ଆଣିନଥିବାରୁ ଜଗନ୍ନାଥ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା । ଏହାକୁ ନେଇ ଅନେକ ସମୟରେ ଦୁହିଁଙ୍କ ଭିତରେ କଳିଝଗଡା ଲାଗିରହୁଥିଲା । ତେବେ ଦୀର୍ଘ ଦିନ ଧରି ଏଭଳି ଚାଲିବା ପରେ ଦୁଇ ମାସ ତଳେ ଜଗନ୍ନାଥ ବାପା ଘରୁ ତୁରନ୍ତ ୨ଲକ୍ଷ ଟଙ୍କା ଆଣିବାକୁ ସିରିଶାଙ୍କୁ କହିଥିଲା । କିନ୍ତୁ ସିରିଶା ଟଙ୍କା ନଆଣିବାରୁ ଜଗନ୍ନାଥ ତାଙ୍କୁ ମାରଧର କରୁଥିଲା । ତେବେ ଆଜି ଜଗନ୍ନାଥ ନୃଶଂସତାର ସବୁ ସୀମା ଟପିଯାଇଥିଲା । ସକାଳୁ ଟଙ୍କା ପଇସାକୁ ନେଇ ଦୁଇ ଜଣଙ୍କ ଭିତରେ ଜୋରଦାର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଗନ୍ନାଥ ସ୍ତ୍ରୀ ସିରିଶାଙ୍କୁ ଗାଳିଗୁଲଜ ସହ ମାରଧର କରିଥିଲା । ଏତିକିରେ ରାଗ ଶାନ୍ତ ହୋଇନଥିଲା ଯେ, ଜଗନ୍ନାଥ ଏକ ଭୁଜାଲିରେ ସିରିଶାଙ୍କୁ ଆକ୍ରମଣ କରିଥିଲା । ସିରିଶା ଜୀବନ ବଞ୍ଚାଇବାକୁ ଯାଇ ଏଣେତେଣେ ଦୌଡୁଥିଲା ବେଳେ ଜଗନ୍ନାଥ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲା । ତେବେ ସାହିପଡିଶାଙ୍କ ଉଦ୍ୟମକ୍ରମେ ସିରିଶାଙ୍କ ରକ୍ଷା ପାଇଯାଇଥିଲେ । ଆକ୍ରମଣରେ ସିରିଶାଙ୍କ ଡାହାଣ ହାତ ପାପୁଲିର ତଳ ଭାଗ ଅଧା କଟିଯିବା ସହ ମୁଣ୍ଡ, ପିଠି ଓ ଗୋଡରେ ଏକାଧିକ ଗଭୀର କ୍ଷତ ହୋଇଛି । ସିରିଶାଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଶରୀରରେ ୫୦ରୁ ଅଧିକ ଷ୍ଟିଚ ପଡିଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣାରେ ସିରିଶାଙ୍କ ଭାଇ ଏ. ରାଜଶେଖରଙ୍କ ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ