ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅର୍ଥନୈତିକ ଅବରୋଧ, ଗାଡ଼ି ଚଳାଚଳ ଠପ୍
#କେନ୍ଦ୍ରାପଡ଼ା (ଏନ୍.ଏମ୍.): କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । ଆଜି କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳେ ଆନ୍ଦୋଳନକାରୀ ମାନେ କଟକ -ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକଠାରେ ରାଜପଥ ଅବରୋଧ କରିଛନ୍ତି । ଏହାସହ ଦୈତାରୀ- ପାରାଦୀପ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଶତାଧିକ ଆନ୍ଦୋଳନକାରୀ ରାସ୍ତା ଉପରେ ବସି ରହି ନାରାବାଜି କରିଛନ୍ତି । ରାସ୍ତା ଅବରୋଧ ଯୋଗୁ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି । ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାର କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରନ୍ତୁ ବୋଲି କମିଟି ପକ୍ଷରୁ ଦାବି କରାଯାଇଛି । ସରକାର ଦାବି ନ ଶୁଣିବାରୁ ଆଜି କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି । ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ଗତ ସେପ୍ଟେମ୍ବର ୫ରୁ ଜିଲାପାଳଙ୍କଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଛି ।